ଦୁଇ ଘଣ୍ଟାରେ ବଦଳିଗଲା ଚିତ୍ର, ଚକାଚକ୍ ହୋଇଗଲା କ୍ୟାପିଟାଲ ହସ୍ପିଟାଲ : ଫାଇବ୍-ଟି ସଚିବଙ୍କ ପରିଦର୍ଶନ ସୂଚନା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ତତ୍ପରତା

608

କନକ ବ୍ୟୁରୋ : ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ କେମିତି ଚାଲିଛି ରୋଗୀ ସେବା ସେ ନେଇ ଆଜି ତଦାରଖ କରିପାରନ୍ତି ଫାଇଭ୍-ଟି ସଚିବ ଭିକେ ପାଣ୍ଡିଆନ୍ । ଆଉ ଫାଇଭ ଟି’ ସଚିବଙ୍କ ଆସିବା ନେଇ ଚର୍ଚ୍ଚା ହେବାର ଦୁଇ ଘଂଟା ମଧ୍ୟରେ ଚକଚକ ହୋଇଗଲା କ୍ୟାପିଟାଲ ହସ୍ପିଟାଲ । ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ୍ ଆସୁଥିବା ନେଇ ହସ୍ପିଟାଲ ପରିସରରେ ଚର୍ଚ୍ଚା ସରଗରମ ହୋଇଥିଲା । ଗତକାଲି ଅପରାହ୍ନରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ଆରମ୍ଭ ହୋଇଥିଲା ଜୋରଦାର୍ ସଫେଇ କାମ ।

ହସ୍ପିଟାଲର କାନ୍ଥ ବାଡ ଠାରୁ ଆରମ୍ଭ କରି ଫ୍ୟାନ ପର୍ଯ୍ୟନ୍ତ ସଫେଇ କାମରେ ଲାଗିପଡିଥିଲେ କର୍ମଚାରୀ । ଦେଖୁ ଦେଖୁ ଦୁଇ ଘଂଟା ମଧ୍ୟରେ କ୍ୟାପିଟାଲ ହସ୍ପିଟାଲ ବାହାର ଓ ଭିତର ପରିଷ୍କାର ହୋଇ ଯାଇଥିଲା । ବାହାରେ ପଡି ରହୁଥିବା କୁଢ଼କୁଢ ଅଳିଆ ମଧ୍ୟ ସଫା କରାଯାଇଥିଲା । ସେହିପରି ଦୀର୍ଘଦିନ ଧରି ହସ୍ପିଟାଲ ପରିସରରେ ଥିବା ଫ୍ୟାନ୍କୁ ମଧ୍ୟ କର୍ମଚାରୀମାନେ ସଫା କରିଥିଲେ । ଗତକିଛି ଦିନ ତଳେ କ୍ୟାପିଟାଲ ହସ୍ପିଟାଲ ବାହାରେ ଜଣେ ପ୍ରସୂତି, ପ୍ରସବ କରିଥିଲେ । ଯାହାକୁ ନେଇ ବିରୋଧୀ ବିଜେପି ରାଜ୍ୟ ସରକାରଙ୍କୁ ଘେରିଥିଲା ।

ଫାଇଭ ଟି ସଚିବଙ୍କ ଆସିବା ନେଇ ଚର୍ଚ୍ଚା ହେବା ପରେ ଆକ୍ସନ ମୁଡକୁ ଚାଲି ଆସିଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ହେଲେ ପ୍ରକୃତରେ ଫାଇଭ ଟି ସଚିବ ଆସୁଛନ୍ତି କି ନାହିଁ, ଏ ନେଇ କାହା ପାଖରେ ସ୍ପଷ୍ଟ ସୂଚନା ନାହିଁ ।