ନବୀନ ନିବାସରୁ ସିଦ୍ଧାନ୍ତଙ୍କୁ ଆସିଲା ଡ଼ାକରା ! ସୁପ୍ରିମୋଙ୍କ ସହ ଆଲୋଚନା କଲେ ବ୍ରହ୍ମପୁର ସାଂସଦ, କହିଲେ ଦଳ ସୁପ୍ରିମୋ ଚାହିଁଲେ ନିର୍ବାଚନ ଲଢିବି ।

1,353

କନକ ବ୍ୟୁରୋ: ନବୀନ ନିବାସରେ ବ୍ରହ୍ମପୁର ବିଜେଡି ସାଂସଦ ସିଦ୍ଧାନ୍ତ ମହାପାତ୍ର । ଅନେକ ଛକାପଞ୍ଝା ପରେ ଶେଷର ନବୀନ ନିବାସରୁ ଡ଼ାକରା ଆସିବା ପରେ ବିଜେଡି ସୁପ୍ରିମୋଙ୍କୁ ଭେଟିଛନ୍ତି ସିଦ୍ଧାନ୍ତ ମହାପାତ୍ର । ସାକ୍ଷାତ ପରେ ସିଦ୍ଧାନ୍ତ କହିଛନ୍ତି ଯେ, ସୁପ୍ରିମୋଙ୍କ ସହ ଏହା କେବଳ ସୌଜନ୍ୟ ମୂଳକ ସାକ୍ଷାତ ହୋଇଛି । ଆଗାମୀ ନିର୍ବାଚନରେ ଟିକେଟ୍ ପାଇବା ନେଇ ସିଦ୍ଧାନ୍ତ କହିଛନ୍ତି ଯେ, ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଯାହା ନିଷ୍ପତି ନେବେ ତାକୁ ସମ୍ମାନ ଜଣାଇବି । ଦଳ ଯଦି ଚାହିଁବ ନିର୍ବାଚନ ଲଢ଼ିବି ନଚେତ୍ ଦଳ ପାଇଁ ପ୍ରଚାର କରିବି ବୋଲି କହିଛନ୍ତି ବ୍ରହ୍ମପୁର ସାଂସଦ ।

ସେପଟେ ଟିକେଟ୍ ଯଦି ନମିଳେ ତେବେ ବିଜେପିରେ ସାମିଲ ହେବା ନେଇ ହେଉଥିବା ଚର୍ଚ୍ଚା ଉପରେ ଲକ୍ଷ୍ମଣରେଖା ଟାଣିଛନ୍ତି ସିଦ୍ଧାନ୍ତ । ଏବଂ କହିଛନ୍ତି କି, ମୁଁ କୌଣସି ଦଳ ସହ ଯୋଗାଯୋଗରେ ନାହିଁ । ଏହା ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି । ଏହା କେବଳ ଗୁଜବ ବୋଲି କହିଛନ୍ତି ସିଦ୍ଧାନ୍ତ ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ତାରିଖ ଯେତେ ପାଖାଉଛି ସେତେ ରାଜନୀତି ଉଷ୍ମ ହେବାରେ ଲାଗିଛି । ଗତ ଦୁଇଟି ସାଧାରଣ ନିର୍ବାଚନରେ ବ୍ରହ୍ମପୁର ଲୋକସଭା ଆସନରୁ ଦୁଇ ଦୁଇଥର ବିଜୟୀ ହୋଇ କଂଗ୍ରେସର ହେଭିୱେଟ୍ ଚନ୍ଦ୍ରଶେଖର ସାହୁଙ୍କୁ ପରାଜିତ କରିଥିବା ସିଦ୍ଧାନ୍ତଙ୍କୁ ଏଥର ଟିକେଟ୍ ମିଳିବ କି ନାହିଁ ତାକୁ ନେଇ କଳ୍ପନା ଜଳ୍ପନା ଲାଗିରହିଛି । କାରଣ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ କ˚ଗ୍ରେସ ଛାଡି ବିଜେଡିରେ ଯୋଗଦେବାପରେ ବ୍ରହ୍ମପୁର ଲୋକସଭା କ୍ଷେତ୍ରକରେ ରାଜନୀତି ଗୋଳମାଳିଆ ହୋଇପଡ଼ିଛି ।