ଚାଷୀଙ୍କ ପାଇଁ ପୁଣି ଆସୁଛି କାଳିଆ ଟଙ୍କା । ୧୫ରେ ଭୂମିହୀନ, ୨୨ରେ କ୍ଷୁଦ୍ର ଚାଷୀ ପାଇବେ ପ୍ରୋତ୍ସାହନ ରାଶି

515

କନକ ବ୍ୟୁରୋ: ଚାଷୀଙ୍କ ଅକାଉଂଟକୁ ପୁଣି ଆସୁଛି କାଳିଆ ଟଙ୍କା । ଆସନ୍ତା ୨୨ ତାରିଖ ଚାଷୀଙ୍କୁ ମିଳିପାରେ ଦ୍ୱିତୀୟ ପର୍ଯ୍ୟାୟ କାଳିଆ ଟଙ୍କା । ଏଥିରେ ପ୍ରାୟ ୧୪ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ । ସେହିପରି ଭୂମିହୀନ ଚାଷୀଙ୍କ ଖାତାକୁ ଆସନ୍ତା ୧୫ ତାରିଖରେ ପ୍ରୋତ୍ସାହନ ରାଶି ପଠାଇବେ ରାଜ୍ୟ ସରକାର । ପ୍ରଥମ ପର୍ଯ୍ୟାୟରେ ୪ରୁ ୫ଲକ୍ଷ ଭୂମିହୀନ ଚାଷୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପଠାଇବେ । ଆଉ ଏସବୁ ଭିତରେ ପିଏମ୍ କିଷାନ୍ ଯୋଜନାରେ ଓଡ଼ିଶା ଚାଷୀଙ୍କୁ କେବେ ମିଳିବ ଟଙ୍କା ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ପ୍ରଥମ ପର୍ଯ୍ୟାୟରେ ଚାଷୀଙ୍କ ଆକାଉଂଟକୁ ସଫଳତାର ସହ କାଳିଆ ଟଙ୍କା ପହଂଚିବା ପରେ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ପଠାଇବା ପାଇଁ ପ୍ରକ୍ରିୟା ଚୁଡାନ୍ତ ହୋଇଛି । ସେହିପରି ଭୂମିହୀନ ଚାଷୀଙ୍କ ଜୀବନଧାରଣ ପାଇଁ ଘୋଷଣା ହୋଇଥିବା ସହାୟତା ରାଶି ଚାଷୀଙ୍କ ଖାତାକୁ ଯିବ ।

-ପ୍ରଥମରେ ୪ରୁ ୫ଲକ୍ଷ ଭୂମିହୀନ ଚାଷୀଙ୍କୁ ମିଳିବ ୫ହଜାର ଲେଖାଏଁ ପ୍ରୋତ୍ସାହନ ରାଶି

-ଆସନ୍ତା ୧୫ ତାରିଖରେ ଭୂମିହୀନ ଚାଷୀଙ୍କ ଖାତାକୁ ଯିବ ସହାୟତା ରାଶି

-୧୩ରୁ ୧୪ ଲକ୍ଷ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଦ୍ୱିତୀୟ ପର୍ଯ୍ୟାୟରେ ପାଇବେ କାଳିଆ ଟଙ୍କା

– ଆସନ୍ତା ୨୨ ତାରିଖ ଚାଷୀଙ୍କୁ ମିଳିପାରେ ଦ୍ୱିତୀୟ ପର୍ଯ୍ୟାୟ କାଳିଆ ଟଙ୍କା

କାଳିଆ ଯୋଜନାରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ୫ ହଜାର ଟଙ୍କାର ଗୋଟିଏ କିସ୍ତି ଟଙ୍କା ପାଇସାରିଥିବା ବେଳେ ଭୂମିହୀନ ଚାଷୀଙ୍କୁ ୧୫ ତାରିଖରେ ମିଳିବ ପ୍ରଥମ ପର୍ଯ୍ୟାୟ ଟଙ୍କା ।

-ଭୂମିହୀନ ଚାଷୀଙ୍କୁ ଜୀବନଧାରଣ ପାଇଁ ପ୍ରଥମ ପର୍ଯ୍ୟାୟରେ ମିଳିବ ୫ ହଜାର ଟଙ୍କା

– ପର୍ଯ୍ୟାୟକ୍ରମେ ଭୂମିହୀନ ଚାଷୀଙ୍କୁ ମିଳିବ ମୋଟ ୧୨ ହଜାର ୫ଶହ ଟଙ୍କା

– ଚାଷୀମାନେ ଏହି ଟଙ୍କାରେ ଛେଳି, ବତକ, କୁକୁଡ଼ା, ଛତୁ ଏବଂ ମହୁ ଚାଷ କରିପାରିବେ

– ଜୀବନଧାରଣ ପାଇଁ ୭ଟି କ୍ଷେତ୍ରରେ ଏହି ଟଙ୍କାକୁ ବିନିଯୋଗ କରିପାରିବେ ଚାଷୀ

– ନିଜ ପସନ୍ଦ ଏବଂ ସୁବିଧା ମୁତାବକ ଟଙ୍କାକୁ ବିନିଯୋଗ କରିପାରିବେ ଭୂମିହୀନ ଚାଷୀ

ଏପଟେ ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନାକୁ ରାଜ୍ୟ ସରକାର ସ୍ୱାଗତ କରିବା ସହ ଏଥିରେ ଭୂମିହୀନ ଚାଷୀଙ୍କୁ ସାମିଲ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯାହା ଉପରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା । ଅନ୍ୟପଟେ ରାଜ୍ୟ ସରକାରଙ୍କ ପାଖରେ ଥିବା ତଥ୍ୟ ଅନୁସାରେ କେନ୍ଦ୍ରୀୟ ଯୋଜନା ଲାଗୁ କରିବାରେ ଅସୁବିଧା ନାହିଁ କହିଛନ୍ତି ଯୋଗାଣ ମନ୍ତ୍ରୀ ।

ରାଜନୀତିର ଏହି ବୟାନବାଜି ଭିତରେ ଗୋଟିଏ କଥା ସ୍ପଷ୍ଟ ଯେ, ୨୦୧୯ ନିର୍ବାଚନ ପୂର୍ବରୁ ଚାଷୀଙ୍କୁ କୌଣସି ଦଳ ବା ସରକାର ଅସନ୍ତୁଷ୍ଟ କରିବାକୁ ଚାହୁଁନାହଁନ୍ତି । ବୋଧେ ସେଇଥି ପାଇଁ କଂଗ୍ରେସ କୃଷି ଋଣ ଛାଡ କଥା କହୁଥିବା ବେଳେ ବିଜେଡି ଓ ବିଜେପି, ଚାଷୀଙ୍କ ପାଖକୁ ଟଙ୍କା ପଠାଇବା କଥା ଚିନ୍ତା କରିଛନ୍ତି ।