ମ୍ୟାଡମଙ୍କୁ ମାଡ ! ବିଜେଡି ବିଧାୟକଙ୍କ ବାହୁବଳୀ ନାଟକରେ ଯୋଡି ହେଲା ଆଉ ଏକ ଅଧ୍ୟାୟ

22

ବୋଲଗଡ : ମହିଳା ତହସିଲଦାରଙ୍କୁ ମାରିଲେ ବାହୁବଳୀ ବିଧାୟକ । ଏମିତି ଏକ ସାଂଘାତିକ୍ ଅଭିଯୋଗ ଆସିଛି ବେଗୁନିଆ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ନାଁରେ । ତେବେ ବିଧାୟକ ଏ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏପରିକି ଆଜି ତହସିଲ ଅଫିସ କର୍ମଚାରୀ ବିଧାୟକଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ବେଳେ ମିଛ ଅଭିଯୋଗ କହି ବିଧାୟକଙ୍କ ସମର୍ଥକମାନେ ମଧ୍ୟ ପ୍ରତିବାଦ ଜଣାଇଛନ୍ତି ।

ବିବାଦୀୟ ଘର ଭଙ୍ଗାକୁ ନେଇ ଜନ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ବିବାଦ ହୋଇଥିଲା । ମାଜିଷ୍ଟ୍ରେଟଙ୍କୁ ଧମକ୍ ମଧ୍ୟ ଦେଇଥିଲେ ଏମଏଲଏ । ଅନ୍ଧାର ରାତିରେ ହୋଇଥିଲା ଇଗୋ ୱାର୍ । ତେବେ କଥା କଟାକଟି ଭିତରେ ଲଣ୍ଠନକୁ କଚାଡି ଦେଲେ ବିଧାୟକ । ଆଉ ବାହୁବଳୀଙ୍କ ରାଗରେ ଘାଇଲା ହେଲେ ତହସିଲଦାର୍ । ପ୍ରଶାନ୍ତ ଜଗଦେବ୍ ଓ ନିହାରିକା ନାୟକଙ୍କ ମଧ୍ୟରେ କେମିତି ଚାଲିଥିଲା ବଚସା ତାର ପ୍ରମାଣ ଲାଗିଛି କନକ ନ୍ୟୁଜ୍ ହାତରେ ।

ତେବେ ରାତିର ଏହି ବିବାଦକୁ ନେଇ ଆଜି ତମାମ୍ ବୋଲଗଡ ଥିଲା ଚଳଚଂଚଳ । ମ୍ୟାଡମଙ୍କୁ ମାଡ । ଏହାକୁ ବିରୋଧ କରି ତହସିଲ୍ କର୍ମଚାରୀ ଅଫିସ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଧାରଣାରୁ ଉଠିଥିଲେ କର୍ମଚାରୀ । ଏହାପରେ ତହସିଲଦାର୍ ମିଛ କହୁଛନ୍ତି କହି ବିକ୍ଷୋଭ ପ୍ରଦର୍ଶନ କରୁଥିଲେ ବିଧାୟକଙ୍କ ସମର୍ଥକ । ତେବେ ସତ କଣ , ଶୁଣନ୍ତୁ ଆକ୍ରମଣର ଶିକାର ହୋଇଥିବା ତହସିଲଦାରଙ୍କ ମୁହଁରୁ ।

ଏଇ କିଛି ମାସ ହେଲା ଚର୍ଚ୍ଚାରେ ରହିଛି ବିଧାୟକଙ୍କ ବାହୁବଳୀ ଅବତାର । କେତେବେଳେ ତାଙ୍କ ମାଡରେ ବିଜେପି କର୍ମୀ ଲହୁଲୁହାଣ ହୋଇଛନ୍ତି ତ ପୁଣି କେତେବେଳେ ତାଙ୍କ କଥାବାଣ ନବୀନ ପଟ୍ଟନାୟକଙ୍କ ମଧ୍ୟ ଘାଇଲା କରିଛି । କେବଳ ସେତିକି ନୁହେଁ ନବୀନ୍ ନିବାସରେ ଛିଡା ହେଶଇ ନିଜ କର୍ମୀଙ୍କୁ ଦେଇଛନ୍ତି ରକ୍ତମୁଖା ହେବାକୁ ପରାମର୍ଶ । ଆଉ ଏବେ ସୀମା ଟପି ମହିଳା ଅଫିସରଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନାହାନ୍ତି ।