ଶହଶହ ଗଛ କଟିବା ପରେ ପଶିଲା ଚେତା ! ବାତିଲ୍ ହେଲା ବିୟର ଫ୍ୟାକ୍ଟ୍ରି । 

139

କନକ ବ୍ୟୁରୋ : ଢେଙ୍କାନାଳର ବନମାଳୀପୁରରେ ବିୟର ଫ୍ୟାକ୍ଟ୍ରି ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ତେବେ ଘଟଣାର ତଦନ୍ତ କରୁଥିବା ଆରଡିସିଙ୍କ ରିପୋର୍ଟ ଉପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ସେପଟେ ଏହି ପ୍ରସଙ୍ଗରେ ଆଜି ବିରୋଧି ବିଜେପି ଓ କଂଗ୍ରେସ ଗୃହରେ ହୋ-ହାଲ୍ଲା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତିକୁ ବିରୋଧି ଦଳ ନେତା ସ୍ୱାଗତ କରିଥିବା ବେଳେ ଦୋଷୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ହେବ ସେନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ।

୭୫୬ ଗଛ କଟା ହେବା ପରେ ପଶିଲା ଚେତା । ବନ୍ଦ ହେଲା ବିୟର ଫ୍ୟାକ୍ଟି । ଢେଙ୍କାନାଳ ବନମାଳୀପୁରର ପ୍ରସ୍ତାବିତ ବିୟର ଫ୍ୟାକ୍ଟ୍ରି ପାଇଁ ୭୫୬ଟି ଗଛ କଟାହୋଇଗଲା । ପ୍ରବଳ ବିରୋଧ ପରେ ପୋଲିସ ସହ ମୁହାଁମୁହିଁ  ହେଲେ ଜନତା । ଆଉ ତାପରେ ବିୟର ଫ୍ୟ।।କ୍ଟ୍ରି ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ସିଧାସଳଖ ଘଟଣାରେ ହସ୍ତକ୍ଷେପ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବନମାଳୀପୁରରେ ହେବାକୁ ଥିବା ବଟଲିଂ ପ୍ଲାଂଟ ପ୍ରକଳ୍ପକୁ ଅନ୍ୟତ୍ର ଯାଗା ଦେବାପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସେହି ସ୍ଥାନରେ ପୁଣିଥରେ ଗଛ ଲଗାଇବା ପାଇଁ କହିଛନ୍ତି ସରକାର । ଅନ୍ୟପଟେ ଉତରାଂଚଳ ଆରଡିସି ଶିଳ୍ପ ବିଭାଗକୁ ଏହି ଘଟଣାର ତଦନ୍ତ କରି ରିପୋର୍ଟ ଦେଇଛନ୍ତି । ଆରଡିସିଙ୍କ ରିପୋର୍ଟ ଆଧାରରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

ଆଜି ବନମାଳୀପୁର ଘଟଣାକୁ ନେଇ ବିଧାନସଭାରେ ତୁମ୍ବିତୁଫାନ କରିଥିଲେ ବିରୋଧି ବିଜେପି ଓ କଂଗ୍ରେସ । ଗୃହରେ ବିରୋଧି କଂଗ୍ରେସ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ମୁଲତବୀ ପ୍ରସ୍ତାବ ଆଣିଥିଲେ । କିନ୍ତୁ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରିନଥିଲା । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତିକୁ ସ୍ୱାଗତ କରିଛନ୍ତି ନରସିଂହ । ଗଛ କାଟିବା ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯିବ ସେନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ଓ କଂଗ୍ରେସ ।

ଶନିବାର ଢେଙ୍କାନାଳର ବନମାଳୀପୁରରେ ଗଛକଟାକୁ ବିରୋଧ କରି ପୁଲିସ-ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ । ବଟଲିଂ ପ୍ଲାଂଟ ପାଇଁ ଗଛ କଟାଯାଉଥିବା ବେଳେ ସ୍ଥାନୀୟ ମହିଳା ଠେଙ୍ଗାବାଡି ଧରି ଜଙ୍ଗଲରେ ପହଂଚିଥିଲେ । ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାବେଳେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ମଦ କାରଖାନା ପାଇଁ ଏହି ସ୍ଥାନରୁ ୯୫୮ଟି ଗଛ କଟାଯିବାକୁ ଯୋଜନା ଥିଲା । ଏବେ ସୁଦ୍ଧା ୭୫୬ଟି ଗଛ କଟାଯାଇଛି । ଗଛକଟାରେ ଜିଲ୍ଲାପାଳଙ୍କ ଭୂମିକା ସନ୍ଦେହ ଘେରରେ ରହିଛି । ଏବେ ପ୍ରଶ୍ନ ଉଠୁଛି କାହା ନିର୍ଦ୍ଦେଶରେ ଏଠାରେ ଗଛକଟା ଯାଇଥିଲା । ଆଉ ଏଥିପାଇଁ ଦାୟୀ କିଏ ?