ବଢୁଛି ବ୍ରହ୍ମପୁର ରାଜନୀତି ପାରଦ ! କାହା ଉପରେ ଭରସା କରିବ ବିଜେପି, ବିଜେଡିରେ ଅନେକ ଆଶାୟୀ, କନଫ୍ୟୁଜନରେ କଂଗ୍ରେସ ।

203

କନକ ବ୍ୟୁରୋ: ନିର୍ବାଚନ ପାଖେଇ ଆସିଲା ବଢ଼ିଲା ରାଜନୀତି ପାରଦ । ସାଧାରଣ ନିର୍ବାଚନରେ ବିଜୟ ତିଳକ ପିନ୍ଧିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଉଭୟ ବିଜେଡି ବିଜେପି ଓ କଂଗ୍ରେସ । ଏପରିକି କେଉଁ ଦଳରୁ କିଏ ପ୍ରାର୍ଥୀ ହେବ ସେନେଇ ଚିତ୍ର ଅସ୍ପଷ୍ଟ ରହିଛି । ଏହାରି ମଧ୍ୟରେ ବହ୍ମପୁର ବିଧାନସଭା ଆସନକୁ ନେଇ ତେଜୁଛି ରାଜନୀତି । ତିନି ପ୍ରମୁଖ ଦଳର ଅଙ୍କ ଜଟିଳ ହେବାରେ ଲାଗିଛି ।

ଏହି ଆସନ ଏକତରଫା ଭାବେ ବିଜେଡି କବଜାରେ ରହିବ ନା ସବୁଥର ପ୍ରକ୍ରିୟାରେ ସବୁଥର ଭଳି ପ୍ରତିଦ୍ବନ୍ଦ୍ବିତା ତୀବ୍ର ହେବ, ତାହା ଏବେଠାରୁ ଆକଳନ କରିବା ମୁସ୍କିଲ। ୧୯୯୦ ମସିହାରେ ଏହି ନିର୍ବାଚନମଣ୍ଡଳୀକୁ ଦଖଲ କରିଥିଲା ଜନତା ଦଳ । ବର୍ତମାନର ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ୧୯୯୫ ମସିହାରେ ଜନତାଦଳରୁ ନିର୍ବାଚନରେ ଜିତିବା ପରେ ଗୁରୁତ୍ବପୂର୍ଣ୍ଣ ଏହି ଆସନର ଭାଗ୍ୟ ଅଣକେଂଗ୍ରସ ହାତରେ ରହିଆସିଛି। ଚ୍ୟାଉ ପଟ୍ଟନାୟକ ମଧ୍ୟ କ୍ରମାଗତ ଭାବେ ପାଞ୍ଚଥର ଏହି ଆସନରୁ ଜିତିଛନ୍ତି। ୧୯୯୫ ମସିହାରେ ତତ୍କାଳୀନ କଂଗ୍ରେସ ପ୍ରାର୍ଥୀ ଅଲେଖ ଚୌଧୁରୀଙ୍କୁ ୪ ହଜାର ୨୩୩ଖଣ୍ଡ ଭୋଟରେ ପରାଜିତ କରି ବିଜୟ ଅଭିଯାନ ଆରମ୍ଭ କରିଥିଲେ ଚ୍ୟାଉ ପଟ୍ଟନାୟକ। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ନିଜ ଅକ୍ତିଆରରେ ବ୍ରହ୍ମପୁର ବିଧାନସଭା ଆସନକୁ କବଜାରେ ରଖିଛନ୍ତି ।

ଅନ୍ୟପଟେ ରାଜନୀତି ସମୀକ୍ଷକଙ୍କ ମତ ଅନୁସାରେ ଗତ ଦୁଇଟି ନିର୍ବାଚନରେ ବିଜେପି ତୃତୀୟ ପକ୍ଷ ଭାବେ ଉଭା ହୋଇଛି । ଯାହାକି ୨୦୧୪ ନିର୍ବାଚନରେ ବ୍ରହ୍ମପୁର ମହାନଗର ନିଗମର ପ୍ରାକ୍ତନ ମେୟର ଶିବଶଙ୍କର ଦାସ ଶେଷ ମୁହୂର୍ତ୍ତ ବିଜେଡି ଛାଡି ପଦ୍ମ ପୋଖରୀକୁ ଲମ୍ପ ଦେଇଥିଲେ । ୨୦୧୪ରେ ଶିବଶଙ୍କର ଦାସଙ୍କୁ ୨୪ହଜାର ୯୨ ଖଣ୍ଡ ଭୋଟ ପାଇଥିଲେ ମଧ୍ୟ ନିର୍ବାଚନ ଗଣିତରେ ସେଭଳି କିଛି ପ୍ରଭାବ ପକାଇ ପାରିନଥିଲା ବିଜେପି । କିନ୍ତୁ ୨୦୧୯ ନିର୍ବାଚନ ବ୍ରହ୍ମପୁର ଆସନର ରାଜନୈତିକ ଚିତ୍ରକୁ ପୂରାପୁରି ବଦଳାଇ ଦେଇଛି । ଯେଉଁମାନେ ଏକଦା ଶତ୍ରୁ ପକ୍ଷର ନେତୃତ୍ୱ ନେଉଥିଲେ ସେମାନେ ପଟ୍ଟ ପରିବର୍ତନ କରିଛନ୍ତି । ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଅଲେଖ ଚୌଧୁରୀ କଂଗ୍ରେସ ଦଳ ଛାଡି ଏବେ ବିଜେଡିରେ । ଚର୍ଚ୍ଚା ମୁତାବକ ୨୦୧୪ ନିର୍ବାଚନରେ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଟିକେଟ ପାଇବା ନେଇ ଅନିଶ୍ଚିତତା ରହିଥିଲା । ଏଥର ଚିତ୍ର ବି ସେହିଭଳି କିଛି ରହିପାରେ । କାରଣ ଦଳୀୟ ଟିକେଟ୍ ପାଇଁ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଯୁବନେତା ବିକ୍ରମ ପଣ୍ଡା, ଅଲେଖ ଚୌଧୁରୀ ପ୍ରମୁଖ ଆଶାୟୀ ତଥା ଦାବିଦାର ରହିଛନ୍ତି।

ଅପରପକ୍ଷେ ବିଜେପିରୁ ଗତଥର ଲଢିଥିବା ପ୍ରାକ୍ତନ ମେୟର ଶିବଶଙ୍କର ଦାସ ବିଭିନ୍ନ ମାମଲାରେ ଛନ୍ଦି ହୋଇ ପଡିଛନ୍ତି। ଏହା ସତ୍ତ୍ବେ ବ୍ରହ୍ମପୁର ଆସନ ଲାଗି ଦଳର ସେ ପ୍ରମୁଖ ଦାବିଦାର ବୋଲି ଚର୍ଚ୍ଚା ହେଉଛି । ତାଙ୍କ ବ୍ୟତୀତ ଜିଲ୍ଲା ସଭାପତି କାହ୍ନୁଚରଣ ପତି, ଶିଶିର ପାଢ଼ୀଙ୍କ ନାଁ ଆଶାୟୀ ତାଲିକାରେ ରହିଛି । ତେବେ ବିଜେପି ପୂର୍ବ ପରି ଦୁର୍ବଳ ରହିବ ନା ମୋଦିଙ୍କ ହାୱା ଓ ରାଜ୍ୟ ବିଜେପିର ବରିଷ୍ଠ ନେତୃତ୍ୱର ରଣନୀତିକୁ ନେଇ ବିଜେଡି ଗଡ଼କୁ ଭାଙ୍ଗିବ ତାହା ଏବେ ଦେଖିବାକୁ ବାକି ରହିଲା ।

ସେପଟେ ବ୍ରହ୍ମପୁରରେ ଧୂଳିସାତ ହୋଇଥିବା କଂଗ୍ରେସ ନେତୃତ୍ବ ସଙ୍କଟରୁ ମୁକୁଳିପାରିନାହିଁ । କିନ୍ତୁ ଗତ ୧୪ତାରିଖ କଂଗ୍ରେସର କେନ୍ଦ୍ରୀୟ ସ୍କ୍ରିନିଙ୍ଗ କମିଟି ସଦସ୍ୟଙ୍କ ନିକଟରେ ଦଳ ପକ୍ଷରୁ ୬ଜଣ ଆଶାୟୀ ପ୍ରାର୍ଥୀ ଆବେଦନ କରିଥିଲେ। ପୂର୍ବତନ ମନ୍ତ୍ରୀ କୃଷ୍ଣଚରଣ ପଟ୍ଟନାୟକଙ୍କ ପୁଅ ତଥା ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୀପକ ପଟ୍ଟନାୟକ, ପିତବାସ ପଣ୍ଡା ଏବଂ ପ୍ରମୋଦ ଜେନାଙ୍କ ନାଁ ଏହି ରେସରେ ରହିଥିବା ଜଣାପଡ଼ିଛି ।