ପ୍ରଧାନମନ୍ତ୍ରୀଙ୍କ ଗଡରେ ବ୍ରାଣ୍ଡ ମୋଦିର ବଡ଼ ପରୀକ୍ଷା । ଗୁଜୁରାଟରେ ବିଜୟଧାରା ବଜାୟ ରଖିବ ବିଜେପି ନା କମାଲ କରିବ କଂଗ୍ରେସ ?

150

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ଗଡ଼ରେ ବ୍ରାଣ୍ଡ ମୋଦିର ବଡ଼ ପରୀକ୍ଷା । ଆଜି ଗଜୁରାଟର ସମସ୍ତ ୨୬ ଲୋକସଭା ଆସନ ପାଇଁ ମତଦାନ ହୋଇଛି । ଏବେ ପ୍ରଶ୍ନ ଉଠୁଛି ଯେ, ୨୦୧୪ରସଫଳତା ଦୋହରାଇବ ବିଜେପି ନା ୨୦୧୭ ବିଧାନସଭା ନିର୍ବାଚନ ପରି କଡା ଟକ୍କର ଦେବ କଂଗ୍ରେସ । ଗାନ୍ଧୀନଗରରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ମା’ଙ୍କୁ ସାକ୍ଷାତ କରିବା ପରେ ଅହମଦାବାଦରୁ ମତଦାନ କରିଛନ୍ତି । ସେହିପରି ଅମିତ ଶାହ ବି ଅହମଦାବାଦରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।

ଗୁଜରାଟରେ କିଏ ମାରିବ ବାଜି । ମୋଦିଙ୍କ ଗଡରେ ବିଜେପି ସଫଳତା ଦୋହରାଇବ ନା କଂଗ୍ରେସ ପ୍ରତ୍ୟାବର୍ତନ କରିବ । ଏଭଳି ଅନେକ ପ୍ରଶ୍ନ ସହ ପଶ୍ଚିମର ଏହି ଉପକୂଳବର୍ତୀ ରାଜ୍ୟର ୨୬ଟି ଆସନ ପାଇଁ ଭୋଟଗ୍ରହଣ ହୋଇଛି । ବିଜେପିର ଆଶା ହେଉଛି ମୋଦି ଲହର ଓ ଅମିତ ଶାହଙ୍କ ନିର୍ବାଚନ ମୈଦାନକୁ ଓହ୍ଲାଇବା । ଆଡଭାନୀଙ୍କ ପାରମ୍ପାରିକ ଗାନ୍ଧିନଗର ଆସନରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ନିର୍ବାଚନ ଲଢୁଛନ୍ତି । ଏହା ସହ ଶାହା ଏଥର ଲୋକସଭା ନିର୍ବାଚନରେ ତାଙ୍କର ଡେବ୍ୟୁ କରିଛନ୍ତି ।

୨୦୧୪ ସାଧାରଣ ନିର୍ବାଚନରେ ଗୁଜରାଟର ୨୬ଟି ଯାକ ଆସନରେ ବିଜେପି ଜିତିଥିଲା । ଏଥର କିନ୍ତୁ ଗୁଜରାଟରେ ରାଜନୈତିକ ସ୍ଥିତି ଭିନ୍ନ । ୨୦୧୭ ବିଧାନସଭା ନିର୍ବାଚନରେ ବିଜେପିକୁ କଡା ଟକ୍କର ଦେଇଥିଲା କଂଗ୍ରେସ । ହାର୍ଦ୍ଦିକ ପଟେଲ, ଅଳ୍ପେଶ ଠାକୁର ଓ ଜିଗ୍ନେଶ ମେୱାନୀଙ୍କ ସହାୟତାରେ କଂଗ୍ରେସ ଭଲ ପ୍ରଦର୍ଶନ କରିଥିଲା । ଏବେ ସଫଳତା ଦୋହରାଇବା ଲକ୍ଷ୍ୟରେ ରହିଛି କଂଗ୍ରେସ । କିନ୍ତୁ ୨୦୧୭ ଅପେକ୍ଷା କଂଗ୍ରେସ ଏବେ ସାମାନ୍ୟ ଦୁର୍ବର୍ଳ ହୋଇଛି । କିଛି ବିଧାୟକ ଓ ଅଳ୍ପେଶ ଠାକୁର କଂଗ୍ରେସ ଛାଡିସାରିଛନ୍ତି । ଏହାସତ୍ୱେ ସରକାର ବିରୋଧୀ ହାୱା, କୃଷକ ଅସନ୍ତୋଷ ଓ ପଟ୍ଟିଦାର ଆନ୍ଦୋଳନକୁ କେନ୍ଦ୍ରକରି କଂଗ୍ରେସ ଭଲ କରିବ ବୋଲି ଆଶା ରଖିଛି ।

୨୦୧୪ପରି ନିର୍ବାଚନ ଜିତି ପୁଣି ସରକାର ଗଠନ କରିବା ଦିଗରେ ଆଗେଇବାକୁ ବିଜେପି ପ୍ରୟାସ କରୁଛି । ମୋଦି ଲହର ଓ ଅମିତ ଶାହଙ୍କ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ନେଇ ବିଜେପି ବେଶ ଆଶା ରଖିଛି । ମୋଦିଙ୍କ ନିଜ ଗୃହ ରାଜ୍ୟ ହେଉଛି ଗୁଜରାଟ । ଏହାଛଡା ବିଜେପି ସଭାପତି ଅମତି ଶାହ ଗାନ୍ଧିନଗର ଆସନରୁ ନିର୍ବାଚନ ଲଢୁଛନ୍ତି । ତେଣୁ ବିଜେପି ଆଶା ରଖିଛି ମୋଦିଙ୍କ ସାହାରାରେ ବିଜେପି ନିର୍ବାଚନ ବୈତରଣୀ ପାର ହେବ ।