୧୦ ନମ୍ବର ଜର୍ସି କେବଳ ସଚିନଙ୍କର । ଆଉ କୌଣସି ଖେଳାଳି ୧୦ ନମ୍ବର ଜର୍ସି ସହ ପଡିଆକୁ ଆସିବେନି । ବିସିସିଆଇର ନିଷ୍ପତ୍ତି

39

ଆଉ କୌଣସି ଭାରତୀୟ କ୍ରିକେଟ୍ ଖେଳାଳି ପିନ୍ଧିବେ ନାହିଁ ୧୦ ନମ୍ବର ଜର୍ସି । କୌଣସି ବି ମ୍ୟାଚରେ ୧୦ ନମ୍ବର ଜର୍ସି ପିନ୍ଧି ଭାରତୀୟ ଟିମର ଖେଳାଳି ପଡ଼ିଆରେ ନଜର ଆସିବେ ନାହିଁ । ଆପଣ ଭାବୁଥିବେ ଏପରି କ’ଣ ହେଲା ଯେ ଖେଳପଡ଼ିଆରେ ୧୦ ନମ୍ବର ଜର୍ସିକୁ ବନ୍ଦ କରିଦିଆଯାଇଛି । ତେବେ ଏହାର ମୂଳରେ ଅଛନ୍ତି କ୍ରିକେଟର ଗଡ଼୍ ସଚିନ୍ ତେନ୍ଦୁଲକର । କ୍ରିକେଟ ଜଗର ବେତାଜ ବାଦଶାହା ସଚିନ୍ ତେନ୍ଦୁଲକର । ଯାହାଙ୍କ ନାମ ହିଁ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରେ । ବିଶ୍ୱ କ୍ରିକେଟର ଜଣେ ମାଇଲ ଖୁଣ୍ଟ । କ୍ରିକେଟର ଭଗବାନ ଆଉ ମାଷ୍ଟର ବ୍ଲାଷ୍ଟର ରୂପେ ସେ ବେଶ୍ ପରିଚିତ । ସଚିନ ତେନ୍ଦୁଲକର ୧୦ ନମ୍ବରର ଜର୍ସି ପିନ୍ଧି ଖେଳ ମଇଦାନକୁ ଓହ୍ଲାଉଥିଲେ । ଖେଳାଳିଙ୍କ ସହମତି ପରେ ବିସିସିଆଇ ଏହି ନିଷ୍ପତ୍ତି ନେଇଛି । ଆଗକୁ କୌଣସି ଭାରତୀୟ କ୍ରିକେଟ ଟିମର ଖେଳାଳିଙ୍କୁ ୧୦ ନମ୍ବରର ଜର୍ସି ଦିଆଯିବ ନାହିଁ । ସଚିନଙ୍କୁ ସମ୍ମାନ ଜଣାଇବାକୁ ଏହି ନିଷ୍ପତ୍ତି ନିଆଯାଇଥିବା ଅନୁମାନ କରାଯାଉଛି ।

sachin୧୦ ନମ୍ବର ଜର୍ସି କେବଳ ସଚିନଙ୍କ ନାମରେ ରହୁ ବୋଲି ବିସିସିଆଇ ଚାହୁଁଛି । ସଚିନଙ୍କ ପାଇଁ ଏହା ଖେଳାଳି ଓ ବୋର୍ଡ ତରଫରୁ ଏକ ସମ୍ମାନର ପ୍ରତୀକ ଭାବେ ରହୁ ବୋଲି ସେମାନେ ଚାହୁଁଛନ୍ତି । ୨୦୧୩ରେ ମାଷ୍ଟର ବ୍ଲାଷ୍ଟର ଅନ୍ତଃରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେଇଥିଲେ । ୨୦୧୨ ମାର୍ଚ୍ଚ ମାସରେ ସଚିନ ଶେଷ ଥର ପାଇଁ ପାକିସ୍ତାନ ବିପକ୍ଷ ଦିନିକିଆ ମ୍ୟାଚରେ ୧୦ ନମ୍ବର ଜର୍ସି ପରିଧାନ କରିଥିଲେ । ତାଙ୍କ ପରେ ୫ବର୍ଷ ପର୍ଯ୍ୟନ୍ତ ୧୦ ନମ୍ବର ଜର୍ସିକୁ କେହି ମଧ୍ୟ ପିନ୍ଧି ପଡ଼ିଆକୁ ଓହ୍ଲାଇନାହାନ୍ତି । ଚଳିତ ବର୍ଷ ଅଗଷ୍ଟ ମାସରେ ଶ୍ରୀଲଙ୍କା ବିପକ୍ଷରେ ବୋଲିଂ କରୁଥିବା ଶାର୍ଦ୍ଦୁଲ ଠାକୁର ୧୦ ନମ୍ବର ଜର୍ସି ପିନ୍ଧିଥିଲେ । ତେବେ ଏହାକୁ ଖେଳପ୍ରେମୀ କଡା ବିରୋଧ କରିଥିଲେ । ସଚିନଙ୍କ ଜର୍ସି କେହି ପରିଧାନ କରୁ ଏକଥା ଦର୍ଶକ ପସନ୍ଦ କରିନଥିଲେ । ଏନେଇ ସୋସିଆଲ ମିଡିଆରେ ଶାର୍ଦ୍ଦୁଲ ଠାକୁରଙ୍କୁ ଟ୍ରୋଲ କରାଯାଇଥିଲା । ଶାର୍ଦ୍ଦୁଲ ଠାକୁର ସଚିନ ହେବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ମଧ୍ୟ ଖେଳପ୍ରେମୀ ସମାଲୋଚନା କରିଥିଲେ ।

ପୂନର୍ବାର ୧୦ ନମ୍ବର ଜର୍ସିକୁ ନେଇ କୌଣସି ବିବାଦ ସୃଷ୍ଟି ନହେବା ପାଇଁ ବିସିସିଆଇ ଏପରି ପଦକ୍ଷେପ ନେଇଛି । କାରଣ ଏଥିପାଇଁ କ୍ରିକେଟରଙ୍କୁ ମଧ୍ୟ ସମାଲୋଚନାର ଶିକାର ହେବାକୁ ପଡ଼ୁଛି । ଏହାଦ୍ୱାରା ଖେଳାଳିଙ୍କ ପ୍ରଦର୍ଶନ ଉପରେ ମଧ୍ୟ କୁପ୍ରଭାବ ପଡୁଛି । ସମସ୍ତ ଦିଗ ପ୍ରତି ଧ୍ୟାନ ରଖି ବିସିସିଆଇ ୧୦ ନମ୍ବର ଜର୍ସିକୁ ଆଉ କେଉଁ ଖେଳାଳିଙ୍କୁ ଦେବନାହିଁ ବୋଲି ନିଷ୍ପତ୍ତି ହୋଇଛି । ‘ଇଣ୍ଡିଆ ଏ’ କିମ୍ବା କୌଣସି ପ୍ରକାର ଘରୋଇ ମ୍ୟାଚରେ ଖେଳାଳିଙ୍କୁ ୧୦ ନମ୍ବର ଜର୍ସି ପିନ୍ଧିବା ପାଇଁ ଅନୁମତି ରହିଛି । କିନ୍ତୁ ଅନ୍ତଃରାଷ୍ଟ୍ରୀୟ କ୍ରିକେଟ ମ୍ୟାଚରେ କୌଣସି ଭାରତୀୟ ଖେଳାଳି ୧୦ ନମ୍ବର ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବେ ନାହିଁ । ସୂଚନାଯୋଗ୍ୟ ଆଇପିଏଲ ଟିମ୍ ମୁମ୍ବାଇ ଇଣ୍ଡିଆନସ ମଧ୍ୟ ୨୦୧୩ରେ ସଚିନଙ୍କ ଅବସର ପରେ ୧୦ ନମ୍ବର ଜର୍ସିକୁ ଆଉ କେଉଁ ଟିମ ମେମ୍ବରଙ୍କୁ ଦେଇନଥିଲା ।