ଶାହଙ୍କ ଓଡିଶା ଗସ୍ତ ପରେ ଚର୍ଚ୍ଚା : ବଙ୍ଗୀୟ ଭୋଟରଙ୍କ ଉପରେ ସମସ୍ତଙ୍କ ନଜର । କାହା ସପକ୍ଷରେ ଯିବ ତାଙ୍କ ଭୋଟ୍
କିଛି ଦିନ ତଳେ ବିଜେଡି ସୁପ୍ରିମୋ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବଂ ଗତକାଲି ବିଜେପି ରାଷ୍ଟ୍ରୀୟ ସଭାପତିଙ୍କ ଗସ୍ତ ପରେ ସମସ୍ତଙ୍କ ନଜର ଏବେ ବଙ୍ଗୀୟ ଭୋଟରଙ୍କ ଉପରେ ରହିଛି। ନିର୍ବାଚନରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଏହି ଭୋଟର କାହା ସପକ୍ଷରେ ଭୋଟଦେବେ, ତାହାକୁ ନେଇ ଅବଗଣନା ଆରମ୍ଭ ହୋଇଛି। ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତା ଇନ୍ଦିରା ଗାନ୍ଧୀଙ୍କ ସମୟରେ ବାଂଲାଦେଶୀ ଶରଣାର୍ଥୀଙ୍କୁ ନବରଙ୍ଗପୁର ଜିଲ୍ଲାର ଉମରକୋଟ ଓ ରାଇଘର ବ୍ଲକର ବିଭିନ୍ନ ଡିଏନକେ ଗାଁରେ ଥଇଥାନ କରାଯାଇଥିଲା। ରହିବା ପାଇଁ ୫ସେଣ୍ଟ ଘର ଡିହ ଓ ଚାଷ ପାଇଁ ୪ଏକର ଲେଖାଏଁ ଜମି ଦିଆଯାଇଥିଲା। ସେହି ସମୟରେ ପରିଚୟ ପତ୍ର ଭାବେ (ବ୍ଲାକ୍ ବୁକ୍) କଳା ବହି ପ୍ରଦାନ କରାଯାଇଥିଲା। ଏହାବ୍ୟତୀତ ଅନୁସୂଚିତ ଜାତି ବର୍ଗରେ ସମସ୍ତଙ୍କୁ ସାମିଲ କରି ୫୦ବର୍ଷ ପାଇଁ ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବାକୁ ବ୍ୟବସ୍ଥା ହୋଇଥିଲା।
Kanak News is now on WhatsApp
Join and get latest news updates delivered to you via WhatsApp
ଇତି ମଧ୍ୟରେ ବଙ୍ଗୀୟ ପରିବାର ଏବଂ ଲୋକସଂଖ୍ୟା ବହୁ ପରିମାଣରେ ବୃଦ୍ଧି ପାଇଛି। ଉମରକୋଟ ବ୍ଲକର କାରାଗାଁ, ମହୁଲି, ଖୁଦୁଗୁଡା, ଜାମରୁଣ୍ଡା, ଅଧିକାରୀଗୁଡା, ଖାଣ୍ଡା, ସିଲାଟି, ଇନ୍ଦ୍ରପୁରୀ, ସ୍ବର୍ଣ୍ଣପୂରୀ, ବଡକୁମାରୀ ଓ ସାନକୁମାରୀ ଆଦି ୧୩ଟି ଗାଁ ଏବଂ ରାଇଘର ବ୍ଲକର ସରଗୁଲି, କୁମୁଲି, କୋଚରାପାରା -୧, କୋଚରାପାରା-୨, ଡୁମୁରିମୁଣ୍ଡା, କ୍ରିଷ୍ଣା ନଗର, ଗୁରୁସିଙ୍ଗା, ବୁଡ୍ରାପାରା, ମୋହଣ୍ଡି, ତଳମୋହଣ୍ଡି, ଉଦୟପୁର, ପୋରବାଲା-୨, ପୋରବେଲା-୧, କୋଚରାପାରା -୩, ଯୋଡିଙ୍ଗା, କେବିକଙ୍ଗା, ପରଚିପାରା, ଟୁରୁଡିହି, ଜଲାଙ୍ଗପାରା, ଦାଶପୁର, ତୋଳଦାସପୁର, ବିରିପୁର, ହାତିବେଣା, ନାକଟିସିମଡା, କୁସମୁପୁର, ସୋନେପୁର, ଭାରଷୁଣ୍ଡି, ଛଟାବେଡା ଆଦି ୩୨ଟି ଗାଁରେ ଏମାନେ ବସତି ସ୍ଥାପନ କରିଛନ୍ତି। ରାଇଘର ବ୍ଲକରେ ବଙ୍ଗୀୟ ଭାଷାଭାଷୀ ଭୋଟରଙ୍କ ସଂଖ୍ୟା ପ୍ରାୟ ୨୨ହଜାର ହେବ। ସେହିପରି ଉମରକୋଟରେ ରହୁଥିବା ୧୨ଟି ବଙ୍ଗୀୟ ଗ୍ରାମର ଭୋଟରଙ୍କ ସଂଖ୍ୟା ପ୍ରାୟ ୭ହଜାର ହେବ। କିଛି ମାସ ତଳେ ବିଜେଡି ବଙ୍ଗୀୟ ଭୋଟରଙ୍କୁ ହାତେଇବା ପାଇଁ ବଙ୍ଗୀୟ କମିଟି ଗଠନ କରାଯାଇଥିଲା। ଏହି କମିଟି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିଜ ଦାବି ରଖିଥିଲେ। ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉମରକୋଟରେ ଅନୁଷ୍ଠିତ ମହିଳା ସମାବେଶରେ ଯୋଗଦେଇ ବଙ୍ଗୀୟ ଭାଷାଭାଷୀଙ୍କ ସମସ୍ୟାର ସମାଧାନ ପାଇଁ ସ୍ବତନ୍ତ୍ର ଦୃଷ୍ଟି ରଖିଛନ୍ତି ବୋଲି ଉଦବୋଧନ ଦେଇଥିଲେ।
ଏହାପରେ ଶରଣାର୍ଥୀ କାର୍ଡ ଖେଳିଛି ବିଜେପି। ବଙ୍ଗୀୟ ଭୋଟରଙ୍କୁ ନିଜ ପକ୍ଷରେ ନେବା ପାଇଁ ଗତକାଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବିଜେପି ସରକାର ଆସୁ ଆସୁ ସଂସଦରେ ବିଲ୍ ଆଣି ବଙ୍ଗୀୟ ଶରଣାର୍ଥୀଙ୍କୁ ନାଗରିକତ୍ବ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏମିତି ଦୁଇ ଦଳର ଛକାପଞ୍ଝା ମଧ୍ୟରେ କଂଗ୍ରେସ ଚୁପ୍ ବସିନି। ପୂର୍ବତନ ସାଂସଦ ପ୍ରଦୀପ ମାଝୀ ନିର୍ବାଚିତ ହେଲେ ଅନୁସୂଚିତ ବର୍ଗ ବଳବତ୍ତର ରଖିବା ସହ ସମସ୍ୟା ଦୂର କରିବା ପାଇଁ ପଦକ୍ଷେପ ନେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଫଳରେ, ବଙ୍ଗୀୟ ଭୋଟର କାହାକୁ ନିଜ ଭୋଟଦେବେ, ତାହାକୁ ନେଇ ରୋମାଞ୍ଚ ବଢ଼ିଯାଇଛି।