ବାସୁଦେବପୁର ବିଜୟରଥରେ ବସିବ କିଏ ? ବିଜୟଶ୍ରୀଙ୍କ ପୁଅ କାନ୍ଧରେ ବିଜେଡି ଗଡ, ନୂଆ ଆଶା ନେଇ ମୈଦାନକୁ ଓହ୍ଲାଇବେ ବିଜେପି-କଂଗ୍ରେସ ।

260

କନକ ବ୍ୟୁରୋ : ରାଜ୍ୟର ଏକ ସମ୍ମାନଜନକ ବିଧାନସଭା ନିର୍ବାଚନମଣ୍ଡଳୀ ଭାବେ ବାସୁଦେବପୁର ଚର୍ଚ୍ଚାରେ ରହି ଆସିଛି । କାରଣ ଏଇ ନିର୍ବାଚନ ମଣ୍ଡଳୀରୁ ଅତୀତରେ ଡ. ହରେକୃଷ୍ଣ ମହତାବଙ୍କଠାରୁ ଆରମ୍ଭ କରି ନୀଳମଣି ରାଉତରାୟଙ୍କ ପର୍ଯ୍ୟନ୍ତ ନିର୍ବାଚନ ଲଢିଥିଲେ। ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନିଜ ରାଜନୈତିକ କ୍ୟାରିୟର ଏଇଠୁ ଆରମ୍ଭ କରି ରାଜନୀତିରେ ପ୍ରତିଷ୍ଠା ଅର୍ଜନ କରିଥିଲେ। ତେବେ ୧୯୯୦ ପରଠାରୁ ଏହା ଅଣକଂଗ୍ରେସ ଗଡ ଭାବେ ପରିଚୟ ଲାଭ କରିଛି । ଯାହାର ମଙ୍ଗ ଧରି ଆସିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ପୁଅ ବିଜୟଶ୍ରୀ ରାଉତରାୟ ।

୧୯୯୦ ମସିହାଠାରୁ ଏଇ ନିର୍ବାଚନମଣ୍ଡଳୀ ଅଣକଂଗ୍ରେସ ରାଜନୀତି ଆଡକୁ ଢଳିଗଲା। ୧୯୯୦ରେ ବାସୁଦେବପୁର ନିର୍ବାଚନ ମଣ୍ଡଳୀରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ପୁତ୍ର ବିଜୟଶ୍ରୀ ରାଉତରାୟ ଜନତା ଦଳ ଟିକେଟରେ ବିଧାୟକ ହୋଇ ପ୍ରଥମ ଥର ବିଧାନସଭାକୁ ଗଲେ। ପରେ ୧୯୯୫ରେ ଜନତା ଦଳରୁ ଦ୍ବିତୀୟବାର ବିଧାୟକ ଭାବେ ବିଜୟୀ ହେଲେ ବିଜୟଶ୍ରୀ । ୨୦୦୦ ମସିହାରେ ଏହି ଭେଟରାନ ନେତା ବିଜୁ ଜନତା ଦଳରେ ପ୍ରାର୍ଥୀ ହୋଇ ବିଜୟ ହୋଇଥିଲେ। ଆଉ ଏହା ପରଠାରୁ ବାସୁଦେବପୁରକୁ ସବୁଜ ଗଡର ଟ୍ୟାଗ୍ ଦେଇ ଆସିଛନ୍ତି ବିଜୟଶ୍ରୀ । ତେବେ ଏହି ଗଡକୁ ଭାଙ୍ଗିବାକୁ ବିରୋଧୀ ଦୀର୍ଘ ଦିନ ଧରି ସଂଘର୍ଷ କରି ଆସୁଥିଲେ ମଧ୍ୟ ଏହାକୁ ସଫଳ ହେବାକୁ ଦେଇନାହାନ୍ତି ବିଜୟଶ୍ରୀ ।

ଲଗାତର ୧୯୯୦ରୁ ୨୦୧୪ ପର୍ଯ୍ୟନ୍ତ ୬ ଥର ବିଜୟଶ୍ରୀ ବିଧାୟକ ଭାବେ ବିଜୟୀ ହୋଇଥିବା ବେଳେ ୩୦ବର୍ଷର ରାଜନୀତି ଭିତରେ ୪ଥର ମନ୍ତ୍ରୀ ହୋଇଛନ୍ତି। ଗତ ଏକ ବର୍ଷ ହେବ ବିଜୟଶ୍ରୀ ଆଉ ରାଜନୈତିକ ମଇଦାନକୁ ସିଧା ସଳଖ ଭାବେ ଓହ୍ଲାଇବେ ନାହିଁ ବୋଲି କହିସାରିଛନ୍ତି। ତାଙ୍କର ସାନପୁଅ ବିଷ୍ଣୁବ୍ରତ ରାଉତରାୟଙ୍କୁ ଆଗାମୀ ଦିନରେ ନିଜର ରାଜନୈତିକ ଉତ୍ତରାଧିକାରୀ କରିବା ଲାଗି ଯୋଜନା ପ୍ରସ୍ତୁତ କରୁଛନ୍ତି। ଏପରିକି ବିଷ୍ଣୁ ମଧ୍ୟ ଏହାମଧ୍ୟରେ ସଙ୍ଗଠନକୁ ଶକ୍ତିଶାଳୀ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେଡିରୁ ଆଗାମୀ ବିଧାୟକ ପ୍ରାର୍ଥୀ ଭାବେ ନିଜକୁ ଉପସ୍ଥାପିତ କରିବାକୁ ପଛାଉ ନାହାନ୍ତି ।

ଏବେ ସୁଦ୍ଧା ବିଜେଡିରେ ବାସୁଦେବପୁରରୁ କେହି ଆଶାୟୀ ପ୍ରାର୍ଥୀ କିମ୍ବା ବିଦ୍ରୋହୀ ପ୍ରାର୍ଥୀ ଠିଆ ହୋଇ ନାହାନ୍ତି। ମାତ୍ର ଏଇ ନିର୍ବାଚନ ମଣ୍ଡଳୀରେ ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ସହ କଂଗ୍ରେସ ଓ ବିଜେପି କଡା ଟକ୍କର ଦେବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି।

କଂଗ୍ରେସ ନେତା ମାଧବାନନ୍ଦ ମଲ୍ଲିକ ଦଳର ହାତ ଛାଡି ପଦ୍ମ ଧରିଛନ୍ତି । ସେ ବିଜେପିରୁ ପ୍ରାର୍ଥୀ ହୋଇ ମଇଦାନକୁ ଓହ୍ଲାଇ ବିଜେଡିକୁ କଡା ଟକ୍କର ଦେବେ ବୋଲି ରଣନୀତି କରୁଛନ୍ତି। ଖାସକରି ନିଜର ଭୋଟ ଓ ବିଜେପିର ଦଳୀୟ ଭୋଟ ସାହାରାରେ ଆଗାମୀ ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛନ୍ତି ମାଧବ । କାରଣ ଗତ ନିର୍ବାଚନରେ ଖୁବ୍ କମ ଭୋଟ ପାଇଁ ବିଜୟର ସ୍ୱାଦ ଚାଖି ପାରିନଥିଲେ ମାଧବ । ତେବେ ବିଜେପି ଟିକେଟ ଦୌଡରେ କେବଳ ମାଧବ ନୁହଁନ୍ତି ବରଂ ଜିଲ୍ଲା ବିଜେପି ଉପସଭାପତି ଅଶୋକ ସାହୁ ମଧ୍ୟ ନିଜକୁ ସାମିଲ କରିଛନ୍ତି ।

ଅନ୍ୟପଟେ ମାଧବାନନ୍ଦ କଂଗ୍ରେସ ଛାଡିବା ପରେ ୨୦୧୯ ନିବାର୍ଚନ ଯୁଦ୍ଧ ପାଇଁ ନିଜ ଯୋଦ୍ଧାକୁ ପ୍ରସ୍ତୁତ କରୁଛି ଦଳ । କଂଗ୍ରେସର ଜିଲ୍ଲା ସଭାପତି ତଥା ବାସୁଦେବପୁର ପୌରାଧ୍ୟକ୍ଷ ଅଶୋକ ଦାସ ଏଥର କଂଗ୍ରେସ ଟିକଟରେ ମଇଦାନକୁ ଓହ୍ଲାଇବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି। ଗୋଟିଏ ପଟେ କଂଗ୍ରେସ ଓ ବିଜେଡି ନୂଆ ଚେହେରାକୁ ସାମ୍ନାକୁ ଆଣି ନିର୍ବାଚନ ବୈତରଣୀ ପାର କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ବିଜେପି ପୁରୁଖା ନେତାଙ୍କୁ ସାରଥୀ କରି ବିଜୟର ବାନା ଉଡାଇବାକୁ ଯୋଜନା ପ୍ରସ୍ତୁତ କରୁଛି । ତେଣୁ ଚଳିତ ନିର୍ବାଚନରେ ଏଠାରେ ବିଜେଡି ସହ କଂଗ୍ରେସ ଓ ବିଜେପିର କଡା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି ।