ବହୁତ ହୋଇଗଲା, ଆଉ ନୁହଁ ! ଖାଲି ମୁହଁ ଦେଖାରେ ଭୋଟ ମିଳିବନି । ସମସ୍ୟା ସମାଧାନ ନକରିବା ଯାଏଁ ଗାଁକୁ ପ୍ରଚାର ପାଇଁ ପୂରାଇ ଦେବୁନି…

604

କନକ ବ୍ୟୁରୋ: ବହୁତ ହୋଇଗଲା, ଆଉ ନୁହଁ । ତମେ ଆମ କଥା ବୁଝ, ଆମେ ତମ କଥା ବୁଝିବୁ । କଥା ନବୁଝିଲେ କି ସମସ୍ୟାର ସମାଧାନ ନକଲେ ଭୋଟ ତ ଦୂରର କଥା ଗାଁକୁ ପ୍ରଚାର ପାଇଁ ବି ପୂରାଇ ଦେବୁନି । ଆଗ ସୁବିଧା ଦିଅ, ପରେ ଭୋଟ ନିଅ… । କିଛି ଏମିତି ଢଙ୍ଗରେ ବିଜେପୁର ଉପନିର୍ବାଚନକୁ ବିରୋଧ କରି ଭୋଟ ବର୍ଜନର ନିଷ୍ପତ୍ତି ନେଇଛନ୍ତି ବିଜେପୁର ବ୍ଲକ ସାଇପାଲି ପଞ୍ଚାୟତ ପୁଟୁକିଗ୍ରୀଞ୍ଜେଲ ଗାଁ ଲୋକେ ।

ଗାଁକୁ ରାସ୍ତା ଖଣ୍ଡେ ନାହିଁ କି ପିଇବା ପାଇଁ ବିଶୁଦ୍ଧ ପାଣି ଟିକେ ବି ମିଳୁନି । ଗାଁରେ ଯେଉଁ ୩-୪ଟି ନଳକୂପ ରହିଛି ସେଥିରୁ ଫ୍ଲୋରାଇଡ ମିଶା ପାଣି ବାହାରୁଥିବାରୁ ଏହାକୁ ପିଇ ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ତେବେ ନଳକୂପର ପାଣି ପିଇ ଗାଁର ୧୦ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଲୋକେ ଗାଁ ମୁଣ୍ଡରେ ଏକ ଚୁଆ ଖୋଳି ସେଥିରୁ ବାହାରୁଥିବା ମଇଳା ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ।

ସେପଟେ ଏଇ ନାଳ ଦେଇ ଗାଁକୁ ଯିବା ଆସିବା କରନ୍ତି ଲୋକେ । ଖାଲି ଏହି ଗାଁ ଲୋକେ ନୁହେଁ ଆଖପାଖ ଗାଁ ଲୋକେ ବି ଏହି ନାଳ ପାର କରି ଯାତାୟତ କରନ୍ତି । ମାତ୍ର ବର୍ଷା ଦିନେ ନାଳରେ ଟିକେ ପାଣି ବଢିଗଲେ ଯିବା ଆସିବା କରିବା ଏକଦମ ଅସମ୍ଭବ ହୋଇପଟେ । ତେଣୁ ରାସ୍ତା ସହ ନାଳରେ ପୋଲ ପାଇଁ ଲୋକେ ଦାବି କରିଛନ୍ତି ।

ତେବେ ଗାଁର ସମସ୍ୟା କଥା ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଶାସନକୁ ବାରମ୍ବାର ଜଣାଇଲା ପରେ ବି କୌଣସି ସମାଧାନ ହେଉନଥିବାରୁ ଲୋକେ ବାଧ୍ୟ ହୋଇ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି । ମାତ୍ର ଏଥର ପ୍ରତିଶ୍ରୁତି ନପାଳିଲେ ଗାଁର ୬୪୫ ଭୋଟ ନୋଟାରେ ପଡିବ ପଛେ କୌଣସି ପ୍ରାର୍ଥୀଙ୍କ ପକେଟକୁ ଯିବନି ବୋଲି ସିଧା ଶୁଣାଇଛନ୍ତି ଗାଁ ଲୋକେ । ନାକ ତଳେ ନିର୍ବାଚନ ଥିବାରୁ ଗାଁ ଲୋକଙ୍କ ଦାବି ପୂରା କରି କିଏ ଜିତୁଛି ବିଶ୍ୱାସ ତା ଉପରେ ନଜର ।