ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଖବର କାଗଜ ଲେଖା । ବଖାଣିଲେ ଓଡ଼ିଆଙ୍କ ୪ଟି ଗୁଣ ।

ଘନ ଅରଣ୍ୟାନୀ, ସ୍ନିଗ୍ଧ, ମନୋରମ ବେଳାଭୂମି ଏବଂ କାଳଜୟୀ କୀର୍ତ୍ତିରାଜିରେ ବିମଣ୍ଡିତ ଓଡ଼ିଶା ବାସ୍ତବିକ ଧରାପୃଷ୍ଠରେ ଏକ ସୁନ୍ଦର ଭୂମି- ବାସ୍ତବିକ ଏହା ଈଶ୍ବରଙ୍କର ଉପହାର ।

315

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଖାଣିଛନ୍ତି ଓଡ଼ିଆଙ୍କ ବ୍ୟବହାରର ୪ଟି ମୌଳିକ ଗୁଣ । ଏନେଇ ଏକ ଜାତୀୟ ସମ୍ବାଦ ପତ୍ରିକାରେ ନବୀନ ପ୍ରକାଶ କରିଛନ୍ତି ଯେ, ଗତ କେତେ ସପ୍ତାହ ଧରି ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ତଥା ପ୍ରସିଦ୍ଧ ଅନେକ ବ୍ୟକ୍ତିଙ୍କୁ ଆତିଥେୟତା ପ୍ରଦାନ କରିଛି। ଭୁବନେଶ୍ବରରେ ଅନୁଷ୍ଠିତ ମେକ୍-ଇନ୍-ଓଡ଼ିଶା କାର୍ଯ୍ୟକ୍ରମରେ ବିଶିଷ୍ଟ ଭାରତୀୟ ଶିଳ୍ପପତିମାନେ ଏକାଠି ହୋଇଥିଲେ । ସେହିପରି ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ବିଶ୍ବପ୍ରସିଦ୍ଧ କଳାକାର, ସାଂସ୍କୃତିକ ତଥା କ୍ରୀଡ଼ା ଜଗତର ଖ୍ୟାତାନାମା ବ୍ୟକ୍ତିତ୍ବ, ବିଭିନ୍ନ ଦେଶର ରାଷ୍ଟ୍ରଦୂତ, ୧୬ଟି ଦେଶର ଖେଳାଳି, କର୍ମକର୍ତ୍ତା ତଥା ଉଚ୍ଚ ପଦାଧିକାରୀମାନେ ମଧ୍ୟ ଏହି ସମୟରେ ଓଡ଼ିଶା ଭ୍ରମଣରେ ଆସିଛନ୍ତି। ନିକଟରେ ସ୍ମାର୍ଟ ସିଟି ଭୁବନେଶ୍ବରରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଉଦ୍ଘାଟିତ ପୁରୁଷ ହକି ବିଶ୍ବକପ୍ ସଫଳତାର ସହ ଶେଷ ହୋଇଛି । ଏସବୁ କାର୍ଯ୍ୟକ୍ରମ ମଧ୍ୟରେ ମୁଁ ଓଡ଼ିଶା ତରଫରୁ ଏହି ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଯେତେବେଳେ ଭେଟିଛି, ସେତେବେଳେ ସମସ୍ତଙ୍କ ମୁହଁରେ ଗୋଟିଏ କଥା ବାରମ୍ବାର ପ୍ରତିଧ୍ବନିତ ହୋଇଛି, ‘‘କେଡ଼େ ସୁନ୍ଦର ଏ ଜାଗା, କେତେ ଭଲ ଲୋକ।“ ଘନ ଅରଣ୍ୟାନୀ, ସ୍ନିଗ୍ଧ, ମନୋରମ ବେଳାଭୂମି ଏବଂ କାଳଜୟୀ କୀର୍ତ୍ତିରାଜିରେ ବିମଣ୍ଡିତ ଓଡ଼ିଶା ବାସ୍ତବିକ ଧରାପୃଷ୍ଠରେ ଏକ ସୁନ୍ଦର ଭୂମି- ବାସ୍ତବିକ ଏହା ଈଶ୍ବରଙ୍କର ଉପହାର । ତା ସହିତ ଓଡ଼ିଆ ଜାତିର ଭଲପଣିଆ.ଏହା ମୋତେ ଭାବପ୍ରବଣ କରିଦେଇଛି ବୋଲି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଭଲ ଲୋକଙ୍କ ସାନିଧ୍ୟ ସବୁବେଳେ ଉତ୍ସାହପ୍ରଦ। ଓଡ଼ିଶା ଆସୁଥିବା ଲୋକମାନେ ଆମର ଭଲ ଗୁଣ ଦ୍ବାରା ଏତେ ଗଭୀର ଭାବରେ ପ୍ରଭାବିତ ଯେ ସେମାନେ ଅନ୍ୟ ସ୍ଥାନକୁ ଗଲେ ଏହି ଭଲ ପାଇବାର ଅଭାବକୁ ଅନୁଭବ କରି ଆମକୁ ସେମାନଙ୍କ ସହିତ ତୁଳନା କରିବସୁଛନ୍ତି। ମୁଁ ଭାବେ ଆମ ଓଡ଼ିଆଙ୍କ ବ୍ୟବହାରର ୪ଟି ମୌଳିକ ଦିଗ ଆମର ଭଲପଣିଆର ପରିପ୍ରକାଶ କରେ। ପ୍ରଥମଟି ହେଉଛି, ଅନ୍ୟମାନଙ୍କ ପ୍ରତି ଆମର ସମ୍ମାନବୋଧ । ଆମର ପୂର୍ବପୁରୁଷମାନଙ୍କର ସମସ୍ତଙ୍କ ପ୍ରତି ଗଭୀର ସମ୍ମାନ ରହିଥିଲା- ସେ, ସଜୀବ ହେଉ ବା ନିର୍ଜୀବ। ଏହା ସେମାନଙ୍କ ବୌଦ୍ଧିକ ଜ୍ଞାନ ବା ପାଣ୍ଡିତ୍ୟର ଉଦାହରଣ ନଥିଲା, ବରଂ ଏହା ସେମାନଙ୍କର ଆଧ୍ୟାତ୍ମିକ ଅନୁଭବରୁ ହିଁ ଆସିଥିଲା।

naveenସେହିପରି ଆମର ବ୍ୟବହାରର ପରବର୍ତ୍ତୀ ଦିଗଟି ହେଉଛି ବିନମ୍ରତା । ଦେଖିବାକୁ ଗଲେ, ବିନମ୍ରତା ବିନା କେହି ଅନ୍ୟର ସମ୍ମାନଭାଜନ ହୋଇପାରିବେ ନାହିଁ। ଦୁର୍ଭାଗ୍ୟବଶତଃ, ବିନମ୍ରତାକୁ ଅନେକ ସମୟରେ ଭୟାଳୁ ଓ ଆଜ୍ଞାବହ ସ୍ବଭାବର ପରିପ୍ରକାଶ ବୋଲି ଧରି ନିଆଯାଇଏ । ମୋ ମତରେ କିନ୍ତୁ ଏହା ଠିକ୍ ନୁହେଁ । ଆମର ଗଭୀର ଆତ୍ମବିଶ୍ବାସରୁ ହିଁ ବିନମ୍ରତାର ଜନ୍ମ । ବିନମ୍ରତାର ଏପରି ଏକ ଶକ୍ତି ରହିଛି ଯାହା କି ପରିଶେଷରେ ସମସ୍ତଙ୍କୁ ପ୍ରଭାବିତ କରିଥାଏ। କଥାରେ ଅଛି, ଗିରିଶୃଙ୍ଗ ଯେତେ ଉଚ୍ଚ ଓ ଦୃଢ଼ ହେଲେ ବି, ବୁନ୍ଦାଏ ବର୍ଷା ଜଳଧାରଣ କରିବାର କ୍ଷମତା ତାହାର ନଥାଏ। ଅପରପକ୍ଷରେ ଉପତ୍ୟକାରେ ଥିବା ହ୍ରଦ ହିଁ କେବଳ ବର୍ଷାଜଳ ଧାରଣ କରିପାରେ । ତେଣୁ କୌଣସି ଉତ୍ତମ ବିଚାର ଧାରଣ କରିବାକୁ ହେଲେ, ଆମର ମନ ହ୍ରଦ ଭଳି ହେବା ଆବଶ୍ୟକ।

Naveen-Patnaikତୃତୀୟ ମୌଳିକ ଦିଗଟି ହେଉଛି ସରଳତା। ଓଡ଼ିଆ ଲୋକ ଅତ୍ୟନ୍ତ ସରଳ । କିନ୍ତୁ ସରଳ ହେବା ଅର୍ଥ ନିର୍ବୋଧ ନୁହେଁ। ଏହା କୁହାଯାଇପାରେ ଯେ ଶ୍ରେଷ୍ଠ ବ୍ୟକ୍ତି ହିଁ ସବୁଠାରୁ ସରଳ । ସେମାନଙ୍କୁ ନମ୍ରତା ଆକର୍ଷିତ କରେ । ଉଚ୍ଚ ଆଦବକାଇଦା ମଣିଷ ମଧ୍ୟରେ ଦୂରତା ସୃଷ୍ଟି କରେ। ଯାହା ଓଡ଼ିଆ ଲୋକଙ୍କ ମଧ୍ୟରେ ଭରପୂର ରହିଛି । ଏସବୁ ବ୍ୟତୀତ, ମୋ ବିବେଚନାରେ ଚତୁର୍ଥ ଦିଗଟି ହେଉଛି ଶିଷ୍ଟାଚାରୀ ହେବା ପାଇଁ ଆମ ମଧ୍ୟରେ କିଛି ପରିମାଣର କ୍ଷମା ଗୁଣ ମଧ୍ୟ ରହିବା ଜରୁରୀ। ଭଲ ଲୋକମାନେ ସହଜରେ କ୍ଷମା କରିଦିଅନ୍ତି। କ୍ଷମାର ଆତ୍ମଶୋଧନ ଶକ୍ତି ରହିଛି। ମଣିଷପଣିଆ କାଳେ କାଳେ ବଂଚିରହିଛି। କାରଣ କେବେ କେବେ କେଉଁଠି ନା କେଉଁଠି ଆମେ କ୍ଷମା ଦେଇଛୁ। ଆମେ ଯେତେବେଳେ କ୍ଷମା କରିବାର ଶକ୍ତି ହରାଇବସୁ, ସେତେବେଳେ ପରିବାର, ସମାଜ ଓ ଦେଶ ଭାଙ୍ଗିଯାଏ । ଯଦି ପାଖରେ ଟଙ୍କା ଅଛି, ତେବେ ଆପଣ ସୁଦୃଶ୍ୟ ସଡ଼କ, ବନ୍ଦର, କାରଖାନା ଓ ବଡ଼ ବଡ଼ ବ୍ୟବସାୟ ପ୍ରତିଷ୍ଠାନ ସବୁକିଛି ଗଢ଼ି ପାରିବେ। କିନ୍ତୁ ଭଲ ମଣିଷପଣିଆକୁ ଟଙ୍କାରେ ମୂଲ କରାଯାଇପାରିବ ନାହିଁ। କାରଣ ଏହା ଅମୂଲ୍ୟ।

ଏହିସବୁ ସୁଗୁଣଗୁଡ଼ିକ ମିଶି ଆମକୁ ସୌଜନ୍ୟଶୀଳ କରିଛି ଏବଂ ଏହା ଆମର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଆମେମାନେ ଉତ୍ତରାଧିକାର ସୂତ୍ରରେ ପାଇଥିବା ଏହି ମହାନ ସଂସ୍କାର ପାଇଁ ନିଜକୁ ଗୌରବାନ୍ବିତ ମନେ କରିବା ଉଚିତ। ଏହା କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷ ବା ନିର୍ଦ୍ଦିଷ୍ଟ ସମୟର ଉପଲବ୍ଧି ନୁହେଁ। ଶତାବ୍ଦୀ ଶତାବ୍ଦୀ ଧରି ସମୟର କଷଟି ପଥରରେ ପରୀକ୍ଷିତ ଏହା ଆମର ସାମୂହିକ ଉତ୍ତରାଧିକାର। ଓଡ଼ିଆ ଜାତିର ଭଲପଣିଆ ହେଉଛି ଓଡ଼ିଆଙ୍କ ଶ୍ରେଷ୍ଠ ପରିଚୟ। ଏଇ ଭଲପଣିଆ ସବୁକାଳେ ଆମ ପରିଚୟ ହୋଇ ରହିବା ଉଚିତ।

(ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଇଂରାଜୀରେ ରଚିତ ‘Beautiful Place, Good people’ର ମର୍ମାନୁବାଦ)