ସାପ ଦଂଶନକୁ ସାବଧାନ ! ଜୋତା ଠାରୁ ଆରମ୍ଭ କରି ଶେଯ ପର୍ଯ୍ୟନ୍ତ ନିଜକୁ ଏମିତି ରଖନ୍ତୁ ସୁରକ୍ଷିତ

84

କନକ ବ୍ୟୁରୋ : ଜୋତା ଭିତରେ ଲୁଚିଥିଲା ନାଗ । ପିନ୍ଧିବା କ୍ଷଣି ମାରିଲା ଚୋଟ । ଭୁବନେଶ୍ୱର ପଟିଆ ବୁଲୁ ରଂଜନ ରାଉତଙ୍କ ୭ ବର୍ଷର ପୁଅ ରିଷଭ ସ୍କୁଲ ଯିବା ପାଇଁ ଜୋତା ପିନ୍ଧୁଥିବା ବେଳେ ଜୋତା ଭିତରେ ଥିବା ନାଗ ସାପଟି କାମୁଡି ଦେଇଥିଲା । ।ରିଷଭଙ୍କ ଜେଜେ ସଙ୍ଗେ ସଙ୍ଗେ ଜୋତାକୁ ଝାଡିଦେବାରୁ ସେଥିରେ ଥିବା ନାଗ ସାପ ଛୁଆ ବାହାରିଥିଲା । ସାପଟି ରିଷଭଙ୍କୁ କାମୁଡିଥିବାରୁ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ଯଦିଓ ସାପ ଛୁଆଟି କାମୁଡିଥିଲା ରିଷଭ ମୋଟା ସକ୍ସ ପିନ୍ଧିଥିବାରୁ ସାପର ଦାନ୍ତଟିର ବିଷ ଭିତରକୁ ଯାଇପାରିନଥିଲା । ତେବେ ରିଷଭ ବର୍ତମାନ ସୁସ୍ଥ ଥିବା ଜଣାପଡିଛି । ଖବର ପାଇବା ପରେ ସ୍ନେକ ହେଲପ ଲାଇନ ସଦସ୍ୟ ପହଚିଂ ସାପଟିକୁ ଉଦ୍ଧାର କରିଥିଲେ ।

ତେବେ ଜୋତା ମଧ୍ୟର ନାଗ ସାପ ରହିବା କିଛି ନୂଆ କଥା ନୁହେଁ । ଏହାପୂର୍ବରୁ ହସ୍ପିଟାଲର ଏସି ମଧ୍ୟରେ, ଘରର ଆଲମାରିରେ ମଧ୍ୟ ସାପ ଦେଖିବାକୁ ମିଳିଛି । ଖାସକରି ଏହି ବର୍ଷାଦିନେ ହିଁ ସାପଙ୍କ ଆତଙ୍କ ଅଧିକ ଦେଖିବାକୁ ମିଳୁଛି । ଏପରିକି ମଝିରେ ପୂରା ରାଜ୍ୟରେ ଅଧିକାଂଶ ଲୋକଙ୍କ ଘରେ ସାପ ଦେଖିବାକୁ ମିଳିଥିଲା । ଗୋଟିଏ କିମ୍ବା ଦୁଇଟି ନୁହେଁ ଭଦ୍ରକର ଜଣେ ବ୍ୟକ୍ତିଙ୍କ ଘରୁ ଶହ ଶହ ନାଗ ସାପ ବାହାରିଥିଲା । ଆଉ ଏହାପରେ ପ୍ରତିଦିନ ଲୋକଙ୍କ ଘରୁ ସାପ ବାହାରୁଥିବା ଘଟଣା ସାମ୍ନାକୁ ଆସିଲା । ଏପରିକି ବିଷଧର ସାପ ମଣିଷର ଶେଯ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚି ଯାଇଥିଲା ।

ବର୍ଷାଦିନ ହୋଇଥିବାରୁ ସାପ ଆତଙ୍କ ଦେଖିବାକୁ ମିଳୁଛି । ଏସି ଠାରୁ ଆରମ୍ଭ କରି ଶେଯ ପର୍ଯ୍ୟନ୍ତ ପ୍ରତି ସ୍ଥାନରେ ସାପର ଉପସ୍ଥିତି ଦେଖିବାକୁ ମିଳୁଛି । ତେଣୁ ବର୍ଷାଦିନେ ଏହି ବିଷଧର ସାପ କବଳରୁ ରକ୍ଷା ପାଇବା ପାଇଁ କିଛି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ।
– ଘରକୁ ସର୍ବଦା ପରିଷ୍କାର ଓ ପରିଚ୍ଛନ୍ନ ରଖନ୍ତୁ
– ଅଳିଆ ଆବର୍ଜନା ଜମା କରନ୍ତୁ ନାହିଁ
– ଏସି, ଜୋତାକୁ ସର୍ବଦା ସଫା କରନ୍ତୁ
– ପାଖରେ ଉଇହୁଙ୍କା ଥିଲେ ସର୍ତକ ରୁହନ୍ତୁ

-ଶେଯ ବା ବିଛଣାକୁ ଯିବା ପୂର୍ବରୁ ଭଲ ଭାବେ ଝାଡି ଦିଅନ୍ତୁ

ଏସବୁ ଭିତରେ ଯଦି ସାପ ଦଂଶନ କରିଥାଏ ତେବେ ଝଡାଫୁଙ୍କା କିମ୍ବା ଗୁଣିଆକୁ ନ ଦେଖାଇ ତୁରନ୍ତ ହସ୍ପିଟାଲକୁ ନେଇଯାଆନ୍ତୁ । ନଚେତ୍ ବିପଦରେ ପଡିପାରନ୍ତି ।