ବେଗୁନିଆ ବିଧାୟକଙ୍କ ପାଇଁ ଥାନାରେ ଲଙ୍କାକାଣ୍ଡ! ଉତ୍ୟକ୍ତ ଲୋକ ଭାଙ୍ଗିଲେ ଥାନା

192

କନକ ବ୍ୟୁରୋ : ବିଧାୟକଙ୍କ ବିରୋଧରେ ତେଜିଲା ଜନଅସନ୍ତୋଷ । ବେଗୁନିଆ ବିଧାୟକ ଓ ପୋଲିସ ମଧ୍ୟରେ ଥିବା ସଲାସୁତୁରା ଯୋଗୁଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଉତ୍ୟକ୍ତ ଲୋକେ ବେଗୁନିଆ ଥାନା ଘେରାଉ କରିବା ସହ ଘଟାଇଛନ୍ତି ଲଙ୍କାକାଣ୍ଡ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ପୂର୍ବତନ ସରପଂଚଙ୍କୁ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଦୁର୍ବ୍ୟବହାର ପ୍ରସଙ୍ଗରେ ଥାନାରେ ବାରମ୍ବାର ଅଭିଯୋଗ ହୋଇଥିଲା । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ପୋଲିସ ବିରୋଧରେ ପ୍ରତିବାଦକୁ ଜୋରଦାର କରିଛନ୍ତି ଜନତା । ସେପଟେ ଏନେଇ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ମେଳି । ବିଧାୟକ ଓ ପୁଲିସ ମଧ୍ୟରେ ସଲାସୁତୁରା ଅଭିଯୋଗ । ବିଧାୟକଙ୍କୁ ଗିରଫ କରିବା ଦାବିରେ ଶହ ଶହ ଲୋକ ଏକାଠି ହୋଇ ଥାନା ଆଡକୁ ମାଡି ଆସିଥିଲେ । ଭିଡ଼ ଆଗରେ ଅସହାୟ ହୋଇ ପଡିଥିଲା ପୋଲିସ । ଥାନା ଘେରାଉ କରିବା ସହ ଥାନା ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ ଉତ୍ୟକ୍ତ ଲୋକ । କେବଳ ସେତିକି ନୁହେଁ ଏସଡିପିଓଙ୍କ ଗାଡ଼ି ଉପରେ ମଧ୍ୟ ଆକ୍ରମଣ ହୋଇଥିଲା ।

ପୂର୍ବତନ ସରପଂଚ ନବକିଶୋର ସ୍ୱାଇଁଙ୍କୁ ବିଧାୟକ ପ୍ରଶାନ୍ତ ଜଗଦେବ ଦୁର୍ବ୍ୟବହାର କରିବା ସହ ଧମକ ଚମକ ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ଏ ନେଇ ଜାନୁଆରୀ ଥାନାରେ ମଧ୍ୟ ଏତଲା ଦିଆଯାଇଥିଲା । ବାରମ୍ବାର ଅଭିଯୋଗ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ପ୍ରତିବାଦରେ ଏକାଠି ହୋଇଥିଲେ ସ୍ଥାନୀୟ ଲୋକ ।

ସେପଟେ ଥାନାରେ ଭଙ୍ଗାରୁଜା ଘଟଣା ୬ ଜଣରୁ ଅଧିକ ଲୋକଙ୍କୁ ଗିରଫ କରିଛି ପୋଲିସ । ଏଭଳି କାଣ୍ଡରେ ଯେଉଁମାନେ ସଂପୃକ୍ତ ସେମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଖୋର୍ଦ୍ଧା ଏସପି । ବିଧାୟକଙ୍କ ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ଛକାପଂଝା ଲାଗିରହିଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଚାପା ଉତେଜନା ସୃଷ୍ଟି ହୋଇଛି ।