‘କାଳିଆ ଛାତ୍ରବୃତ୍ତି’ ଯୋଜନାକୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲା ଛାତ୍ର ବିଜେଡି । କହିଲା, ଉପକୃତ ହେବେ ଚାଷୀ ପରିବାରର ଛାତ୍ରଛାତ୍ରୀ ।

271

କନକ ବ୍ୟୁରୋ : ‘କାଳିଆ ଛାତ୍ରବୃତ୍ତି’ ଯୋଜନାକୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଓ କୃତଜ୍ଞତା ଜ୍ଞାପନ କରିଛି ବିଜୁ ଛାତ୍ର ଜନତା ଦଳ । ବିଜେଡି ଛାତ୍ର ସଭାପତି ରାଣାପ୍ରତାପ ପାତ୍ରଙ୍କ ନେତୃତ୍ୱରେ ଛାତ୍ର ବିଜେଡି ରାଜ୍ୟ କର୍ମକର୍ତ୍ତାଙ୍କ ସହ ଜିଲ୍ଲା କର୍ମକର୍ତ୍ତା ଓ ଶତାଧିକ କଲେଜ ଛାତ୍ରଛାତ୍ରୀ ସାମିଲ ହୋଇ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ ଛାତ୍ର ବିଜେଡି ଉପଦେଷ୍ଟା ଚିନ୍ମୟ ସାହୁଙ୍କ ସମେତ ମହାସଚିବ ହରିଶଙ୍କର ସାହୁ ଏବଂ ଛାତ୍ର ବିଜେଡିର ଅନେକ କର୍ମୀ ସାମିଲ ହୋଇଥିଲେ ।

ବିସିଜେଡି ପକ୍ଷରୁ କୁହାଯାଇଛି ଯେ, ‘କାଳିଆ ଛାତ୍ରବୃତ୍ତି’ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହା ଚାଷୀଙ୍କ ଭବିଷ୍ୟତ ସହ ସେମାନଙ୍କ ସନ୍ତାନସନ୍ତତିଙ୍କ ଭବିଷ୍ୟତ ଗଠନ ନିମନ୍ତେ ବହୁମାତ୍ରାରେ ସହାୟକ ହେବ । ମୁଖ୍ୟମନ୍ତ୍ରୀଙ୍କ ଏହି ଯୁଗାନ୍ତକାରୀ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ଦ୍ୱାରା ରାଜ୍ୟର ହଜାର ହଜାର ଚାଷୀ ପରିବାରର ଛାତ୍ରଛାତ୍ରୀ ଉପକୃତ ହେବେ । ତେଣୁ ମୁଖ୍ୟମନ୍ତ୍ରୀ କେବଳ ଚାଷୀ ନୁହେଁ, ଚାଷୀପିଲାଙ୍କ ଉଚ୍ଚଶିକ୍ଷାର ଦାୟିତ୍ୱଭାର ଗ୍ରହଣ କରି ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଥିବା ସଭାପତି ରାଣାପ୍ରତାପ ପାତ୍ର କହିଛନ୍ତି ।