ଭାରତ-ପାକ୍ ବିଶ୍ୱକପ ମ୍ୟାଚ ଉପରେ କଳାବାଦଲ ! ମ୍ୟାଚ ନଖେଳିବାକୁ ବିସିସିଆଇ ଦେଇପାରେ ପ୍ରସ୍ତାବ, ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା

175

କନକ ବ୍ୟୁରୋ : ପୁଲୱାମା ଆତଙ୍କୀ ହମାଲ୍ ପରେ ବିଶ୍ୱକପ କ୍ରିକେଟରୁ ପାକିସ୍ତାନକୁ ବାଦ ଦେବାପାଇଁ ଉଦ୍ୟମ ଆରମ୍ଭ କରିଛି ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ବା ବିସିସିଆଇ । ଏନେଇ ଭାରତୀୟ କ୍ରିକେଟ ବୋର୍ଡ ଅନ୍ତରାଷ୍ଟ୍ରିୟ କ୍ରିକେଟ ପରିଷଦ ଆଇସିସିକୁ ଚିଠି ଲେଖି ପାକସ୍ତାନକୁ ବିଶ୍ୱକପରୁ ବାହାର କରିବା ପାଇଁ ଆବେଦନ କରିବ । ପାକିସ୍ତାନକୁ ବିଶ୍ୱକପରୁ ବାଦ ନଦେଲେ ଭାରତ ଓହରି ଯିବ ବୋଲି ଚିଠିରେ ଲେଖିବେ ଜୋହରୀ । କ୍ରିକେଟ ପ୍ରଶାସକ କମିଟିର ଚେୟାରମ୍ୟାନ ବିନୋଦ ରାୟ ବିସିସିଆଇର ସିଇଓ ରାହୁଲ ଜୋହରୀଙ୍କୁ ଆଇସିସିକୁ ଚିଠି ଲେଖିବାକୁ କହିଛନ୍ତି ।

ତେବେ ସୂଚନା ଅନୁସାରେ ରାହୁଲ ଜୋହରୀ ଚିଠିରେ ପୁଲୱାମା ଆକ୍ରମଣ ପରେ ଦେଶରେ ପାକିସ୍ତାନ ବିରୋଧୀ ଆକ୍ରୋଶକୁ ଦୃଷ୍ଟିରେ ରଖି ଆଇସିସିରେ ଏହି ଆବେଦନ କରିବେ । ଆସନ୍ତା ୨୭ ଫେବୃୟାରୀରେ ସେ ଆଇସିସିର ପ୍ରସ୍ତାବିତ କାର୍ଯ୍ୟକ୍ରମରେ ଏନେଇ ପ୍ରଶ୍ନ ଉଠାଇବେ । ଏଥିସହ ଶୁକ୍ରବାର ବିସିସିଆଇ ସିଇଓ ଓ କ୍ରିଡା ପ୍ରଶାସକ କମିଟିର ସିଇଓଙ୍କ ସହ ବୈଠକ କରାଯିବ । ପୁଲୱାମା ଆକ୍ରମଣ ପରେ ଭାରତର କ୍ରିକେଟର ମାନେ ପାକିସ୍ତାନ ସହ ନ ଖେଳିବାକୁ ଦାବି କରିଛନ୍ତି ।

ହରଭଜନ ସିଂହ, ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲି, ଚେତନ ଚୌହ୍ୱାନ, ଗୌତମ ଗମ୍ଭୀର ଓ ପୁର୍ବତନ କ୍ୟାପଟେନ ମହମ୍ମଦ ଆଜାରୁଦ୍ଦିନ ପାକିସ୍ତାନ ସହ ନ ଖେଳିବାକୁ ଦାବି କରିଛନ୍ତି । ସୌରଭ ଗାଙ୍ଗୁଲି କହିଥିଲେ କେବଳ କ୍ରିକେଟ ନୁହେଁ ସବୁ ଖେଳରେ ପାକିସ୍ତାନ ସହ ସମ୍ପକ ଛିହ୍ନ କରାଯିବା ଉଚିତ୍ । ଆସନ୍ତା ଜୁନ୍ ୧୬ରେ ମଂଚେଷ୍ଟରରେ ଭାରତ ପାକିସ୍ତାନ ବିରୋଧରେ ବିଶ୍ୱ କପ୍ ମ୍ୟାଚ୍ ଖେଳିବାକୁ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ଟିକେଟ୍ ମଧ୍ୟ ବିକ୍ରିି ଶେଷ ହୋଇଛି ।