ବେଙ୍ଗାଲୁରୁ କ୍ଲବ ଲକରରୁ ମିଳିଲା ୫୦୦କୋଟି: ୮କୋଟିର ହୀରା, ୬୫୦ ଗ୍ରାମ ସୁନା ବିସ୍କୁଟ ଜବତ କଲା ଆୟକର ବିଭାଗ

40

କନକ ବ୍ୟୁରୋ: କ୍ଲବ ଲକରରୁ ଠାବ ହେଲା ୫ଶହ କୋଟିର ସଂପତି । ବେଙ୍ଗାଲୁରୁ ସେଂଟ ମାର୍କସ ରୋଡରେ ଥିବା ବାଓରିଙ୍ଗ ଇନଷ୍ଟିଚ୍ୟୁଟ୍ ନାମକ ଏକ ବିଳାସପୂର୍ଣ୍ଣ କ୍ଲବ ପରିସରରୁ ଏତେ ପରିମାଣର ଟଙ୍କା ଜବତ କରିଛି ଆୟକର ବିଭାଗ । କ୍ଲବର ୩ଟି ଲକରରୁ ହୀରା, ସୁନା ବିସ୍କୁଟ, ବିଦେଶୀ ମୁଦ୍ରା, କୋଟି କୋଟି ନଗଦ ଟଙ୍କା, ଚେକ୍ ଓ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ଜବତ କରାଯାଇଛି ।

ଆୟକର ବିଭାଗ ହାତରେ ଲାଗିଛି, ୭ କୋଟି ୮୦ ଲକ୍ଷର ହୀରା, ୬୫୦ ଗ୍ରାମର ସୁନା, ୫ କୋଟି ୭୦ ଲକ୍ଷର ନଗଦ ଟଙ୍କା, କୋଟିଏ ୮୦ ଲକ୍ଷର ୨ ହଜାର ଟଙ୍କିଆ ନୋଟ, ୩ କୋଟି ୯୦ ଲକ୍ଷର ବିଦେଶୀ ମୁଦ୍ରା । ଏହାସହ କୋଟି କୋଟି ଟଙ୍କା ମୂଲ୍ୟର ଚେକ୍, ସମ୍ପତି ଦସ୍ତାବିଜ୍ ଓ ଦାମୀ ଘଂଟା ମଧ୍ୟ କ୍ଲବ ଲକରରୁ ଜବତ କରିଛି ଆୟକର ବିଭାଗ । ଆଉ ଏସବୁ ସମ୍ପତି ଜଣେ ୪୫ ବର୍ଷୀୟ ରିୟଲ ଇଷ୍ଟେଟ୍ ବ୍ୟବସାୟୀଙ୍କର ବୋଲି ଜଣାପଡିଛି । ବ୍ୟବସାୟୀ ଅବିନାଶ ଅମରଲାଲ କୁକରେଜାଙ୍କୁ ଏନେଇ ଅଧିକ ପଚରାଉଚରା କରୁଛନ୍ତି ଆୟକର ବିଭାଗର ଅଧିକାରୀ ।ତେବେ ବାଓରିଙ୍ଗ ଇନଷ୍ଟିଚ୍ୟୁଟ୍ କ୍ଲବଟି ଦେଢଶହ ବର୍ଷର ପୂରୁଣା ହୋଇଥିବା ବେଳେ ଏହାର ସଦସ୍ୟ ସଂଖ୍ୟା ରହିଛି ୧୦ ହଜାର । ଏଥିରେ ଅବିନାଶଙ୍କ ବାପା ୧୯୯୩ ମସିହାର ସଦସ୍ୟ ଭାବେ ରହିଛନ୍ତି । ଏହି କ୍ଲବର ମୋଟ ୬୭୨ଟି ଲକର ରହିଛି ।

କେମିତି ଠାବ ହେଲା

କ୍ଲବ୍‌ ପକ୍ଷରୁ ଅଣପଞ୍ଜୀକୃତ ଲକର ଗୁଡ଼ିକର ପଞ୍ଜୀକରଣ ଅଭିଯାନ ଆରମ୍ଭ ହୋଇଥିଲା। ବାରମ୍ବାର ସୂଚନା ଦେବା ସତ୍ତ୍ୱେ ଯେଉଁମାନେ ଲକାର୍‌ର ପଞ୍ଜୀକରଣ ପାଇଁ ଆସି ନଥିଲେ ସେମାନଙ୍କ ଲକର୍‌ ଖୋଲିବାକୁ କ୍ଲବ କର୍ତ୍ତୃପକ୍ଷ ନିକଟରେ ନଷ୍ପତ୍ତି ନେଇଥିଲେ। କ୍ଲବ ପରିସରସ୍ଥ ବିଲିୟାର୍ଡ ସେକ୍ସନରେ ଥିବା ଲକର୍‌ ଗୁଡ଼ିକ ପ୍ରଥମେ ଖୋଲାଯାଇଥିଲା। ତେବେ ସେଠାରୁ ଅଧିକ କିଛି ସମ୍ପତ୍ତି ମିଳି ନଥିଲା। ବ୍ୟାଡମିଣ୍ଟନ କୋର୍ଟ ନିକଟରେ ପଞ୍ଜୀକରଣ ହୋଇ ନଥିବା ୧୨୬ଟି ଲକର ମଧ୍ୟ ଖୋଲାଯାଇଥିଲା। ଏଠାରେ ୩ଟି ଲକରରୁ ୬ଟି ଓଜନିଆ ବ୍ୟାଗ୍‌ର ସନ୍ଧାନ ମିଳିଥିଲା। ଏହି ବ୍ୟାଗଗୁଡ଼ିକ ଲକର୍‌ ନମ୍ବର ୬୯, ୭୧ ଏବଂ ୭୮ରେ ରହିଥିଲା। ତେବେ ସମ୍ପତ୍ତି ଜବତ ହେବାବେଳକୁ ଏସବୁ ତାଙ୍କ ସମ୍ପତ୍ତି ବୋଲି ଅବିନାଶ ଦାବି କରିଥିଲେ।

ଲକରରେ ଥିବା ଓଜନିଆ ବ୍ୟାଗ ଗୁଡ଼ିକ ମିଳିବା ପରେ କ୍ଲବ୍‌ର କର୍ମଚାରୀମାନେ କ୍ଲବର ସମ୍ପାଦକ ଶ୍ରୀକାନ୍ତଙ୍କୁ ଏ ନେଇ ଅବଗତ କରାଇଥିଲେ। ସେସବୁ ବ୍ୟାଗକୁ ଚାମ୍ବର ଭିତରେ ରଖି ରୁମ୍‌କୁ ଚାବି ପକାଇଦେବାକୁ ସମ୍ପାଦକ କହିଥିଲେ। ଶନିବାର ଦିନ କ୍ଲବ ପକ୍ଷରୁ ଏ ନେଇ ପୁଲିସକୁ ସୂଚନା ଦିଆଯାଇଥିଲା। ବେଙ୍ଗାଲୁରୁ ସେଣ୍ଟ୍ରାଲର ଡିସିପିଙ୍କ ନିର୍ଦ୍ଦେଶ ପରେ କ୍ୟୁବନ୍‌ ପାର୍କ ଥାନାର ଇନ୍ସପେକ୍ଟର ଅଜୟ ରେଡ୍ଡୀ କ୍ଲବ୍‌କୁ ଆସି ବ୍ୟାଗ ଖୋଲିବା ପରେ ସେଥିରୁ ଟଙ୍କା, ସୁନା, ହୀରା ଏବଂ ଅନ୍ୟାନ ଦସ୍ତାବିଜ୍‌ ମିଳିଥିଲା। ଆୟକର ବିଭାଗକୁ ଏ ନେଇ ପୂର୍ବରୁ ସୂଚନା ମଧ୍ୟ ଦିଆଯାଇଥିଲା। ଆୟକର ବିଭାଗର ଅଧିକାରୀମାନେ ଆସିବା ସହିତ ସମସ୍ତ ୬ଟି ବ୍ୟାଗ୍‌କୁ ସିଲ୍‌ କରିଥିଲେ। ଆକଳନ ଏବଂ ତଦନ୍ତ ପାଇଁ ଆୟକର ବିଭାଗ ଏହି ବ୍ୟାଗ୍‌ ଖୋଲିଥିଲା। ଏହାପରେ ବ୍ୟାଗରୁ ଆଖି ତରାଟି ଦେବା ଭଳି ସମ୍ପତ୍ତି ମିଳିଥିଲା। ଆୟକର ବିଭାଗର ୫ ଜଣ ଅଧିକାରୀ ଏହାର ଖୋଳତାଡ଼ ଚଳାଇଛନ୍ତି।