ରାଜ୍ୟ ରାଜନୀତିରେ ଅଦ୍ଭୁତ ନିରବତା । ଗଣତି ପୂର୍ବରୁ ସମସ୍ତେ ଚୁପ , ମେ ୨୩କୁ କରିଛନ୍ତି ଅପେକ୍ଷା : ସମାଲୋଚନା ରାଜନୀତିରେ ପଡିଛି ବିରାମ୍

ବାତ୍ୟା ଫୋନି ଲାଣ୍ଡ ଫଲ୍ କରିବାର ପୂର୍ବ ରାତିରେ ସମୁଦ୍ରକୂଳ ଶାନ୍ତ ଥିଲା

223

କନକ ବ୍ୟୁରୋ : ବାତ୍ୟା ଫୋନି ଲାଣ୍ଡ ଫଲ୍ କରିବାର ପୂର୍ବ ରାତିରେ ସମୁଦ୍ରକୂଳ ଶାନ୍ତ ଥିଲା । ଅର୍ଥାତ ଏହା ଥିଲା ଝଡ଼ ପୂର୍ବରୁ ନିରବତା । ଠିକ୍ ସେହିପରି ନିରବତା ଏବେ ଦେଖିବାକୁ ମିଳିଛି ରାଜ୍ୟ ରାଜନୀତିରେ । କାଉଁଟିଂ ପୂର୍ବରୁ ବିରୋଧୀ ଓ ଶାସକ ଦଳର ନେତାମାନେ ନିରବ ରହିଛନ୍ତି । ବିଶେଷ କରି ଦୁଇ ପ୍ରତିଦ୍ୱନ୍ଦୀ ଦଳ ବିଜେଡି ଓ ବିଜେପି ମଧ୍ୟରେ ଚାଲିଥିବା ସମାଲୋଚନାର ରାଜନୀତି ଏବେ ହଠାତ୍ ନିରବି ଯାଇଛି । ନିର୍ବାଚନ ବେଳର ଗର୍ଜନ ତର୍ଜନ ପୂରା ଶାନ୍ତ ପଡିଯାଇଛି । ତେଣୁ ରାଜ୍ୟ ରାଜନୀତି କେଉଁ ଆଡକୁ ଯାଉଛି, ସେହି ଅଙ୍କ କଷା ଏବେ ଆରମ୍ଭ ହୋଇଛି ।

ରାଜ୍ୟରେ ନିର୍ବାଚନ ଚାଲିଥିବା ବେଳେ ଦୁଇ ପ୍ରତିଦ୍ୱନ୍ଦୀ ବିଜେଡି ଓ ବିଜେପି ମଧ୍ୟରେ ଚାଲିଥିଲା ଜୋରଦାର କଥା କଟାକଟି । ଦୁଇ ପ୍ରତିଦ୍ୱନ୍ଦୀ ଦଳ ପରସ୍ପରକୁ ସମାଲୋଚନା କରିବାର କୌଣସି ସୁଯୋଗ ହାତଛଡ଼ା କରୁନଥିଲେ । ନିର୍ବାଚନ ସରିଗଲା, ଗଣତି ପାଖେଇ ଆସିଲା, ଆଉ ସେହି ସନ୍ଧିକ୍ଷଣରେ ନିରବ ହୋଇ ଯାଇଛନ୍ତି ଶାସକ ଓ ବିରୋଧୀ ଦଳ । ବାତ୍ୟା ଫୋନି ପରବର୍ତି ସ୍ଥିତିରେ ମଧ୍ୟ ଚୁପ୍ ବସିଛି ବିଜେପି । ଦୁଇ ଦଳର ପ୍ରମୁଖ ନେତାମାନେ କେହି କାହା ବିରୋଧରେ କଡ଼ା କଥା କହିବାକୁ ଚାହୁଁନାହାନ୍ତି । ବେଶ ମାପିଚୁପି ଗଣମାଧ୍ୟମରେ ପ୍ରତିକ୍ରିୟା ରଖୁଛନ୍ତି । ପୂର୍ବର ଆକ୍ରମଣାତ୍ମକ ଆଭିମୁଖ୍ୟ ଆଉ ଦେଖିବାକୁ ମିଳୁନାହିଁ ।

ସମାଲୋଚନା ବଦଳରେ ଏବେ ଅନେକ ସମୟରେ ପ୍ରଶଂସା ବି କରୁଛନ୍ତି ଦୁଇ ଦଳର ତୁଙ୍ଗ ନେତା । ବାହାରକୁ ଏହା ଯେତେ ସାଧାରଣ ମନେ ହେଉଥିଲେ ବି ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦି ଦଳର ନେତାମାନେ ପରସ୍ପରକୁ ପ୍ରଶଂସା କରିବା ଓ ଧନ୍ୟବାଦ ଦେବା ଭିତରେ ବାରି ହୋଇପଡ଼ୁଛି ରାଜନୀତିର ଭିନ୍ନ ଗନ୍ଧ ।

ଫୋନି ମୁକାବିଲା ନେଇ ନବୀନଙ୍କୁ ମୋଦୀଙ୍କ ପ୍ରଶଂସା ଓ ମୋଦୀଙ୍କୁ ନବୀନଙ୍କ ଧନ୍ୟବାଦ ଦେବା ପରେ ପଶ୍ଚିମବଙ୍ଗରେ ଅମିତ ଶାହାଙ୍କ ନବୀନ ସରକାରଙ୍କୁ ଖୋଲା ପ୍ରଶଂସା କରିବା ଓଡ଼ିଶା ରାଜନୀତିର ଏକ ଭିନ୍ନ ଦିଗ ଆଡକୁ ଇଂଗିତ କରୁଛି । ଆଉ ଏହାରି ଭିତରେ ରାଜ ସରକାରଙ୍କ ବିରୋଧରେ ଆଗଭଳି ବିସ୍ଫୋରକ ବୟାନ ଦେଉନାହାନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହାତେ ମାପି ଚାଖେଣ୍ଡେ ଚାଲିବା ନ୍ୟାୟରେ ଆଗକୁ ବଢ଼ୁଛନ୍ତି ଦୁଇ ଦଳ । ରାଜନୀତିରେ ଶତ୍ରୁ କେତେବେଳେ ମିତ୍ର ପାଲଟିଯିବ: ଆଉ ମିତ୍ର ଶତ୍ରୁରେ ପରିବର୍ତନ ହେବ, ତାକୁ ଆକଳନ କରିବା ମୁସ୍କିଲ୍ । ତେବେ ଭୋଟ ଗଣତି ପୂର୍ବରୁ ଏହି ନିରବତା କ’ଣ ସଂକେତ ଦେଉଛି, ସେହି ଅଙ୍କ କଷା ଏବେ ଆରମ୍ଭ ହୋଇଛି ।