ଏଣିକି ସମସ୍ତଙ୍କ କମ୍ପ୍ୟୁଟର ଉପରେ ରହିବ କେନ୍ଦ୍ର ସରକାରଙ୍କ ନଜର ! ଗୃହ ମନ୍ତ୍ରାଳୟ ଜାରି କଲା ନିର୍ଦ୍ଦେଶନାମା ।

ଆପଣ କମ୍ପ୍ୟୁଟର ବ୍ୟବହାର କରୁଛନ୍ତି କି? ତେବେ ସାବଧାନ, ଆପଣଙ୍କ ତଥ୍ୟ ଉପରେ ଏଣିକି ରହିବ ତଦନ୍ତକାରୀ ସଂସ୍ଥାର ନଜର ।

398

କନକ ବ୍ୟୁରୋ: ଆପଣ କମ୍ପ୍ୟୁଟର ବ୍ୟବହାର କରୁଛନ୍ତି କି? ତେବେ ସାବଧାନ, ଆପଣଙ୍କ ତଥ୍ୟ ଉପରେ ଏଣିକି ରହିବ ତଦନ୍ତକାରୀ ସଂସ୍ଥାର ନଜର । କମ୍ପ୍ୟୁଟର ମାଧ୍ୟମରେ ଯାହା ବି କରୁଛନ୍ତି, ଯେକୌଣସି ମୁହୂର୍ତରେ ପୁରା ବିବରଣୀ ପାଇଯିବେ ୧୦ଟି କେନ୍ଦ୍ରୀୟ ଏଜେନ୍ସୀ । ଅର୍ଥାତ୍ ସ୍କାନରରେ ରହିବ ଆପଣଙ୍କ କମ୍ପ୍ୟୁଟର ।

କେବଳ ଇ-ମେଲ କିମ୍ବା କଲ୍ ନୁହେଁ. ଆପଣଙ୍କ ପୂରା କମ୍ପୁଟର ଏବେ କେନ୍ଦ୍ରୀୟ ଏଜେନ୍ସୀଙ୍କ ସ୍କାନରେ । ଅର୍ଥାତ୍ କମ୍ପୁଟରର ସବୁ ତଥ୍ୟ ଉପରେ ନଜର ରଖିବା ସହ ଆବଶ୍ୟକ ପଡ଼ିଲେ ଏହାର ଗତିରୋଧ କରିପାରିବେ କେନ୍ଦ୍ର ସରକାରଙ୍କ ୧୦ଟି ସଂସ୍ଥା । ଏ ନେଇ ନିର୍ଦ୍ଦେଶନାମା ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଗୃହ ସଚିବ ରାଜୀବ ଗୌବାଙ୍କ ଦସ୍ତଖତରେ ଏହି ନିର୍ଦ୍ଦେଶମାନା ପ୍ରକାଶ ପାଇଛି । ପୂର୍ବରୁ କେବଳ ଇ-ମେଲ୍ ଓ କଲ୍ ଉପରେ ନଜର ରଖା ଯାଉଥିବା ବେଳେ ନୂଆ ନିର୍ଦ୍ଦେଶନାମାରେ ଯେକୌଣସି ତଥ୍ୟକୁ ‘ଇଂଟରସେପ୍ସନ୍ ବା ଅବରୋଧ କରିବା, ମନିଟରିଂ ବା ନଜର ରଖିବା, ଡିକ୍ରିପସନ୍ ବା କୋଡ୍ ଭାଷାକୁ ସାଧାରଣ ଭାଷାରେ ବଦଳାଇବା ପାଇଁ କ୍ଷମତା ଦିଆଯାଇଛି । ଯେଉଁ ତଥ୍ୟ କମ୍ପୁଟରରେ ପ୍ରସ୍ତୁତ ହେଉଛି, ଯେଉଁ ତଥ୍ୟ ପଠାଯାଉଛି କିମ୍ବା ଯାହା କମ୍ପୁଟରରେ ଷ୍ଟୋର୍ ହୋଇ ରହୁଛି ସବୁକିଛି ଯାଂଚ କରିବାର ଅଧିକାର ପାଇଛନ୍ତି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ତେବେ ୧୦ଟି ସଂସ୍ଥାକୁ ଗୃହ ମନ୍ତ୍ରାଳୟ ଦେଇଛି ଏପରି ବିଶେଷ କ୍ଷମତା ।ଇଂଟେଲିଜେନ୍ସ ବ୍ୟୁରୋ, ନାର୍କୋଟିକ୍ କଂଟ୍ରୋଲ ବ୍ୟୁରୋ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ପ୍ରତ୍ୟକ୍ଷ କର କେନ୍ଦ୍ରୀୟ ବୋର୍ଡ, ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ବା ସିବିଆଇ, ଜାତୀୟ ତଦନ୍ତ ଏଜେନ୍ସୀ ବା ଏନ୍ଆଇଏ, ରିସର୍ଚ୍ଚ ଆଣ୍ଡ୍ ଆନାଲିସିସ୍ ୱିଙ୍ଗ୍ ବା ର’,ଜାମ୍ମୁ କାଶ୍ମୀର, ଉତ୍ତର-ପୂର୍ବ ରାଜ୍ୟ ଓ ଆସାମ୍ର ସିଗ୍ନାଲ୍ ଇଂଟେଲଜେନ୍ସ ନିର୍ଦ୍ଦେଶାଳୟ, ଦିଲ୍ଲୀ ପୋଲିସ କମିସନର୍ ସଂସ୍ଥା ଗୁଡିକୁ କ୍ଷମତା ପ୍ରଦାନ କରାଯାଇଛି ।

ଗୃହ ମନ୍ତ୍ରାଳୟର ଏପରି ନିର୍ଦ୍ଦେଶନାମା ଜାରି ହେବା ପରେ ଏହାକୁ ନେଇ ବିବାଦ ତେଜିବାରେ ଲାଗିଛି । ବିରୋଧୀ ଦଳ ଏହାକୁ ବ୍ୟକ୍ତିଗତ ଗୋପନୀୟତା ଅଧିକାର ଉପରେ ସରକାରଙ୍କ ହସ୍ତକ୍ଷେପ ବୋଲି କହୁଥିବା ବେଳେ ଅଭ୍ୟନ୍ତର ନିରାପତା ପାଇଁ ଏପରି ପଦକ୍ଷେପ ନିଆଯାଇଥିବା ଯୁକ୍ତି ବାଢିଛନ୍ତି କେନ୍ଦ୍ର ସରକାର ।