ଧୋକା ଦେଉଛି ୧୩୨୫ ଆପ୍ ! ତଥ୍ୟ ଚୋରାଉଛି ମୋବାଇଲ୍ ଆପ୍ ।

308

ଆପଣଙ୍କ ନିକଟରେ ଆଣ୍ଡ୍ରଏଡ୍‌ ଫୋନ୍‌ ଅଛି କି ? ମନ ଇଚ୍ଛା ନୂଆ ନୂଆ ଆପ୍‌କୁ ଆପଣାଉଛନ୍ତି କି ? ତେବେ ସାବଧାନ। ଏହି ଆପ୍‌ ପ୍ରେମ ଆପଣଙ୍କୁ ମହଙ୍ଗା ପଡ଼ିପାରେ। ଧ୍ୟାନ ‌ଦିଅନ୍ତୁ ଯେ, ନୂଆ ଆପ୍ଲିକେସନଟିଏ ଆସିବା ମାତ୍ରେ ତା ସମ୍ବନ୍ଧରେ ସବିଶେଷ ନପଢ଼ି ଆପଣ ଯଦି ତାକୁ ଆପଣାଇ ନେଉଛନ୍ତି ତେବେ ତାହା ଆପଣଙ୍କ ମୋବାଇଲ୍‌ରେ ଥିବା ସମସ୍ତ ତଥ୍ୟ ଚୋରି କରି ନେଉଛି। ନିକଟରେ ଏକ ଗବେଷଣାରୁ ଜଣାପଡ଼ିଛି ଯେ ୧୩୨୫ ଆପ୍ ବା ଆପ୍ଲିକେସନ୍‌ ଆପଣଙ୍କ ତଥ୍ୟ ଚୋରାଇ ନିଜ ସର୍ଭରରେ ମହଜୁଦ ରଖୁଛି। ଏମିତି କି ଏକ ଫଟୋ ଏଡିଟିଙ୍ଗ୍‌ ଆପ୍‌ ଫଟୋକୁ ମାଧ୍ୟମ କରି ସମସ୍ତ ଜିପିଏସ୍‌ ତଥ୍ୟ ହାସଲ କରି ନେଉଛି। ଏଥିପାଇଁ ଅନୁମତି ନଥିଲେ ମଧ୍ୟ ତଥ୍ୟ ସେଇ ଆପ୍ଲିକେସନର ସର୍ଭରକୁ ଚାଲି ଯାଉଛି।

ସର୍ଭରକୁ ଚାଲିଯାଉଛି ବ୍ୟକ୍ତିଗତ, ବ୍ୟାଙ୍କିଙ୍ଗ ତଥ୍ୟ

ଏହି ଭାଇରସ୍‌ ଆପଣ ଡାଉନଲୋଡ୍‌ କରିଥିବା ଏବଂ ଆପଣଙ୍କ ଆଣ୍ଡ୍ରଏଡ୍‌ ମୋବାଇଲରେ ମହଜୁଦ ଥିବା ହ୍ବାଟ୍‌ସଆପ୍‌, ସେୟାର ଇଟ୍‌, ଏମଏକ୍ସ ପ୍ଲେୟାର, ଜିଓ ଟିଭି, ଫ୍ଲିପ୍‌ କାର୍ଟ, ଟ୍ରୁ କଲର ଓ ଡେଲି ହଣ୍ଟ୍‌ ଭଳି ଆପ୍ଲିକେସନର ସ୍ଥାନ ଅକ୍ତିଆର କରି ନେଉଛି। ଆପଣଙ୍କ ଅଜାଣତରେ ଏହା ହେଉଥିବାରୁ ଆପଣ ଭାବୁଥିବେ ଠିକ୍‌ ଆପ୍‌ ବ୍ୟବହାର କରୁଛନ୍ତି ମାତ୍ର ତାହା ହୁଏତ ଭାଇରସ୍‌ ଦ୍ବାରା ନିୟନ୍ତ୍ରିତ ହେଉଥିବ। ସବୁଠୁ ବଡ଼ କଥା ହେଉଛି ନେତା ମନ୍ତ୍ରୀ, ପୁଲିସ୍‌, ସେନାବାହିନୀଙ୍କ ଆଣ୍ଡ୍ରଏଡ୍ ମୋବାଇଲରେ ଯଦି ଏହି ଭାଇରସ୍‌ ପ୍ରବେଶ କରିଥାଏ ତାହା ସୁରକ୍ଷା କ୍ଷେତ୍ରରେ ସମସ୍ୟା ଉପୁଜାଇବାର ସମ୍ଭାବନା ରହିଛି।

ସାଂଘାତିକ ଏଜେଣ୍ଟ୍‌ ସ୍ମିଥ୍‌

ଏଜେଣ୍ଟ୍‌ ସ୍ମିଥ୍‌ ମାଲୱେର୍‌ (କମ୍ପ୍ୟୁଟର ଓ ଆଣ୍ଡ୍ରଏଡ୍‌ ଫୋନ ବିଭିନ୍ନ ଉପାୟରେ ହାନି ପହଞ୍ଚାଉଥିବା ଭାଇରସ୍‌) ମଧ୍ୟ ବହୁଳ ବ୍ୟବହାର ହେଉଥିବା ବିଭିନ୍ନ ଆପ୍‌ ଉପରେ କବଜା କରିନେଇଛି। ଫଳରେ ଆପଣ ହ୍ବାଟ୍‌ସ ଆପ୍‌ ବ୍ୟବହାର କରୁଥିବେ। ମାତ୍ର ଏହା ପ୍ରକୃତ ହ୍ବାଟ୍‌ସଆପକୁ ସ୍ଥାନାନ୍ତର କରି ତା ସ୍ଥାନ ଅକ୍ତିଆର କରିନେଇପାରେ। ଆପଣଙ୍କ ଅଜାଣ‌ତରେ ହୁଏତ ଏହା ଆପଣଙ୍କ ଆଣ୍ଡ୍ରଏଡ୍‌ ମୋବାଇଲକୁ ଆକ୍ରମଣ କରୁଛି। ମାତ୍ର ଆପଣ ଜାଣିପାରୁନାହାନ୍ତି। ଥାର୍ଡ ପାର୍ଟି ଆପରୁ ଯଦି ଆପଣ କୌଣସି ଆପ୍‌ ଡାଉନଲୋଡ୍‌ କରୁଛନ୍ତି ତେବେ ଫସିବା ସମ୍ଭାବନା ଅଧିକ। ଗୁଗୁଲ୍‌ ତା’ର ପ୍ଲେ-ଷ୍ଟୋର୍‌ରୁ ଏହିଭଳି ୧୬ ଟି ଆପ୍‌ ଚିହ୍ନଟ କରି ହଟାଇ ସାରିଥିଲେ ମଧ୍ୟ ଆପଣ ପୂର୍ବରୁ ପ୍ଲେ ଷ୍ଟୋରରୁ ଡାଉନଲୋଡ୍‌ କରି ବ୍ୟବହାର କରୁଥିବା ଆପ୍‌ଗୁଡ଼ିକ ବି ହାନି ପହଞ୍ଚାଇପାରେ। ଫଳସ୍ବରୂପ ଆପଣ ଲକ୍ଷ୍ୟ କରିଥିବେ ଯେ, ଏବେ ବିଭିନ୍ନ ଆପ୍‌ ବାରମ୍ବାର ଅପଡେଟ୍‌ ମାଗୁଛନ୍ତି। ଅପଡେଟ୍‌ କରାଇଦେବା ନିତାନ୍ତ ଆବଶ୍ୟକ ମଧ୍ୟ।

ବିଜ୍ଞାପନ, ପପ୍‌ଅପ୍‌ସ ଦ୍ବାରା ଆକର୍ଷିତ କରୁଛି
ବିଶେଷକରି ଆଣ୍ଡ୍ରଏଡ୍‌ ୫ ଓ ୬ ଭର୍ସନରେ ଏହି ଭାଇରସର ଆକ୍ରମଣ ଦେଖିବାକୁ ମିଳୁଛି । ବିଭିନ୍ନ ଅବାଞ୍ଝିତ ବିଜ୍ଞାପନ ଓ ପପ୍‌ଅପ୍‌ସ ଜରିଆରେ ଲୋଭ ଦେଖାଇ ଏହା ଆଣ୍ଡ୍ରଏଡ୍‌ ଫୋନ୍‌ ମଧ୍ୟରେ କବଜା କରୁଛି। ବିଶେଷକରି ମୋବାଇଲ୍‌ ଆଣ୍ଟି ଭାଇରସ୍‌, ସେକ୍ସ ଗେମସ, ସେଲ୍‌ଫି କ୍ୟାମେରା ବିସ୍ତୃତ କରିବା ଭଳି ପ୍ରଲୋଭନ ଜରିଆରେ ଏହି ଆପ୍‌ ଡାଉନଲୋଡ୍‌ କରିବାକୁ ଲୋଭ ଦେଖାଉଛି।

ଦେଢ଼ କୋଟି ମୋବାଇଲ୍‌ରେ ଏଜେଣ୍ଟ୍‌ ସ୍ମିଥ୍‌

ସଂପ୍ରତି ଦେଢ଼ କୋଟି ମୋବାଇଲ୍‌ରେ ଏହି ଏଜେଣ୍ଟ୍‌ ସ୍ମିଥ୍‌ ଭାଇରସ୍‌ ରାଜ କରୁଛି। ଏମାନଙ୍କ ଭିତରେ ହୁଏତ ଆପଣ ବି ଥାଇପାରନ୍ତି। ତେଣୁ ଆପଣ ଏ ଦିଗରେ ସତର୍କ ରହିବା ଉଚିତ୍‌। ସୂଚନା ଓ ବୈଷୟିକ ବିଭାଗ ଏନେଇ ଏକ ସର୍କୁଲାର ଜାରି କରିବା ସହ ସାଇବର କ୍ରାଇମ୍‌ ପୁଲିସକୁ ଏହି ଭାଇରସର ବିପଦପୂର୍ଣ୍ଣ ଦିଗ ବାବଦରେ ସ‌ତର୍କ କରିଛି।

କ’ଣ କୁହନ୍ତି ସାଇବର ଏକ୍ସପର୍ଟ?

୧୩୨୫ ଆପ୍‌ ତଥ୍ୟ ଚୋରାଇ ନେଉଥିବା ଚିହ୍ନଟ କରାଯାଇଛି। ଯଦି ଆପଣ ଇଣ୍ଟରନେଟ୍‌ ଅନ୍‌ କରିଛନ୍ତି ଏବଂ ଥରେ ଏହି ହାନିକାରକ ଆପକୁ ଇନଷ୍ଟଲ୍‌ କରି‌ ଦେଇଛନ୍ତି ତେବେ ସେଇ ଆପ୍‌ ତା ସର୍ଭରକୁ ଆପଣଙ୍କ ମୋବାଇଲରେ ଥିବା ସବିଶେଷ ତଥ୍ୟ ଚୋରାଇ ନେବାର ଆଶଙ୍କା ରହିଛି। ଏମିତି କି ଇନଷ୍ଟଲ୍‌ କରିବା ପରେ ଆଲାଉ କିମ୍ବା ଡେନାଏ ଅପସନ୍‌ ମାଗିବା ପରେ ଯଦି ଆପଣ ଡେନାଏ ଉପରେ ବି କ୍ଲିକ୍‌ କରନ୍ତି ତେବେ ବି ଏହି ଆପ୍‌ ଆପଣଙ୍କ ତଥ୍ୟ ତା ସର୍ଭରକୁ ନେବାରେ ସଫଳ ହେବ ବୋଲି କହିଛନ୍ତି ସାଇବର ଏକ୍ସପର୍ଟ ଚିରାଗ ରଥ। ସଂପ୍ରତି ଓଡ଼ିଶାରେ ସିଆଇଡି କାର‌୍ୟ୍ୟାଳୟ, କଟକରେ ଏକମାତ୍ର ସାଇବର କ୍ରାଇମ୍‌ ପୁଲିସ୍‌ ଷ୍ଟେସନ୍‌ ରହିଥିବା ବେଳେ ଯଦି ଏହି ଭାଇରସ୍‌ ଯୋଗୁଁ ସାଇବର କ୍ରାଇମ୍‌ ସଂଖ୍ୟା ବୃଦ୍ଧି ପାଏ ତେବେ ଏହା ଓଡ଼ିଶା କ୍ଷେତ୍ରରେ ଆହ୍ବାନ ପାଲଟିବ ବୋଲି ସେ କହିଛନ୍ତି।