ଲଘୁଚାପ ଯୋଗୁଁ ରାଜ୍ୟରେ ଲାଗି ରହିଛି ତୁହାକୁ ତୁହା ବର୍ଷା : ୧୬ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗର ପୂର୍ବାନୁମାନ

32

କନକ ବ୍ୟୁରୋ : ରାଜ୍ୟରେ ଆରମ୍ଭ ହୋଇଯାଇଛି ଲଘୁଚାପ ବର୍ଷା । ଗତକାଲିଠାରୁ ତୁହାକୁ ତୁହା ବର୍ଷା ଲାଗି ରହିଛି । ୧୬ରୁ ଅଧିକ ଜିଲ୍ଲାରେ ପ୍ରବଳ ବର୍ଷା ହେବ । କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଲଗାଣ ବର୍ଷାର ସ୍ଥିତି ମୁକାବିଲା ପାଇଁ ସତର୍କ ସୂଚନା ଦିଆଯାଇଛି । ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।

image courtesy – Scroll.in

ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଲଘୁଚାପ ରୂପ ନେଇଛି। ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ଅଧା ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସତର୍କ କରାଇଛି। କିଛି ସ୍ଥାନରେ ୨୦୪ମିମି ବା ତା ଠାରୁ ଅଧିକ ବର୍ଷା ହୋଇପାରେ। ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଥିବ ସୂଚନା ମିଳିଛି । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବା ଲାଗି ଏସ୍ଆର୍ସିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ସେହିଭଳି ବିଭିନ୍ନ ନଦୀରେ କାଳେ ଜଳପତ୍ତନ ବୃଦ୍ଧି ପାଇବ, ଘାଇ ସୃଷ୍ଟି ହେବ, ସେ ନେଇ ପରିସ୍ଥିତି ଉପରେ ନଜର ରଖିବା ଲାଗି ଜଳସଂପଦ ବିଭାଗ ନିଜର ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିବା ପ୍ରମୁଖ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି ।

ତେବେ ୧୪ ଜିଲ୍ଲାକୁ ଅଧିକ ବିପଦ ଥିବା କୁହାଯାଉଛି। ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଯଦିଓ ବର୍ଷା ଆରମ୍ଭ ହୋଇଗଲାଣି, ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷାର ପରିମାଣ ଆଜି ବଢିବ। ମଙ୍ଗଳବାର ଅପରାହ୍ନ ସୁଦ୍ଧା ରାୟଗଡ଼ା, କଳାହାଣ୍ଡି, କୋରାପୁଟ, କନ୍ଧମାଳ, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଧା, କଟକ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ସୋନପୁର, ସମ୍ବଲପୁର ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବ। ଏଥିସହ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ୧୫ ତାରିଖ ରାତି ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଏହାପରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହ୍ରାସ ପାଇବ। କିନ୍ତୁ ଉତ୍ତର ଓଡ଼ିଶା ସମେତ ନୂଆପଡ଼ା, ବଲାଙ୍ଗୀର, ସୋନପୁର, ନୟାଗଡ଼ ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ।

ଚଳିତବର୍ଷ ଗୋଟିଏ ପରେ ଗୋଟିଏ ଲଘୁଚାପ ହେଉଥିବା ନେଇ ପ୍ରଫେସର ପଶୁପାଳକ କହିଛନ୍ତି ଯେ ଅଗଷ୍ଟ ମାସରେ ଉତ୍ତର ବଙ୍ଗୋପସାଗରରେ ଗୋଟିଏ ପରେ ଗୋଟିଏ ଘୂର୍ଣ୍ଣିବଳୟ ଓ ଲଘୁଚାପ ସୃଷ୍ଟି ହେବା ମୌସୁମୀର ଏକ ବିଶେଷତ୍ୱ ପାଲଟିଛି । ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପର ପ୍ରଭାବ ଯେ କେବଳ ଓଡ଼ିଶା ଉପରେ ପଡ଼ୁଛି ତାହା ନୁହେଁ। ଛତିଶଗଡ଼, ଝାଡଖଣ୍ଡ, ଉତ୍ତରପ୍ରଦେଶ, ଦିଲ୍ଲୀ, ପଶ୍ଚିମବଙ୍ଗ, ପଞ୍ଜାବ ଓ ହରିଆନାରେ ବି ବର୍ଷା କରାଉଛି। ଲଘୁଚାପ ଜନିତ ବର୍ଷା ଲଘୁଚାପ ବଳୟର ବହୁ ଦୂରରେ ବର୍ଷା କରାଉଛି। ତୁହାକୁ ତୁହା ବର୍ଷା ନ ହୋଇ କେତେକ ସ୍ଥାନରେ ଭାରି ବର୍ଷା ସୃଷ୍ଟି ହେଉଥିବା ନେଇ ସେ ସୂଚନା ଦେଇଛନ୍ତି।

ଆଜି ରାଜ୍ୟର ୨୦ଟି ବ୍ଲକରେ ୫୦ ମିମିରୁ ଅଧିକ ବର୍ଷା ହୋଇଛି। ସୁନ୍ଦରଗଡ଼ର ବଡ଼ଗାଁରେ ସର୍ବାଧିକ ୧୦୦ ମିମି ବର୍ଷା ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକରେ ୯୬, କଲାମପୁରରେ ୭୫, ନବରଙ୍ଗପୁରର ରାୟଘରରେ ୯୪, ଉମରକୋଟରେ ୮୩, କୋରାପୁଟ ଜିଲ୍ଲାର ନନ୍ଦପୁରରେ ୮୭.୪, ସିମିଳିଗୁଡ଼ାରେ ୭୧, ସମ୍ବଲପୁରର ରେଙ୍ଗାଳିରେ ୮୪.୪, ସୁନ୍ଦରଗଡ଼ର କୁର୍ତ୍ତାରେ ୮୨.୨, କେନ୍ଦୁଝର ଜିଲ୍ଲାର ଘସିପୁରାରେ ୮୦.୪, ଆନନ୍ଦପୁରରେ ୭୦.୪, ଗଞ୍ଜାମର କବିସୂର୍ଯ୍ୟନଗରରେ ୭୧ ମିମି ବର୍ଷା ହୋଇଥିବା ନେଇ ଏସ୍ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଗତ ୩୦ ଘଣ୍ଟା ମଧ୍ୟରେ କୋରାପୁଟ ଜିଲ୍ଲାରେ ସର୍ବାଧିକ ୫୮.୪ ମିମି ହୋଇଥିବା ବେଳେ କଟକରେ ୪୧.୬, ପୁରୀରେ ୩୬.୬, ମାଲକାନଗିରିରେ ୨୨, ଭୁବନେଶ୍ୱରରେ ୧୩.୭ ମିମି ବର୍ଷା ହୋଇଛି।