ଚାଷ ଜମିରେ ସମୂଦ୍ର ଜୁଆର : ଚାଷ ଉଜାଡିବ କି ଲୁଣି ପାଣି, ଚିନ୍ତାରେ ଅସ୍ତରଙ୍ଗର କୋରଣ ପଂଚାୟତ ୪ଟି ଗାଁର ଚାଷୀ?

102

କନକ ବ୍ୟୁରୋ : ଗୋଟିଏ ପଟେ ବର୍ଷା ଅଭାବରୁ ଚାଷ ନଷ୍ଟ ହେଉଥିବା ବେଳେ ଅନ୍ୟପଟେ ଜମିରେ ମାଡିଯାଇଛି ସମୁଦ୍ର ଜୁଆର । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ୪୦ ଏକର ଜମିରେ ଲହଡି ମାରୁଛି ଲୁଣା ପାଣି । ଫଳରେ ଜମିରେ ଚଳିତ ବର୍ଷ ଧାନ ଚାଷ ହେବ କି ନାହିଁ ତାକୁ ନେଇ ଚିନ୍ତାରେ ପଡିଛି ଚାଷୀ ।

ଚାଷ ଜମିରେ ସମୁଦ୍ର ଜୁଆର । ଚାଷ ଉଜାଡିବ କି ଲୁଣି ପାଣି । ଏମିତି ଅନେକ କିଛି ପ୍ରଶ୍ନ ଉଂକିମାରୁଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ କୋରଣ ପଂଚାୟତ ୪ଟି ଗାଁର ଚାଷୀଙ୍କ ମନରେ । କେଳୁଣୀ ମୂହାଣ ସାମ୍ନାରେ ଥିବା କଲଭର୍ଟ ମଧ୍ୟ ଦେଇ ହଠାତ୍ ନଟରା, କରାଳ, ବନ୍ଦାରୀ ଓ ସିସୁଆ ଗାଁର ୪୦ ଏକର ଜମିରେ ମାଡି ଯାଇଛି ଲୁଣା ଜୁଆର । ଫଳରେ ଚାଷ ଜମିରେ ଧାନ ଫସଲ ହେବ କି ନାହିଁ ତାକୁ ନେଇ ଚାଷୀଙ୍କ ମଧ୍ୟରେ ଭାଳେଣୀ ପଡିଛି ।

ଗୋଟିଏ ପଟେ ମୌସୁମୀ ହଜି ଯାଇଥିବା ବେଳେ ହଠାତ୍ ସମୁଦ୍ରର ଲୁଣା ଜୁଆର ଚାଷ ଜମିରେ ମାଡି ଯାଇଛି । ଲୁଣି ପାଣି ଯୋଗୁଁ ଜମିର ମାଟି ଲୁଣି ମାଡି ଗଲାଣି । ତେବେ କାକଟପୁର ଜଳସେଚନ ବିଭାଗ ଅଧିନରେ ଥିବା କଲଭର୍ଟ କେମିତି ଖୋଲିଲା, କେମିତି ଜୁଆର ମାଡିଲା ତାହା ଏବେ ମୂଳ ପ୍ରଶ୍ନ ପାଲଟିଛି । ଜଳ ବିହୁନେ ସୃଷ୍ଟି ନାସ, ଜଳ ବହୁଳେ ସୃଷ୍ଟିନାସ କଥାଟି ବର୍ତମାନ ଚାଷୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ।