ଜୋତାମୋଜା ଖୋଲି ଜମିରେ ଚାଷ କଲେ ଜିଲ୍ଲାପାଳ : ହଳ ଚଳାଇବା ସହ ବିହନ ବୁଣିଲେ ବଡ଼ ବାବୁ

273

କନକ ବ୍ୟୁରୋ : ବର୍ଷା ଋତୁ ଆରମ୍ଭ ହୋଇଯାଇଛି । ବିଳମ୍ବରେ ମୌସୁମୀ ଆସିବା ଯୋଗୁଁ ଚାଷକାମରେ ବିଳମ୍ବ ହୋଇଛି ସତ ବର୍ଷାକୁ ଦେଖି ଖୁସି ଚଷାପୁଅ । ବର୍ଷ ଜାକର ଖାଦ୍ୟ ସାଇତିବା ପାଇଁ ଆରମ୍ଭ କରିଦେଇଛି ଚାଷକାମ । ଓଦା ଜମି ଦେଖି ସହଳ ସଅଳ ଜମିକୁ ଧାଉଁଛି ଚଷାପୁଅ । ସୁନାର ଫସଲ ପାଇଁ ଏବେ ଚାଷୀ ଭାଇ ଏକଦମ ପ୍ରସ୍ତୁତ । ଏହାରି ଭିତରେ ଦେଖିବାକୁ ମିଳିଛି ନିଆରା ଦୃଶ୍ୟ । ଛତିଶଗଡ଼ର ଜଣେ ଜିଲ୍ଲାପାଳ ଜମିରେ ହଳ କରୁଥିବାର ଦୃଶ୍ୟ ଦେଖିବା ପାଇଁ ମିଳଛି । ଅବିଶ୍ୱସନୀୟ ହେଲେ ମଧ୍ୟ କଥାଟି ସତ ।

ସୂଚନା ଅନୁସାରେ କୃଷକଙ୍କ ସମସ୍ୟା ବୁଝିବା କରିବା ପାଇଁ ବେମତେରା ଜିଲ୍ଲାର ଜିଲ୍ଲାପାଳ ମହାଦେବ କାବରେ ଜମି ଆଡ଼େ ଘେରାଏ ବୁଲିବା ପାଇଁ ବାହାରିଥିଲେ । ଖିଲୋରା ଗାଁ ଦେଇ ଯାଉଥିବାବେଳେ ଚାଷୀ ଦଶରଥ ସାହୁ ଚାଷ କରୁଥିବାର ଦେଖିବାକୁ ପାଇଥିଲେ । ଚଷା ପୁଅ ହଳ ଲଙ୍ଗଳ ଧରି ଚାଷ କରୁଥିବା ଦେଖି ନିଜକୁ ରୋକି ପାରିନଥିଲେ କଲେକ୍ଟର ସାହେବ । ଚାଷୀଙ୍କୁ ସହଯୋଗ କରିବାକୁ ନିଜ ଗାଡ଼ିରୁ ଓହ୍ଲାଇପଡ଼ିଥିଲେ ଜିଲ୍ଲାପାଳ । ଜୋତାମୋଜା ଖୋଲି କାଦୁଅ ପଚପଚ ଚାଷ ଜମିରେ ପଶି ହଳ ବୁଲାଇଥିଲେ । ବଳଦ ଓ ଲଙ୍ଗଳ ସହାୟତରେ ଜମିରେ ହଳ କରିଥିଲେ । ବାବୁ ଜଣକ କେବଳ ଜମିରେ ହଳ କରିନାହାନ୍ତି ବରଂ ବିହନ ମଧ୍ୟ ବୁଣିଛନ୍ତି ।

ବଡ଼ ବାବୁ ନିଜେ ହଳକରି ଦେଢ଼ କିଲୋର ସୋୟାବିନ ମଞ୍ଜି ମଧ୍ୟ କ୍ଷେତରେ ବୁଣିଛନ୍ତି । ଜିଲ୍ଲାପାଳଙ୍କ ଏହି କାମ ପାଇଁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟୁଛି । ଚାଷୀ ଦଶରଥ କହିଛନ୍ତି ଜିଲ୍ଲାପାଳ ବହୁତ ଭଲ ଭାବେ ଚାଷ କରିଛନ୍ତି । ଭଲ ସୋୟାବିନର ଉତ୍ପାଦନର ଆଶା ରଖିଛନ୍ତି ଦଶରଥ । ତାଙ୍କ ଭଳି ଜଣେ ବଡ ଅଧିକାରୀ ଏଭଳି କରିବା ବହୁତ ଖୁସି ଦେଇଛି । ଏହା ବ୍ୟତୀତ ଜିଲ୍ଲାପାଳ ମହାଦେବ କାବରେ କୃଷି ସମ୍ମନ୍ଧୀୟ ଯେକୌଣସି ସମସ୍ୟା ଥିଲେ ଜଣାଇବା ପାଇଁ ମଧ୍ୟ କହିଛନ୍ତି ।