ଅଧରାତିରେ ଭୁବନେଶ୍ୱର ବିମାନବନ୍ଦରରେ ଅଘଟଣ । ଭୁଷୁଡିଲା ଟର୍ମିନାଲ ୧ ଓ ୨ କୁ ସଂଯୋଗ କରୁଥିବା ନିର୍ମାଣାଧୀନ ଛାତ । ଜଣେ ଶ୍ରମିକ ମୃତ, ଜଣେ ଗୁରୁତର

ବିମାନ ଚଳାଚଳ ସ୍ୱାଭାବିକ

247

କନକ ବ୍ୟୁରୋ: ଭୁବନେଶ୍ୱର ବିମାନବନ୍ଦରରେ ଅଘଟଣ । ଭୁଷୁଡିଲା ନିର୍ମାଣାଧୀନ ଛାତ । ଏହି ଛାତ ନେଇଗଲା ଜଣେ ଶ୍ରମିକଙ୍କ ଜୀବନ । ଆଉ ଜଣେ ଅଳ୍ପକେ ମୃତ୍ୟୁ ମୁହଁରୁ ବଂଚି ଯାଇଛନ୍ତି । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଟର୍ମିନାଲ ୧ ଓ ଟର୍ମିନାଲ ୨କୁ ସଂଯୋଗ କରିବାକୁ ଏକ ଛାତର ନିର୍ମାଣ ଚାଲିଥିଲା । ଶୁକ୍ରବାର ରାତିରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଏହି ନିର୍ମାଣ କାମ ଚାଲିଥିବା ବେଳେ ଏହା ଭୁଷୁଡି ପଡିଲା । ଏହା ତଳେ ଚାପି ହୋଇ ରହିଯାଇଥିଲେ ଶ୍ରମିକ ମାନେ । ଦୁର୍ଘଟଣାର ଖବର ପାଇ ଓଡ୍ରାଫ, ଅଗ୍ନିଶମ, ଏନଡିଆରଏଫ୍ ର ଟିମ୍ ପହଁଚି ଉଦ୍ଧାର କାମ କରିଥିଲା ।

ଛାତ ତଳେ ଫସିଥିବା ଶ୍ରମିକଙ୍କ ମଧ୍ୟରୁ ଜଣେ ଗୁରୁତର ଆହତ ହୋଇଥିଲେ । ଉଦ୍ଧାର ପରେ ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି । ତାଙ୍କ ନାମ ନବକିଶୋର ସ୍ୱାଇଁ , ଘର ଢେଙ୍କାନାଳ ଅଂଚଳରେ ବୋଲି ଜଣାପଡିଛି । ଆଉ ଜଣେ ଶ୍ରମିକ ଯିଏ କି ଛାତ ତଳେ ଦୀର୍ଘ ୨ ଘଂଟାରୁ ଅଧିକ ସମୟ ଧରି ଫସି ରହିଥିଲେ ତାଙ୍କର ମୃତ୍ୟୁ ହୋଇଛି । ସନ୍ଧାନୀ କୁକୁର ଜରିଆରେ ତାଙ୍କୁ ଠାବ କରାଯିବା ପରେ ସମସ୍ତ ଲୁହା ରଡକୁ ବାହାର କରି ତାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ସମସ୍ତ ପରୀକ୍ଷା କରିବା ପରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଶ୍ରମିକଙ୍କ ନାମ ଅନ୍ତର୍ଯ୍ୟାମୀ ଗୁରୁ । ତାଙ୍କ ଘର ବଡମ୍ୱା ଅଂଚଳରେ ବୋଲି ସୂଚନା ମିଳିଛି ।