ପୁରୀ ବଡଦାଣ୍ଡରେ ଗଡିଲା ବ୍ୟାଟେରୀ ଚାଳିତ ଅଟୋ : ମାଗଣାରେ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ରୋଗୀଙ୍କୁ ଦିଆଯିବ ସେବା

22

କନକ ବ୍ୟୁରୋ: ପୁରୀ ବଡଦାଣ୍ଡରେ ଆରମ୍ଭ ହୋଇଛି ବ୍ୟାଟେରୀ ଚାଳିତ କାର୍ । ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ରୋଗୀଙ୍କୁ ନିଶ୍ୁଳ୍କ ଶ୍ରୀମନ୍ଦିର ପର୍ଯ୍ୟନ୍ତ ନେଇଯିବ ଏହି ଇ-ଅଟୋ । ପ୍ରଥମ ପର୍ଯ୍ୟାୟରେ ୫ଟି ଇ-ଅଟା ଚଳାଚଳ ଆରମ୍ଭ କରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଆହୁରୀ ୨୦ଟି ଇ-ଅଟୋ ନାଲକୋ ପକ୍ଷରୁ ଦିଆଯିବ । ନାଲକୋ ପକ୍ଷରୁ ବଡଦାଣ୍ଡରେ ଏହି ଇ-ଅଟୋ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି ।

ଆଜିଠାରୁ ଜଗନ୍ନାଥ ବଲ୍ଲଭ ମଠ ପରିସରସ୍ଥିତ ପାର୍କିଂସ୍ଥଳରୁ ଶ୍ରୀମନ୍ଦିର ଯାଏ ନାଲକୋ ପ୍ରଦତ୍ତ ମାଗଣା ବ୍ୟାଟେରୀଚାଳିତ ଗାଡିର ଶୁଭାରମ୍ଭ ହୋଇଛି। ରବିବାର ନାଲକୋର ସିଏମଡି ଡକ୍ଟର ତପନ କୁମାର ଚାନ୍ଦ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ଅପରାହ୍ନରେ ଜଗନ୍ନାଥବଲ୍ଲଭ ମଠ ପରିସରରୁ ବ୍ୟାଟେରୀଚାଳିତ ଗାଡି ସେବା ଆରମ୍ଭ ହୋଇଥିଲା। ପାର୍କିଂସ୍ଥଳରୁ ଯାତ୍ରୀମାନଙ୍କୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ପହଞ୍ଚାଇବା ଲାଗି ପ୍ରଦୂଷଣବିହୀନ ଏହି ଗାଡିଗୁଡ଼ିକର ବ୍ୟବସ୍ଥା କରାଯାଇଛି। ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ଅସୁସ୍ଥ ଲୋକଙ୍କୁ ଏହା ଦ୍ଵାରା ମାଗଣା ସେବା ମିଳିପାରିବ। ନାଲକୋ କର୍ତୃପକ୍ଷ ଏଥି ପାଇଁ ୨୫ଟି ଗାଡ଼ିର ବ୍ୟବସ୍ଥା କରିଛନ୍ତି। ପର୍ଯ୍ୟାୟ କ୍ରମେ ଏହି ଗାଡିଗୁଡ଼ିକ ଏଠାରେ ପହଞ୍ଚିବ।

ଆଜି ପ୍ରଥମ ଦିନରେ ୫ଟି ବ୍ୟାଟେରୀଚାଳିତ ଗାଡି ସେବା ଆରମ୍ଭ କରିଛି। ଏହା ସହିତ ବିଶ୍ୱ ଐତିହ୍ୟ କୋଣାର୍କ ପାଇଁ ମଧ୍ୟ ୧୦ଟି ଇ ଗାଡିର ବ୍ୟବସ୍ଥା କରାଯିବ ବୋଲି ଡକ୍ଟର ଚାନ୍ଦ କହିଥିଲେ। ଏହା ପୂର୍ବରୁ କଟକ, ଭୁବନେଶ୍ୱର ଓ ପୁରୀ ରେଳ ଷ୍ଟେସନରେ ଏହି ସେବା ଆରମ୍ଭ ହୋଇସାରିଛି। ଜଗନ୍ନାଥ ବଲ୍ଲଭ ପାର୍କିଂସ୍ଥଳରୁ ଶ୍ରୀମନ୍ଦିର ଯାଏ ଯିବେ ତୀର୍ଥଯାତ୍ରୀ ।