କମ୍ପ୍ୟୁଟରକୁ ଆଟାକ୍ କରିବ ’ଲକି’ ! ରାନସମୱେର ଭାଇରସ ନେଇ କ୍ରାଇମବ୍ରାଂଚର ସତର୍କବାଣୀ

36

କନକ ବ୍ୟୁରୋ: ରାନସମୱେର ଭାଇରସ ନେଇ ସତର୍କ ସୂଚନା ଜାରି କଲା କ୍ରାଇମ ବ୍ରାଂଚ । ଏହି ଭାଇରସ୍ ଏବେ-ଲକି ନାଁରେ ଆସୁଥିବା କୁହାଯାଇଛି । ଏହି ଭାଇରସ ଇମେଲ୍ ଓ କମ୍ପ୍ୟୁଟର ଡାଟାକୁ ନଷ୍ଟ କରିପାରେ ବୋଲି କ୍ରାଇମ ବ୍ରାଂଚ କହିଛି । ତେଣୁ ଅଜଣା ଇମେଲ ନ ଖୋଲିବାକୁ ପରାମର୍ଶ ଦିଆଯାଇଛି । କମ୍ପ୍ୟୁଟରରେ ଆଂଟି ଭାଇରସ୍ ଲୋଡ୍ କରିବାକୁ ପରାମର୍ଶ ଦେଇଛି କ୍ରାଇମ ବ୍ରାଂଚ । ପୂର୍ବରୁ ୱାନାକ୍ରାଏ ଭାଇରସ୍ ଓଡିଶାର ବିଭିନ୍ନ ସରକାରୀ ଓ ବିସରକାରୀ ଅଫିସରେ କମ୍ପ୍ୟୁଟର ଡାଟା ନଷ୍ଟ କରିଥିଲା ।

ଏଠାରେ ଆମେ କହି ରଖୁଛୁ କି, କେନ୍ଦ୍ର ସରକାର ନୂଆ କମ୍ପ୍ୟୁଟର ଭାଇରସ୍ ଲକି ରାନସମଓୟାରକୁ ନେଇ ଏବେ ଚିନ୍ତିତ ହୋଇ ପଡ଼ିଛନ୍ତି । ଏହି ଭାଇରସ୍ ଆପଣଙ୍କ କମ୍ପ୍ୟୁଟର ସିଷ୍ଟମକୁ ଲକ୍ କରି ପକାଇବ ଓ ଖୋଲିବା ପାଇଁ ବିକଳ୍ପ ବ୍ୟବସ୍ଥା ନ ଥିବାରୁ ଏହି ଭାଇରସ୍ କଲେକସନ୍ (ଅର୍ଥ) ଦାବି କରୁଛି । ଏଣୁ ଏହାର ଆକ୍ରମଣରୁ ସତର୍କ ରୁହନ୍ତୁ ବୋଲି ସରକାରୀ ସ୍ତରରେ ସଚେତନ ହେବାକୁ ପରାମର୍ଶ ଦିଆଯାଇଛି।

ଆପଣଙ୍କ ଇ-ମେଲ ଆଟାଚମେଣ୍ଟ ମାଧ୍ୟମରେ ଏହି ଭାଇରସ୍ ସିଷ୍ଟମ୍ ମଧ୍ୟକୁ ପ୍ରବେଶ କରୁଥିବା ବେଳେ ଏଥିପ୍ରତି ସତର୍କ ରହିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏହି ଭାଇରସକୁ ସମଗ୍ର ଦେଶରେ ପ୍ରସାରଣ କରିବା ଲାଗି ପ୍ରାୟ ୨୩ ମିଲିୟନ୍ ମେସେଜ୍ ପଠାଇ ଦିଆଯାଇଛି ।

ମେ ମାସରେ ମହାରାଷ୍ଟ୍ର ସରକାର ଏହି ଭାଇରସ୍ ପାଇଁ କ୍ଷତିଗ୍ରସ୍ତ ହୋଇଥିଲେ । ଉକ୍ତ ରାଜ୍ୟର ସଚ୍ଚିବାଳୟରେ ପ୍ରାୟ ୧୫୦ଟି କମ୍ପ୍ୟୁଟର ହଠାତ୍ ଲକ୍ ହୋଇ ପଡିବା ପରେ ଘଟଣା ପଦାକୁ ଆସିଥିଲା । ଲକ୍ ହୋଇପଡିଥିବା ସିଷ୍ଟମରେ ରହିଥିବା କୌଣସି ଫାଇଲ ଖୋଲାଯାଇପାରିଲା ନାହିଁ । ଏହାକୁ ଖୋଲିବା ପାଇଁ ବିକଳ୍ପ ଭାବେ ପ୍ରୋଗ୍ରାମିଂ ମାଧ୍ୟମରେ ଅର୍ଥ ଦାବି କରାଯାଇଥିଲା, ଯାହାକି ଭାଇରସ୍ ଆକ୍ରମଣର ଫଳ ବୋଲି ସେ ସମୟରେ କୁହାଯାଇଥିଲା ।

ସୂଚନାଯୋଗ୍ୟ, ଗତ ମେ ମାସରେ ଭାରତର ସାଇବର ସୁରକ୍ଷା ଏଜେନ୍ସି ଶକ୍ତିଶାଳୀ ରାନସମଓୟାର ଭାଇରସ୍ ‘ଓ୍ଵାନାକ୍ରାଇ’ ବିରୋଧରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କୁ ସଚେତନ କରାଇଥିଲା ।