ଆଉ ଭିକ ମାଗିବେନି ଭିକାରୀ ! ଥଇଥାନ ପାଇଁ ରାଜ୍ୟ ସରକାର ଦେଲେ ନିର୍ଦ୍ଦେଶ, ଜଗତସିଂହପୁରରେ ଆରମ୍ଭ ହେଲା ଭିକାରୀ ଗଣନା ପ୍ରକ୍ରିୟା

113

କନକ ବ୍ୟୁରୋ : ଜଗତସିଂହପୁର ଜିଲ୍ଲାରେ ଭିକାରୀ ମାନଙ୍କୁ ଥଇଥାନ ପାଇଁ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ଗଣନା ପ୍ରକ୍ରିୟା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଭିନ୍ନ ମନ୍ଦିର ତଥା ଧାର୍ମିକ ପୀଠରୁ ଚିହ୍ନଟ ହୋଇଛନ୍ତି ଭିକାରୀ । ପ୍ରଥମ ପର୍ଯ୍ୟାୟରେ ଶାରୀରିକ ଅକ୍ଷମ ଓ ବୟସ୍କ ଭିକାରୀଙ୍କ ଥଇଥାନ ବ୍ୟବସ୍ଥା ଉପରେ ଦିଆଯାଇଛି ଗୁରତ୍ୱ । ପର୍ଯ୍ୟାୟ କ୍ରମେ ସେମାନଙ୍କୁ ଥଇଥାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସେପଟେ ଭିକାରୀ ମାନେ ବି କହିଛନ୍ତି, ସରକାରୀ ସାହାଯ୍ୟ ମିଳିଲେ ସେମାନେ ଭିକ୍ଷା ବୃତି ଛାଡିଦେବେ ।

vlcsnap-2018-01-06-17h21m55s170ଭିକାରୀଙ୍କୁ ଥଇଥାନ କରିବାକୁ ପଦକ୍ଷେପ । ଜଗତସିଂହପୁର ଜିଲ୍ଲାରେ ହେଲା ଭିକାରୀ ଗଣନା । ପେଟପାଟଣା ପାଇଁ ଏମିତି ଭିକ ମାଗୁଥିବା ଲୋକଙ୍କୁ ଥଇଥାନ ପାଇଁ ଉଦ୍ୟମ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ଶାରଳା ମନ୍ଦିର, ଗୋରେଖନାଥ ମଠ ସହ ଜିଲ୍ଲାର ବିଭିନ୍ନ ଧାର୍ମିକ ପୀଠ ଓ ବସ ଷ୍ଟାଣ୍ଡ ଇତ୍ୟାଦି ସ୍ଥାନରେ ହୋଇଛି ଭିକାରୀ ଗଣନା । ଆଉ ସରକାର ସହଯୋଗର ହାତ ବଢାଇଲେ ଭିକ ମାଗିବା ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବେ ବୋଲି କହିଛନ୍ତି ଭିକାରୀ ମାନେ ।ପ୍ରଥମ ପର୍ଯ୍ୟାୟରେ ଶାରୀରିକ ଅକ୍ଷମ ଓ ବୟସ୍କ ଭିକାରୀଙ୍କ ଥଇଥାନ ବ୍ୟବସ୍ଥା ଉପରେ ଦିଆଯାଇଛି ଗୁରତ୍ୱ । ଭିକ୍ଷା ବୃତି କରୁଥିବା ଭିନ୍ନକ୍ଷମ, ବୃଦ୍ଧ-ବୃଦ୍ଧା, ତଥା ଅସହାୟ ଲୋକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପର୍ଯ୍ୟାୟ କ୍ରମେ ଥଇଥାନ କରାଯିବ ବୋଲି କହିଛନ୍ତି ଜଗତସିଂହପୁର ଜିଲ୍ଲାପାଳ ।

ତେବେ ଅନେକ ଅସହାୟ ଲୋକ ଭିକ ମାଗୁଥିବା ବେଳେ କିଛି ଲୋକ କାର୍ଯ୍ୟକ୍ଷମ ଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ଆଦରି ନେଉଛନ୍ତି ଭିକ୍ଷାବୃତିକୁ । ତେଣୁ ସରକାର ପ୍ରକୃତ ଭିକାରୀଙ୍କୁ ଚିହ୍ନଟ କରି ଥଇଥାନ ବ୍ୟବସ୍ଥା କରିବା ଉଚିତ୍ ବୋଲି ମତ ଦେଇଛନ୍ତି ବୁଦ୍ଧିଜୀବୀ ।କେବଳ ଭିନ୍ନକ୍ଷମ କିମ୍ବା ବୟସ୍କ ନୁହନ୍ତି ଅନେକ କୁନି କୁନି ପଲା ମଧ୍ୟ ଭିକ୍ଷା ବୃତି କରୁଥିବାର ଦେଖାଯାଇଛି । ତେଣୁ ଅନ୍ୟ ଭିକାରୀମାନଙ୍କ ସହ ଏହି କୁନି କୁନି ପିଲାଙ୍କ ଶିକ୍ଷା ଓ ଥଇଥାନ ବ୍ୟବସ୍ଥା କରାଗଲେ ସେମାନେ ବି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରନ୍ତେ । ଏହାପୂର୍ବରୁ ତେଲଙ୍ଗାନାରେ ମଧ୍ୟ ଭିକାରୀଙ୍କୁ ଥଇଥାନ କରିବାକୁ ପଦକ୍ଷେପ ନିଆଯାଇଥିଲା ।