ପାକିସ୍ତାନ-ଭାରତ ୱାଲ୍ଡକପ୍ ମ୍ୟାଚକୁ ନେଇ ସସପେନ୍ସ ଜାରି: ବିସିସିଆଇର କାର୍ଯ୍ୟକାରୀ ସଭାପତି କହିଲେ, ଖେଳକୁ ନେଇ ସରକାର ନିଷ୍ପତି ନେବେ

ମ୍ୟାଚକୁ ନେଇ ସକରାତ୍ମକ ମନୋଭାବ ରହିବା ଦରକାର

117

କନକ ବ୍ୟୁରୋ: ପୁଲୱାମା ହମଲା ପରେ ବିଶ୍ୱକପରେ ଭାରତ ପାକିସ୍ତାନ ବିରୋଧରେ ମ୍ୟାଚ୍ ଖେଳିବ କି ନାହିଁ ତାହାକୁ ନେଇ ଏବେ ବି ସସପେନ୍ସ ଜାରି ରହିଛି । କ୍ରିକେଟ୍ ପ୍ରଶାସକ କମିଟି ସ୍ପଷ୍ଟ କରିଛି ଚୂଡାନ୍ତ ନିଷ୍ପତି କେନ୍ଦ୍ର ସରକାର ନେବେ । ତେବେ ଓଡିଶା ଗସ୍ତରେ ଆସିଥିବା ବିସିସିଆଇର କାର୍ଯ୍ୟକାରୀ ସଭାପତି ସି.କେ ଖାନ୍ନା ଏନେଇ ମତ ରଖିଛନ୍ତି । କହିଛନ୍ତି, ଖେଳକୁ ନେଇ ସରକାର ନିଷ୍ପତି ନେବେ । ତେବେ କ୍ରିକେଟ୍ ମ୍ୟାଚକୁ ନେଇ ସକରାତ୍ମକ ମନୋଭାବ ରହିବା ଦରକାର ।

କିଛିଦିନ ତଳେ ପାକିସ୍ତାନ ବିପକ୍ଷ ମ୍ୟାଚ ବହିଷ୍କାର କରିବା ନିଷ୍ପତି ବିସିସିଆଇ ସରକାରଙ୍କ ଉପରେ ଛାଡି ଦିଆଯାଇଛି ଓ ସରକାର ଯାହା ବି ନିଷ୍ପତି ନେବେ ତାହାକୁ ବିସିସିଆଇ ମାନିବ ବୋଲି ବୋର୍ଡର ସିଓଏ ବିନୋଦ ରାୟ କହିଥିଲେ । ସରକାରଙ୍କ ସହ ଆଲୋଚନା ପରେ ଏନେଇ କୌଣସି ନିଷ୍ପତି ନିଆଯିବ । ବିଶ୍ୱକପକୁ ଆହୁରି ୩ ମାସ ସମୟ ବାକି ଥିବା ବେଳେ ଆଇସିସିର ବୈଠକରେ ବିସିସିଆଇ ପାକିସ୍ତାନକୁ ନେଇ ନିଜର ସମସ୍ୟା ଜଣାଇବ ବୋଲି ବିନୋଦ ରାୟ କହିଥିଲେ ।ଭାରତ ଓ ପାକିସ୍ତାନ ମଧ୍ୟରେ ଜୁନ୍ ୧୬ରେ ବିଶ୍ୱକପର ଲିଗ୍ ମ୍ୟାଚ୍ ଖେଳାଯିବାକୁ ସ୍ଥିର କରାଯାଇଛି । ପାକିସ୍ତାନ ବିପକ୍ଷ ରାଉଣ୍ଡ ରବିନ୍ ମ୍ୟାଚ୍ ଭାରତ ବହିଷ୍କାର କଲେ, ଉଭୟ ଆଇସିସି ଓ ବିଜ୍ଞାପନ କମ୍ପାନିକୁ ପ୍ରବଳ ମାତ୍ରାରେ ଆର୍ଥିକ କ୍ଷତି ସହିବାକୁ ପଡିପାରେ । ଏହାଛଡା ଭାରତ ପାକିସ୍ତାନ ବିପକ୍ଷ ମ୍ୟାଚ ନ ଖେଳିଲେ ଏଭଳି ସ୍ଥିତିରେ ପାକିସ୍ତାନକୁ ବିଜୟୀ ଘୋଷିତ କରାଯିବ ।

ମିଳିଥିବା ସୂଚନା ଅନୁଯାୟୀ, ସରକାର ଚାହୁଁଛନ୍ତି ନକଆଉଟ ପର୍ଯ୍ୟାୟରେ ମଧ୍ୟ ପାକିସ୍ତାନ ବିପକ୍ଷ ମ୍ୟାଚକୁ ବହିଷ୍କାର କରୁ ଭାରତ । ଏହାପୂର୍ବରୁ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଓ ହରଭଜନ ସିଂ ମଧ୍ୟ ପାକିସ୍ତାନ ବିପକ୍ଷ ରାଉଣ୍ଡ ରବିନ ମ୍ୟାଚକୁ ଭାରତ ବହିଷ୍କାର କରୁ ବୋଲି ଦାବି କରି ଆସୁଛନ୍ତି । ଗାଙ୍ଗୁଲିଙ୍କ କହିବା ଅନୁଯାୟୀ, ୧୦ଟି ଟିମକୁ ନେଇ ବିଶ୍ୱକପ ଖେଳାଯିବ । ପ୍ରତ୍ୟେକ ଅନ୍ୟ ୯ଟି ଟିମ୍ ସହ ରାଉଣ୍ଡ ରବିନ ମ୍ୟାଚ୍ ଖେଳିବେ । ତେଣୁ ଭାରତ ରାଉଣ୍ଡ ରବିନ ମ୍ୟାଚରେ ପାକିସ୍ତାନ ସହ ଯଦି ନ ଖେଳେ ତେବେ ମଧ୍ୟ ଭାରତୀୟ ଟିମ୍ ଉପରେ ସେଭଳି କୌଣସି ପ୍ରଭାବ ପଡିବ ନାହିଁ ।