ଏୟାରଷ୍ଟ୍ରାଇକକୁ ନେଇ ସାଙ୍ଘାତିକ ତଥ୍ୟ ! ସାମ୍ନାକୁ ଆସିଲା ବାଲାକୋଟ ଜୈସ କ୍ୟାମ୍ପର ସାଟେଲାଇଟ୍ ଫଟୋ, ଆତଙ୍କୀ ଆଡ୍ଡାରେ ବିଶେଷ କ୍ଷୟକ୍ଷତି ହୋଇନଥିବା ଚର୍ଚ୍ଚା ।

731

କନକ ବ୍ୟୁରୋ : ବାଲାକୋଟରେ ଜୈସ-ଏ-ମହମ୍ମଦର ଆତଙ୍କୀ ଶିବିର ଉପରେ ଆକ୍ରମଣ ପରେ କ୍ଷୟକ୍ଷତି ଆକଳନକୁ ନେଇ ଆରମ୍ଭ ହୋଇଛି ବିତର୍କ । କ୍ଷୟକ୍ଷତିକୁ ନେଇ ଦାବି କରାଯାଉଥିବା ବେଳେ ଏହାର ବିରୋଧରେ ବି ଦାବି ହେଉଛି । ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ରଏଟର୍ସ ପକ୍ଷରୁ ପ୍ରକାଶ ପାଇଥିବା ଖବର ଅନୁସାରେ ଭାରତୀୟ ବାୟୁସେନାର ଆକ୍ରମଣରେ ବାଲାକୋଟର କୌଣସି ଆଖିଦୃଶିଆ କ୍ଷୟକ୍ଷତି ହୋଇନାହିଁ । ଅପରପକ୍ଷରେ ସାଟେଲାଇଟ୍ ଜରିଆରେ ଉଠାଯାଇଥିବା ଫଟୋ ସହ ୧୨ ପୃଷ୍ଟାର ଏକ ରିପୋର୍ଟ କେନ୍ଦ୍ର ସରକାରକୁ ଦେଇଛି ବାୟୁସେନା । ଏୟାର ଷ୍ଟ୍ରାଇକର ୮୦ ପ୍ରତିଶତ, ଟାର୍ଗେଟକୁ ହିଟ୍ କରାଯାଇଥିବା ବାୟୁସେନା କହିଛି ।

ଆପଣ ଦେଖୁଥିବା ଏହି ଫଟୋ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ରଏଟର୍ସ ପକ୍ଷରୁ ପ୍ରକାଶ ପାଇଛି । ଇଏ ହେଉଛି ସେହି ବାଲୋକୋଟର ଚିତ୍ର, ଯେଉଁଠି ଆତଙ୍କବାଦୀଙ୍କ ଆଡ୍ଡାକୁ ଧୁଳିସାତ କରିଦେଇଥିଲା ଭାରତୀୟ ବାୟୁସେନା । ସାନ ଫ୍ରାନସିସକୋର ଘରୋଇ ସାଟେଲାଇଟ ଅପରେଟର ପ୍ଲାନେଟ ଲାବ୍ସ ଇଙ୍କ ପକ୍ଷରୁ ମାର୍ଚ୍ଚ ୪ତାରିଖରେ ଉତୋଳନ କରାଯାଇଥିବା ଏହି ଚିତ୍ରରେ ବାଲାକୋଟରେ ଥିବା ମଦ୍ରାସା ନିକଟରେ ୬ଟି ବିଲଣ୍ଡିଂ ଦେଖାଯାଉଥିବା ପ୍ରକାଶ କରିଛି ରଏଟର୍ସ । ରଏଟର୍ସ ତାର ରିପୋର୍ଟରେ ପ୍ରକାଶ କରିଛି ଯେ, ବାଲାକୋଟ ଅଂଚଳରେ ଜୈସ-ଏ-ମହମ୍ମଦ ପକ୍ଷରୁ ଚାଲୁଥିବା ମାଦ୍ରସା ଗୁଡ଼ିକ ସେମିତି ଅଛି, ଯେମିତି ଥିଲା । ଅର୍ଥାତ୍ ବିଶେଷ କ୍ଷୟକ୍ଷତି ହୋଇନାହିଁ ।

ଏପରିକି ଠିକ୍ ଏହି ସ୍ଥାନରେ ୨୦୧୮ ଏପ୍ରିଲ ମାସରେ ନିଆଯାଇଥିବା ଫଟୋ ଓ ଚଳିତ ବର୍ଷ ମାର୍ଚ୍ଚ ୪ର ସାଟେଲାଇଟ ଚିତ୍ରରେ କୌଣସି ପାର୍ଥକ୍ୟ ନଥିବା ଦର୍ଶାଇଛି ରଏଟର୍ସ । ଏପରିକି କୌଣସି ବିଲଣ୍ଡିଂ କ୍ଷୟକ୍ଷତି ହୋଇନଥିବା ବେଳେ ଗଛ ମଧ୍ୟ ନଷ୍ଟ ହୋଇନାହିଁ । କେବଳ ଏତିକି ନୁହେଁ ଆକାଶ ମାର୍ଗରୁ ଆକ୍ରମଣର ବି କୌଣସି ଚିହ୍ନ ନଥିବା ପ୍ରକାଶ କରିଛି ଗଣମାଧ୍ୟମ ସଂସ୍ଥା ରଏଟର୍ସ ।

ଅପରପକ୍ଷରେ ମିଳିଥିବା ସୂଚନା ଅନୁସାରେ ସରକାରକୁ ସାଟେଲାଇଟ୍ ଜରିଆରେ ଉତୋଳନ ହୋଇଥିବା ଏକାଧିକ ଚିତ୍ର ସମେତ ୧୨ ପୃଷ୍ଠାର ଏକ ରିପୋର୍ଟ ଦେଇଛି ବାୟୁସେନା । ପୂର୍ବରୁ ବାୟୁସେନା ସ୍ପଷ୍ଟ କରିିଛି ଯେ, ଟାର୍ଗେଟକୁ ହିଟ୍ କରିବା ତାଙ୍କ କାମ, କ୍ଷୟକ୍ଷତି ଆକଳନ କରିବା ତାଙ୍କ କାମ ନୁହେଁ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ୨ଜଣ ବରିଷ୍ଠ ଅଧିକାରୀଙ୍କ କହିବା କଥା ହେଲା, ବାଲାକୋଟର ଖୈବର ପଖତୁନଖ୍ୱାବରେ ଥିବା ଜୈସ ଆତଙ୍କୀ ଶିବିରରେ ବାୟୁସେନାର ଆକ୍ରମଣ ସଫଳ ହୋଇଛି । ଏହି ସ୍ଥାନରେ ମିରାଜ ୨୦୦ ଯୁଦ୍ଧ ବିମାନରୁ ଇସ୍ରାଏଲ ନିର୍ମିତ ସ୍ପାଇସ ୨୦୦୦ ବୋମା ନିକ୍ଷେପ କରାଯାଇ ଜୈସ କ୍ୟାମ୍ପକୁ ଧ୍ୱସଂ କରାଯାଇଛି ।

ବଡ କଥା ହେଉଛି, ବାଲାକୋଟ୍ ଏୟାର ଷ୍ଟ୍ରାଇକକୁ ନେଇ ଉଠୁଛି ଅନେକ ପ୍ରଶ୍ନ । ବିଦେଶୀ ଗଣମାଧ୍ୟମ ସେଭଳି ବଡଧରଣର କ୍ଷୟକ୍ଷତି ହୋଇନଥିବା ଦାବି କରୁଥିବା ବେଳେ ଭାରତରେ ବିରୋଧୀ ଦଳ ମଧ୍ୟ ଏୟାର୍ ଷ୍ଟ୍ରାଇକ୍ ପରର ପ୍ରମାଣ ମାଗିବାକୁ ପଛାଇ ନାହାଁନ୍ତି । ଏବେ ପ୍ରଶ୍ନ ହେଉଛି ବାଲାକୋଟର ସତ କ’ଣ? ତାହା କେବଳ ସରକାର ହିଁ ସ୍ପଷ୍ଟ କରିପାରିବେ । ଆଉ ଏସବୁ ଭିତରେ ଦେଖିବାର କଥା ବାୟୁସେନା ଦେଇଥିବା ତଥ୍ୟକୁ ସାର୍ବଜନୀନ କରୁଛନ୍ତି ନା ନାହିଁ ମୋଦି ସରକାର?