ବାଲେଶ୍ୱର ରାଜନୀତିର ବିରଳ ଦୃଶ୍ୟ ! ପରୀକ୍ଷା ପୂର୍ବରୁ ନାମାଙ୍କନ ଭରିଲେ ପ୍ରାର୍ଥୀ, ପ୍ରତିପକ୍ଷକୁ ଜଣାଇଲେ ଶୁଭେଚ୍ଛା ।

374

କନକ ବ୍ୟୁରୋ: ୨୦୧୯ ଯୁଦ୍ଧ ପାଇଁ ମୈଦାନ ପ୍ରସ୍ତୁତ ଆଉ ଯୋଦ୍ଧା ବି ପ୍ରସ୍ତୁତ । ହେଲେ ରାଜ୍ୟ ରାଜନୀତିରେ କେତେବେଳେ କେଉଁ ରଙ୍ଗ ଲାଗିବ ତାହା ସାଧାରଣ ଲୋକଙ୍କ ବୁଝିବାରେ କାଠିକର ପାଠ । ଆଉ ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ ଆଜି ଏକ ଦୃଶ୍ୟ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି । ଘଟଣାଟି ଏପରିକି- ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ କରିବା ସମୟରେ ସାମ୍ନାସାମ୍ନି ହୋଇଥିଲେ ବାଲେଶ୍ୱର ସଂସଦୀୟ କ୍ଷେତ୍ରର କଂଗ୍ରେସ ଲୋକସଭା ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ଓ ବିଜେପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ । କିନ୍ତୁ ଜଣେ ନବାଗତ ଆଉ ଜଣେ ରାଜନୀତିରେ ଅଭିଜ୍ଞ ନେତା ଯେବେ ସାମ୍ନାସାମ୍ନି ହେଲେ ସେତେବେଳେ ଏମିତି କିଛି ଘଟିଲା ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ।

ମ୍ୟାଚ୍ ପୂର୍ବରୁ ଯେଉଁଭଳି ଯୋଦ୍ଧାମାନେ ନିଜ ନିଜର ପ୍ରତିପକ୍ଷକୁ ଶୁଭେଚ୍ଛା ଜଣାଇବାର ପ୍ରଥା ଦେଖିବାକୁ ମିଳିଥାଏ । ଠିକ୍ ସେହିଭଳି ବାଲେଶ୍ୱରରେ ରାଜନୀତିରେ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ଯେତେବେଳେ ବରିଷ୍ଠ ପ୍ରତାପ ଆଉ କନିଷ୍ଠ ନବଜ୍ୟୋତି ଏକାଠି ହୋଇଥିଲେ ଦୁହେଁ ଦୁହିଁଙ୍କୁ ହାତ ମିଳାଇ ଶୁଭେଚ୍ଛା ଦେଉଥିବା ଘଟଣା କ୍ୟାମେରା ଲେନ୍ସରେ କଏଦ ହୋଇଛି । ଆଉ ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାଜନୀତିରେ ନୂଆ କରି ଇନିଂସ୍ ଖେଳିବାକୁ ଯାଉଥିବା କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ନାମାଙ୍କନ ଭରୁଥିବା ସମୟରେ ବରିଷ୍ଠ ବିଜେପି ବାଲେଶ୍ୱର ଲୋକସଭା ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀଙ୍କୁ ସାମ୍ନାରେ ଦେଖି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏବଂ ପ୍ରତାପ ମଧ୍ୟ ନବଜ୍ୟୋତିଙ୍କୁ ଆଲିଙ୍ଗନ କରି ଯୁଦ୍ଧ ପୂର୍ବରୁ ଅଲ ଦି ବେଷ୍ଟ କହିବା ଘଟଣା ବିଭିନ୍ନ ମହଲର ହଟ୍ ଟପିକ୍ ପାଲଟିଛି ।

ବାଲେଶ୍ୱର ହେଭିୱେଟଙ୍କ ମଧ୍ୟରେ ପିସିସି ସଭାପତିଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ଏକ ବିଶାଳ ରାଲି କରି ଶକ୍ତି ପ୍ରଦର୍ଶନ କରିଛନ୍ତି । ଆଉ ନାମାଙ୍କନ ପତ୍ର ଦାଖଲ କରି କହିଛନ୍ତି ଯେ, ଭୋଟରମାନେ କିଏ ପ୍ରାର୍ଥୀ ଦେଖନ୍ତିନି ପୂର୍ବରୁ କିଏ କେତେ କାମ କରିଛି ତାହାକୁ ତର୍ଜମା କରନ୍ତି ଭୋଟର । ଆମେ ଏହି ଅଞ୍ଚଳ ପାଇଁ ଅନେକ ଯୋଜନା କରିଛୁ ତାହାକୁ କାର୍ଯ୍ୟରେ ପରିଣତ କରିବୁ । ତେଣୁ ବାଲେଶ୍ୱରବାସୀଙ୍କ ଆଶୀର୍ବାଦରେ ଆମେ ନିଶ୍ଚିତ ବିଜୟ ହେବୁ ବୋଲି କହିଛନ୍ତି ନବଜ୍ୟୋତି ।

ସେପଟେ ଏହି ସଂସଦୀୟ କ୍ଷେତ୍ରରୁ ବିଜେପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ରଣହୁଙ୍କାର ଦେଇଛନ୍ତି । ଆଉ ନାମାଙ୍କନ ଭରିବା ପରେ କହିଛନ୍ତି ଯେ, ରାଜ୍ୟର ମାନଚିତ୍ରରୁ ଏବର୍ଷ କଂଗ୍ରେସ ହଜିଯିବ । ସଂସଦରେ ସେମାନଙ୍କୁ ଦୁଇ ଅଙ୍କ ଭିତରେ ସୀମିତ ରଖାଯାଇଛି । ରାଜ୍ୟରେ ମଧ୍ୟ ସେଭଳି ହେବ , ପଦ୍ମ ଫୁଟିବ ଆଉ ଅନ୍ଧାର ଯିବ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି ପ୍ରତାପ । ତେବେ ଯୁଦ୍ଧ ପୂର୍ବରୁ ଦୁହେଁ ଦୁହିଁଙ୍କୁ ଶୁଭେଚ୍ଛା ଜଣାଇବା ଏବଂ ପରେ ଏଭଳି ଆରୋପ ପ୍ରତ୍ୟାରୋପ ହେବା ରାଜ୍ୟ ରାଜନୀତିକୁ ଖୋରାକ ଯୋଗାଇଛି ।