କନକ ବ୍ୟୁରୋ : ମୁମ୍ବାଇ ବିମାନ ବନ୍ଦରରୁ ଉଡ଼ାଣ ଭରିବାକୁ ଥିବା ଏକ ଇଣ୍ଡିଗୋ ବିମାନ ଭିତରେ ଜନୈକା ବିମାନ ପରିଚାଳିକାଙ୍କ ପ୍ରତି ଅଶାଳୀନ ଆଚରଣ କରିବା ଘଟଣା ଜନୈକ ବିମାନ ଯାତ୍ରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ସଂପୃକ୍ତ ବିମାନ ଯାତ୍ରୀଙ୍କ ଏହି ଅପରାଧ ପାଇଁ ତାଙ୍କୁ ବିମାନ ଭିତରୁ ବାହାର କରି ଦିଆଯିବା ସହ ବିମାନ ବନ୍ଦରର ସୁରକ୍ଷା କର୍ମୀମାନେ ତାଙ୍କୁ ଗିରଫ କରିଛନ୍ତି। ପରେ, ତାଙ୍କର ଜାମିନ ଆବେଦନ ଖାରଜ ହୋଇଯିବା ପରେ ତାଙ୍କୁ ଏବେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆ ଯାଇଛି। ସଂପୃକ୍ତ ଅଭିଯୁକ୍ତ ବିମାନ ଯାତ୍ରୀଙ୍କ ନାମ ରାଜୁ ଗଙ୍ଗାପ୍ପା ଏବଂ ତାଙ୍କ ଘର ବେଙ୍ଗାଲୁରୁରେ ବୋଲି ଜାଣିବାକୁ ମିଳିଛି।
Kanak News is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ଯାତ୍ରୀ ରାଜୁ ଗଙ୍ଗାପ୍ପା ମୁମ୍ବାଇ ବିମାନ ବନ୍ଦରରୁ ଉଡ଼ାଣ ଭରିବାକୁ ଥିବା ଇଣ୍ଡିଗୋର ଏକ ବିମାନରେ ଯାତ୍ରା କରିବା ପାଇଁ ବିମାନରେ ସବାର ହୋଇଥିଲେ। ବିମାନଟି ଉଡ଼ାଣ ଭରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବିମାନ ଭିତରେ ତାଙ୍କ କଡ଼ ଦେଇ ଯାଉଥିବା ଜନୈକା ମହିଳା ବିମାନ ପରିଚାଳିକାଙ୍କ ନିତମ୍ବକୁ ସେ ଅଶାଳୀନ ଭାବେ ସ୍ପର୍ଶ କରିଥିଲେ। ତେବେ, ମହିଳା ବିମାନ ପରିଚାଳିକା ଜଣଙ୍କ ଏ ଘଟଣାର ପ୍ରତିବାଦ କରିବାରୁ ସେ ତାଙ୍କ ସହ ଓଲଟା ଯୁକ୍ତତର୍କ କରିବା ସହ ତାଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ। ପରେ ପୀଡ଼ିତା ମହିଳା ବିମାନ ପରିଚାଳିକା ଜଣଙ୍କ ଘଟଣା ସମ୍ପର୍କରେ ବିମାନ ମଧ୍ୟରେ ଥିବା ତାଙ୍କର ଅନ୍ୟ ସହକର୍ମୀମାନଙ୍କୁ ଜଣାଇବା ପରେ ସମସ୍ତେ ମିଶି ତାଙ୍କୁ ବିମାନ ଭିତରୁ ବାହାର କରିଦେବା ସହ ବିମାନ ବନ୍ଦର ସୁରକ୍ଷା ଦାୟିତ୍ୱରେ ରହିଥିବା ସିଆଇଏସ୍ଏଫ୍ ଯବାନଙ୍କ ହାତରେ ତାଙ୍କୁ ଗିରଫ କରାଇଥିଲେ।