ଟିମ ଇଣ୍ଡିଆର ନୂଆ କୋଚ ଦୌଡରେ ୨ ହଜାର ଆଶାୟୀ। ରବି ଶାସ୍ତ୍ରୀଙ୍କ ସ୍ଥାନରେ କାହାକୁ ଚୟନ କରିବ ବୋର୍ଡ ତାକୁ ନେଇ ବଢିଲା ଚର୍ଚ୍ଚା

235

କନକ ବ୍ୟୁରୋ: କିଏ ହେବ ଟିମ ଇଣ୍ଡିଆର କୋଚ ? ଏ ନେଇ ଚର୍ଚ୍ଚା ଜାରି ରହିଥିବାବେଳେ ଏଥିପାଇଁ ଆବେଦନ ହୋଇଛି ୨ହଜାରରୁ ଅଧିକ ଅବେଦନ ପତ୍ର । ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଲାଗି ବିସିସିଆଇକୁ ପ୍ରାୟ ୨ ହଜାରରୁ ଅଧିକ ଆବେଦନ ପତ୍ର ମିଳିଛି । ତେବେ ଆବେଦନକାରୀଙ୍କ ମଧ୍ୟରେ ମାନଦଣ୍ଡ ପୂରଣକାରୀଙ୍କ ସଂଖ୍ୟା କମ ରହିଛି ।  ଏପରିକି ବର୍ତ୍ତମାନର କୋଚ ରବି ଶାସ୍ତ୍ରୀଙ୍କୁ ଆହ୍ୱାନ ଦେଲା ଭଳିଆ ଆବେଦନ ଏଥିରେ ପ୍ରାୟ ନଥିବା ଜଣାପଡିଛି । କେବଳ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଟମ ମୁଡି ଓ ନ୍ୟୁଜିଲାଣ୍ଡର ପୂର୍ବତନ ପ୍ରଶିକ୍ଷକ ମାଇକ ହେସନ ଏଥିପାଇଁ ଆବେଦନ ଅଛନ୍ତି । ପୂର୍ବତନ ଭାରତୀୟ କ୍ରିକେଟର ଲାଲଚାନ୍ଦ ରାଜପୂତ ବି ଦୌଡରେ ଅଛନ୍ତି ।

ଅନ୍ୟପଟେ, ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ପଦରେ ପୂର୍ବତନ ଅଧିନାୟକ ରବି ଶାସ୍ତ୍ରୀ ପୁନଃ ଅବସ୍ଥାପିତ ହୋଇପାରନ୍ତି। ତାଙ୍କ ପ୍ରଶିକ୍ଷଣରେ ଭାରତୀୟ କ୍ରିକେଟ୍ ଦଳର ସଫଳତା ହାର ୭୦ ପ୍ରତିଶତରୁ ଅଧିକ ଥିବାରୁ କ୍ରିକେଟ୍ ପରାମର୍ଶଦାତା ସମିତି ତାଙ୍କ କାର୍ଯ୍ୟକାଳ ଆସନ୍ତାବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପ୍ ପର୍ଯ୍ୟନ୍ତ ବଢ଼ାଇବାର ଯଥେଷ୍ଟ ସମ୍ଭାବନା ରହିଛି। ୨୦୧୭ରେ ଆରମ୍ଭ ହୋଇଥିବା ଶାସ୍ତ୍ରୀଙ୍କ ଦୁଇ ବର୍ଷିୟା କାର୍ଯ୍ୟକାଳ ଏକଦିବସୀୟ ବିଶ୍ବକପ୍ ପରେ ପରେ ଶେଷ ହୋଇଯାଇଥିଲା। ୱେଷ୍ଟଇଣ୍ଡିଜ୍ ଗସ୍ତକୁ ଆଖି ଆଗରେ ରଖି ବିସିସିଆଇ ତାଙ୍କ ସହ ପୂରା ପ୍ରଶିକ୍ଷକ ମଣ୍ଡଳିର କାର‌୍ୟ୍ୟକାଳକୁ ୪୫ ଦିନ ପାଇଁ ବଢ଼ାଇଥିଲା। ତା’ ସହ ନୂଆ ପ୍ରଶିକ୍ଷକ ନିଯୁକ୍ତି ପାଇଁ ଆବେଦନ ଆହ୍ବାନ କରିଥିଲା। ଏଥିଲାଗି କପିଳ ଦେବଙ୍କ ଅଧ୍ୟକ୍ଷତାରେ କ୍ରିକେଟ୍ ପରାମର୍ଶଦାତା ସମିତି ମଧ୍ୟ ଗଠନ କରିଥିଲା। ସମିତି କିନ୍ତୁ ପୁଣି ଥରେ ଶାସ୍ତ୍ରୀଙ୍କ ମୁଣ୍ଡରେ ସୁନା କଳଶ ଢାଳିପାରେ। ଅଧିନାୟକ ବିରାଟ କୋହଲି ମଧ୍ୟ ଶାସ୍ତ୍ରୀଙ୍କୁ ଦୃଢ଼ ସମର୍ଥନ କରିଛନ୍ତି। ଯାହା ତାଙ୍କ ସପକ୍ଷରେ ଯାଇପାରେ।