ତିରିଶ ଫୁଟ କୂଅ ଭିତରକୁ ଖସିପଡି ଛଟପଟ ହେଲା ଭାଲୁ ! ୪ ଘଣ୍ଟାର କସରତ ପରେ ଉଦ୍ଧାର କଲା ବନବିଭାଗ

29

କନକ ବ୍ୟୁରୋ : ତିରିଶ ଫୁଟ୍ ଗଭୀର କୂଅରୁ ଉଦ୍ଧାର ହେଲା ଭାଲୁ । ଦୀର୍ଘ ୪ଘଂଟାରେ ଧରି କୂଅ ପାଣିରେ ଛଟପଟ ହେଉଥିବା ଭାଲୁକୁ ଉଦ୍ଧାର କରାଯାଇଛି । ଯାହାର ଭିଡିଓ କଏଦ ହୋଇଛି ମୋବାଇଲ କ୍ୟାମେରାରେ । କେନ୍ଦୁଝର ଜିଲ୍ଲା ବୁଢ଼ାବଣ ଗାଁର ମନୋରଞ୍ଜନ ଦଣ୍ଡପାଟଙ୍କ କୂଅରୁ ଏହି ଭାଲକୁ ଉଦ୍ଧାର କରାଯାଇଛି । ପୋଖରୀ ହୁଡାରେ ବୁଲୁଥିବା ବେଳେ ଭାଲୁଟି ଲୋକଙ୍କୁ ଦେଖି ଆତଙ୍କିତ ହୋଇଯାଇଥିଲ । ଭୟରେ ଦୌଡ଼ିବା ଆରମ୍ଭ କରିଦେଇଥିବା ବେଳେ ଅଚାନକ୍ ଏକ ଗଭୀର କୁଅରେ ପଡ଼ିଯାଇଥିଲା ।

ଖବର ପାଇ ଦମକଳ ବାହିନୀ ଓ ପାଟଣା ବନବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଂଚି ଭାଲକୁ ଉଦ୍ଧାର କରିଛନ୍ତି । ଭାଲୁ ନିଜ ଉଦ୍ୟମରେ କୂଅରୁ ବାହାରିବାକୁ ବହୁ ଚେଷ୍ଟା କରିଥିଲା । ହେଲେ କୂଅର ଗଭୀରତା ଯୋଗୁଁ ଉପରକୁ ଉଠିବା ସମ୍ଭବ ନଥିଲା । ତେଣୁ ସ୍ଥାନୀୟ ଲୋକଙ୍କ ସାହାର୍ଯ୍ୟରେ ବନକର୍ମୀମାନେ ଏକ ଅଂକୁଳି ଜରିଆରେ ଭାଲକୁ ଉଦ୍ଧାର କରିଥିଲେ । ଜୀବନ ବିକଳରେ ଛଟପଟ ହେଉଥିବା ଭାଲୁକୁ ଉଦ୍ଧାର ହେବା ପରେ ଜଙ୍ଗଲରେ ଛାଡ଼ି ଦିଆଯାଇଛି ।