ସୌରଚାଳିତ ସାଇକେଲ ତିଆରି କଲେ ବୌଦ୍ଧର ଜଣେ ଚାଷୀ : ପେଡାଲ ନମାରି ଏକ୍ସିଲିଟର ମୋଡିଲେ ଦୌଡ଼ୁଛି, ଥରେ ଚାର୍ଜକଲେ ଘଂଟା ପ୍ରତି ୩୦ କିମି ବେଗରେ ୮୦/୯୦ କିମି ଗଡ଼ୁଛି ସାଇକେଲ

875

କନକ ବ୍ୟୁରୋ : ଫେରିବ କି ସାଇକେଲ ଯୁଗ ? ସଡ଼କରେ ପୁଳା ପୁଳା ବାଇକ ଆଉ କାର ବଦଳରେ ଚାଲିବ ସାଇକେଲ୍ । ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଲୋକଙ୍କ ନିଦ ହଜିଛି । ଘରୁ ଗାଡ଼ି ବାହାର କରିବାକୁ ଡର ଲାଗୁଛି । ଗାଡ଼ି ବାହାର କଲେ ବ୍ୟାଙ୍କ ବାଲାନ୍ସ ଖାଲି ହେବାର ସମ୍ଭାବନା ଅଧିକ । ନୂଆ ନିୟମ ପାଇଁ ଲାଗୁ ହେବା ପରେ ଏବେ ସାଧାରଣ ଲୋକଙ୍କ ପାଇଁ ସାଇକଲ୍ ହିଁ ଉତ୍ତମ ବିକଳ୍ପ । ପେଟ୍ରୋଲ, ଡିଜେଲ ଦରବୃଦ୍ଧି ସାଙ୍ଗକୁ ନୂଆ ମୋଟର ଯାନ ଆଇନ୍ ବୋଝ ଉପରେ ନଳିତା ବିଡ଼ା ସଦୃଶ ଲାଗୁଛି । ତେବେ ବର୍ତ୍ତମାନର ମହଙ୍ଗା ଯୁଗକୁ ଆଖି ଆଗରେ ରଖି ବୌଦ୍ଧ ଜିଲ୍ଲାର ବାମଣ୍ଡାର ଜଣେ ଚାଷୀ ନିଜ ଉଦ୍ୟମରେ ତିଆରି କରିଛନ୍ତି ବ୍ୟାଟେରୀ ଚାଳିତ ସାଇକେଲ । ନା ଗାଡ଼ି ଚେକିଂର ଭୟ, ନା ପ୍ରଦୂଷଣ ଚିନ୍ତା, ବାଟେରୀ ଚାଳିତ ଗଡ଼ୁଛି ସାଇକେଲ । 

ଚାଷୀ ତିଆରି କଲେ ବାଟେରୀ ଚାଳିତ ସାଇକେଲ । ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବାମଣ୍ଡା ଗ୍ରାମର ଦିଲ୍ଲୀପ ନାୟକ ତିଆରି କରିଛନ୍ତି ଏହି ସାଇକେଲ । ନିିଜ ଉଦ୍ୟମରେ କମ୍ ଖର୍ଚ୍ଚରେ ତିଆରି ହୋଇଛି ବ୍ୟାଟେରୀ ଚାଳିତ ସାଇକେଲ । ଅଧିକ ପାଠ ସିନା ପଢ଼ି ପାରିଲେନି, ହେଲେ ଉଦ୍ଭାବନ ନିଶା ଏବେ ବି ରହିଛି । ଛୋଟ ବେଳୁ ତାଙ୍କର ଉଦ୍ଭାବନ ନିଶା ଥିଲା । ହେଲେ ଅର୍ଥାଭାବରୁ ଯୁକ୍ତ ଦୁଇ ପରୀକ୍ଷାରେ ପାଠ ପଢ଼ାରେ ପୂର୍ଣ୍ଣଛେଦ ପଡ଼ିଥିଲା । ତାଙ୍କ ବାପା ଜଣେ ଚାଷୀ ଥିବାରୁ, ଦିଲ୍ଲୀପ ତାଙ୍କୁ ଚାଷକାମରେ ସାହାଯ୍ୟ କରୁଥିଲେ । ଏସବୁ ଭିତରେ କିଛି ନୂଆ ଉଦ୍ଭାବନ କରିବାର ଇଚ୍ଛା ମନରେ ସବୁବେଳେ ବଳବତ୍ତର ଥିଲା । ପ୍ରବଳ ଇଚ୍ଛାଶକ୍ତି ଓ ଦୃଢ଼ ଆତ୍ମବିଶ୍ୱାସ ବଳରେ ଆଜି ସେ ଏହି ସାଇକଲେ ନିର୍ମାଣ କରିପାରିଛନ୍ତି । 

ତେବେ ସବୁଠାରୁ ବଡ଼ କଥା ହେଲା ଏହା ଦେଖିବାକୁ ସିନା ସାଇକଲ ଭଳି, ହେଲେ କାମ ବାଇକ୍ ସଙ୍ଗେ ସମାନ । ଘଂଟା ପ୍ରତି ୩୦କିମି ବେଗରେ ଦୌଡ଼ୁଛି ଦିଲ୍ଲୀପଙ୍କ ସାଇକଲ ‘ବାଇକ୍’ । ସାଇକଲରେ ଲାଗିଥିବା ବ୍ୟାଟେରୀକୁ ଥରେ ୪ରୁ ୫ ଘଂଟା ଚାର୍ଜ କଲେ ସାଇକଲ ଘଂଟା ପ୍ରତି ବେଗ ୩୦ କିମିରେ ୮୦ରୁ ୯୦ କିମି ଦୂର ଚାଲିଥାଏ । ସାଇକଲରେ, ବାଇକ୍ ପରି ଲାଗିଛି ଏକ୍ସିଲେଟର । ଗତି କମାଇବା ପାଇଁ ବି ଆଧୁନିକ ଯନ୍ତ୍ରପାତି ବି ଲାଗିଛି । ସାଇକେଲରେ ମୋଟର, ଗୋଟେ ବ୍ୟାଟେରୀ, ଲାଇଟ୍ ସମେତ ହର୍ଣ୍ଣ ଲାଗିଛି ।  ପେଡାଲ ନ ମାରି ଏକ୍ସିଲିଟର ମୋଡିଲେ ଦୌଡିବା ଆରମ୍ଭ କରେ ଏହି ସାଇକେଲେ । ଦେଖିବାକୁ ସିନା ସାଇକଲ ଭଳି, ହେଲେ କାମରେ ବାଇକ୍ ସଙ୍ଗେ ସମାନ । 

ବର୍ତ୍ତମାନ ସମୟରେ ତୈଳ ଦର ବୃଦ୍ଧି ସାଙ୍ଗକୁ ବାୟୁ ପ୍ରଦୂଷଣ ଦିନକୁ ଦିନ ବୃଦ୍ଧି ପାଉଛି । ଆଉ ଦିନକୁ ଦିନ ଦୁର୍ଘଟଣା ବି ବୃଦ୍ଧି ପାଇବାରେ ଲାଗିଛି । ତେବେ ଦିଲ୍ଲୀପଙ୍କ ବ୍ୟାଟେରୀ ଚାଳିତ ସାଇକଲ ଦ୍ୱାରା ଏହିସବୁ ଅସୁବିଧାକୁ ରୋକାଯାଇପାରିବ ବୋଲି ଆଶାକରାଯାଇଛି । ଦିଲ୍ଲୀପଙ୍କ ଏହି ସାଇକେଲ ଗ୍ରମାବାସୀଙ୍କୁ ବେସ୍ ପସନ୍ଦ ଆସିଛି । ସେ ଏବେ ପର୍ଯ୍ୟନ୍ତ ୪ଟି ସାଇକେଲ ବିକ୍ରି କରିସାରିଛନ୍ତି ।  କେବର ସାଇକଲ ନୁହେଁ, ସେ କାର ମଧ୍ୟ ତିଆରି କରିପାରିବେ ବୋଲି କହିଛନ୍ତି । ତେବେ  ଜଣେ ଗରୀବ ଚାଷୀଙ୍କ ଉଦ୍ଭାବନ ନିଶାରେ ଅର୍ଥ ବାଧକ ସାଜିଛି । ଜିଲ୍ଲା ପ୍ରସାସନ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ସାହାଯ୍ୟ ମିଳିଲେ  ଆଗାମୀ ଦିନରେ ଆହୁରୀ ଅନେକ ନୂତନ ଉଦ୍ଭାବନ କରିପାରନ୍ତେ ବୋଲି ଦିଲ୍ଲୀପ ପ୍ରକାଶ କରିଛନ୍ତି ।