ପୁରୀ ବେଳାଭୂମିରେ ଓପନ୍ ବାର୍ ! ବ୍ୟାଗରେ ବି ବିକ୍ରି ହେଉଛି ମଦ, କନକ ନ୍ୟୁଜ୍ କ୍ୟାମେରାରେ ରେକର୍ଡ ହେଲା ଦୃଶ୍ୟ

35

କନକ ବ୍ୟୁରୋ : ପରିବାର ନେଇ ଆପଣ ପୁରୀ ବେଳାଭୂମି ଯାଉଛନ୍ତି କି ? ଯଦି ଯାଉଛନ୍ତି ତେବେ ସତର୍କ ରହିବା ନିହାତି ଆବଶ୍ୟକ । କାହିଁକି ନା’ ରାତି ହୋଇଗଲେ ପୁରୀ ବେଳାଭୂମିରେ ଜମୁଛି ମଦର ଆସର । ସମୁଦ୍ର କୂଳରେ ବସି ଯାଉଛି ଓପନ୍ ବାର୍ । ବେଧଡକ୍ ପର୍ଯ୍ୟଟକମାନେ ସମୁଦ୍ର ବାଲିରେ ବସି ଜମାଉଛନ୍ତି ମଦର ଆସର । ଆଉ ତାଙ୍କୁ ସେବା ଯୋଗାଇବା ପାଇଁ ପହଂଚି ଯାଉଛନ୍ତି ବୁଲା ମଦ ବିକାଳୀ । ଏଭଳି କିଛି ଘଟଣା କନକ ନ୍ୟୁଜର କ୍ୟାମେରାରେ କଏଦ ହୋଇଥିଲା ।

ସମୟ : ରାତି ୧୦ଟା । ସ୍ଥାନ : ପୁରୀ ବେଳାଭୂମୀ । ଗୁପ୍ତ କ୍ୟାମେରା ନେଇ କନକ ନ୍ୟୁଜ୍ ଟିମ୍ ପହଂଚିଲା ବେଳକୁ ଜମି ସାରିଥାଏ ମଦର ଆସାର । ବେଳାଭୂମୀରେ ଶୀତୁଆ ପବନ ସାଙ୍ଗକୁ ମନଲାଖୀ ବ୍ରାଣ୍ଡର ମଦ, ଆଉ ବିଭିନ୍ନ ରକମର ଚାଖଣା । ବେଳାଭୂମୀରେ ଚାଲିଥାଏ ବେଧଡକ ନିଶାକାର । ମାଦକ ଦ୍ରବ୍ୟ ଆଣିବାକୁ ପୁଣି କଷ୍ଟ ବି କରିବାକୁ ପଡୁନି । କାହିଁକି ନା’ ପର୍ଯ୍ୟଟକଙ୍କ ରୁଚିକୁ ଦେଖି ବ୍ୟାଗରେ ବିଭିନ୍ନ ବ୍ରାଣ୍ଡର ମଦ ଧରି ଘୁରି ବୁଲୁଛନ୍ତି ଖୁଚୁରା ବ୍ୟବସାୟୀ ।

ବେଳାଭୂମୀରେ ଖୋଲିଛି ଓପନ୍ ବାର୍ । ପର୍ଯଟକଙ୍କ ଏହି ବେଧଡକ୍ ମଦର ଆସରକୁ ଖୋରାକ୍ ଯୋଗାଉଛି-ବେଳାଭୂମୀରେ ଗଢ଼ି ଉଠିଥିବା ଛୋଟ ଛୋଟ ଦୋକାନ ।ଯେଉଁଠି ମଦ୍ୟପ ପର୍ଯଟକଙ୍କ ପାଇଁ ସୁବିଧାରେ ମିଳିଯାଉଛି ମନପସନ୍ଦର ଚାଖଣା । ଆଉ ପର୍ଯଟକଙ୍କ ମନକୁ ଜାଣି ପହଂଚିଯାଉଛନ୍ତି ବୁଲା ମଦ ବିକାଳୀ । ତେବେ ଏନେଇ ପଚାରିବାରୁ ବୁଲା ମଦ କହିଛନ୍ତି ପେଟପାଟଣା ପାଇଁ ସେ ଏପରି କରୁଛନ୍ତି ।

ବେଳାଭୂମିରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯଟକଙ୍କ ପାଇଁ ନିର୍ଦ୍ଦେଶନାମାର ଫଳକ ଲାଗିଛି । ଯେଉଁଥିରେ ବେଳାଭୂମୀରେ କିଭଳି ଆଚକରଣ କରିବେ ଏବଂ କେଉଁ କେଉଁ ନିର୍ଦ୍ଦେଶ ପାଳନ କରିବେ, ସେଥିରେ ସ୍ପଷ୍ଟ ଲେଖା ରହିଛି । ହେଲେ ଏସବୁ କୁ ବେଖାତିର କରି ଚାଲିଛି ଓପନ୍ ବାର । ତେବେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ପ୍ରଶାସନ କଣ କରୁଛି ତାହାକୁ ନେଇ ପ୍ରଶ୍ନ ଉଠିଛି ।

ଖୋଦ୍ ପୁରୀ ଏସପି ଏ ସଂକ୍ରାନ୍ତରେ କହୁଛନ୍ତି-ଏହି ସମସ୍ୟାକୁ ଗୁରୁତର ଭାବରେ ଗ୍ରହଣ କରାଯାଇଛି । ନିୟମିତ ପୁଲିସ୍ ପେଟ୍ରୋଲିଂ ବି ହେଉଛି । ତେବେ ଆହୁରି କଡ଼ାକଡ଼ି କରିବାର ଆବଶ୍ୟକତା ରହିଛି । ତା ଛଡା ଏହା ଉପରେ କଡା ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପୁରୀ ଏସପି । ଧର୍ମୀୟ ଭାବନା ସହ ଜଡ଼ିତ ପୁରୀ ଶ୍ରୀକ୍ଷେତ୍ର । ଜଗନ୍ନାଥ ଦର୍ଶନ ପାଇଁ ପିଲାଛୁଆ ନେଇ ସପରିବାର ଲକ୍ଷ ଲକ୍ଷ ପର୍ଯଟକ ପୁରୀ ଆସୁଛନ୍ତି । ଆଉ ଖୁସିରେ ସମୟ କଟାଇବା ପାଇଁ ବେଳାଭୂମୀରେ ପହଂଚିଯାଉଛନ୍ତି । ଆଉ ଠିକ୍ ଏତିକି ବେଳେ ପୁରୀ ବେଳାଭୂମୀରେ ଜମୁଛି ମଦର ଆସର । ତେଣୁ ପ୍ରଶ୍ନ ଉଠୁଛି-
-ବେଧଡକ ନିଶାକାର କାରବାର ଯୋଗୁଁ ପର୍ଯ୍ୟଟକ ଅସୁରକ୍ଷିତ ଅନୁଭବ କରିବେ ନା ନାହିଁ ?
– ନିଶାକାର କାରବାରରେ ଲଗାମ ନଲାଗିଲେ ଅପରାଧିକ କାର୍ଯ୍ୟକଳାପ ବଢ଼ିବ ନା’ ନାହିଁ ?