ଚିକେନ୍ ଖାଇଲେ, ନିଲମ୍ବିତ ହେଲେ । ପିଲାଙ୍କ ସହ ମଧ୍ୟାହ୍ନ ଭୋଜନରେ ବିଇଓ ଚିକେନ୍ ଖାଇବା ଘଟଣା, କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଜିଲ୍ଲାପାଳଙ୍କ ପଦକ୍ଷେପ ।

1,801

କନକ ନ୍ୟୁଜର ମହାପ୍ରଭାବ । ଚିକେନ୍ ଖାଇ ଚାକିରିରୁ ନିଲମ୍ବିତ ହେଲେ ବ୍ଲକ ଶିକ୍ଷା ଅଧିକାରୀ ବିନୟ ପ୍ରକାଶ ସାଏ । ବଣାଇଁ ତିଲେଇମାଲ ସ୍କୁଲରେ ବିଇଓ ମଧ୍ୟାହ୍ନ ଭୋଜନରେ ପିଲାଙ୍କ ସହ ଭାତ-ଚିକେନ୍ ଖାଇଥିଲେ । ଏନେଇ କନକ ନ୍ୟୁଜରେ ପ୍ରଥମେ ଖବର ପ୍ରସାରଣ ହୋଇଥିଲା । ଏହାପରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ ପଦକ୍ଷେପ ନେଇଛନ୍ତି । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ବିଇଓ ବିନୟ ପ୍ରକାଶଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ଜିଲ୍ଲାପାଳ ।

କୁନି କୁନି ସ୍କୁଲ ପିଲାଙ୍କ ସାମ୍ନାରେ ଶିକ୍ଷକ, ପ୍ରଧାନଶିକ୍ଷକ ଏବଂ ବ୍ଲକ୍ ଶିକ୍ଷା ଅଧିକାରୀ ଭାତ, ଚିକେନ୍, ସାଲାଟ୍ ଖାଉଥିବେ ଏବଂ ପିଲାଙ୍କୁ ପରସି ଦିଆଯାଇଥିବ ଭାତ-ଡାଲି । ଏହି କୁନି କୁନି ପିଲାଙ୍କ ଭିତରେ କ’ଣ ବିତୁଥିବ ସେନେଇ ଏକ ସମ୍ବେଦନଶୀଳ ଘଟଣା ଲୋକଙ୍କୁ ବିଚଳିତ କରିଥିଲା । ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ କେମିତି ଚାଲିଛି ତଦାରଖ ପାଇଁ ଆସିଥିବା ବଣେଇ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ କିଭଳି ଚିକେନ୍ ବାଢ଼ି ଦିଆଯାଇଥିଲା ସେନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ଅନ୍ୟପଟେ ଜଣେ ସରକାରୀ ଅଫିସରଙ୍କୁ କୁନି କୁନି ପିଲା ସାମ୍ନାରେ କିଭଳି ଚିକେନ୍ ପରସା ଗଲା ଆଉ ତାଙ୍କୁ କ’ଣ ପାଇଁ ଭବ୍ୟ ସ୍ୱାଗତ କରଗଲା ସେନେଇ କନକ ନ୍ୟୁଜରେ ଖବର ପ୍ରସାରିତ ହୋଇଥିବା ଜିଲ୍ଲାପାଳଙ୍କ ଚିଠିରେ ଉଲ୍ଲେଖ ରହିଛି । ଏବଂ ଏହି ଖବର ପରେ ସେ ବିଇଓଙ୍କୁ ନିଲମ୍ବିତ କରିଥିବା ଜିଲ୍ଲା କାର୍ଯ୍ୟାଳୟ ତରଫରୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।