ଚର୍ଚ୍ଚାରେ ବସ୍ତର ଜିଲ୍ଲାପାଳ ଅମିତ କଟାରିଆ : ଘଂଟାଏ ଧରି ଜମିରେ କାଟିଲେ ଧାନ

40

କନକ ବ୍ୟୁରୋ : ଜିଲ୍ଲାପାଳ ହେବ ତ ଏମିତି, ଜିଲ୍ଲା ପ୍ରଶାସନର ଭାର ସମ୍ଭାଳିବା ସହ ଚାଷ ଜମିରେ ପହଂଚିଛନ୍ତି ଛତିଶଗଡ ବସ୍ତରର ଜିଲ୍ଲାପାଳ । ଆଇ.ଜି ଓ ଏସ.ପିଙ୍କ ସମେତ ୩ ଆଇ.ପି.ଏସ ଅଧିକାରୀ ନିଆଁରେ ଚାଲି ଚର୍ଚ୍ଚା ସାଉଁଟି ଥିବା ବେଳେ ଜଣେ ଜିଲ୍ଲାପାଳ ଧାନ ଖେତରେ ପହଁଚି ଚାଷୀଙ୍କ ସହ ଧାନ କାଟିବା ଘଟଣା ଚର୍ଚ୍ଚା ସୃଷ୍ଟି କରିଛି ।

ଛତିଶଗଡ ବସ୍ତର ଜିଲ୍ଲାପାଳ ଅମିତ କଟାରିଆ ପାହୁରବେଲରେ ଚାଷୀଙ୍କ ସହ ଧାନ କାଟିଛନ୍ତି । ବସ୍ତର ଠାରୁ ବକାୱାଣ୍ଡ ବ୍ଲକ ଅଭିମୁଖେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉ ଥିବା ବେଳେ ପାହୁରବେଲ ଗାଁରେ ହଠାତ ନିଜ ଗାଡି ଅଟକାଇ ଓହ୍ଲାଇ ଯାଇଥିଲେ । ପରେ ନିକଟରେ ଥିବା ଏକ ଜମିରେ ଶ୍ରମିକଙ୍କ ସହ ଘଂଟାଏ ଧରି ଧାନ କାଟିଛନ୍ତି ଅମିତ କଟାରିଆ ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ବାବୁ ଜଣେ ଧାନ କାଟୁଥିବା ଦେଖି ଚାଷୀଙ୍କ ମଧ୍ୟରେ କୌତୁହଳ ସୃଷ୍ଟି ହୋଇଥିଲା । ତେବେ ବାବୁ ଜଣକ ତାଙ୍କ ଜିଲ୍ଲାପାଳ ଜାଣିବା ପରେ ହତବାକ ହୋଇ ପଡିଥିଲେ ଚାଷୀ । ଚାଷୀମାନେ ହିଁ ଦେଶର ମେରୁଦଣ୍ଡ ଏବଂ ଚାଷ କାମ କୁ ପ୍ରୋତ୍ସାହନ ଦେବା ଲାଗି ଜିଲ୍ଲାପାଳ ଏଭଳି କାର୍ଯ୍ୟ କରି ଥିବା ଜଣା ପଡିଛି ।

୨୦୦୪ ବ୍ୟାଚର ଆଇ.ଏ.ଏସ ଅଧିକାରୀ ଅମିତ କଟାରିଆ ଗତ ୨ ବର୍ଷ ଧରି ମାଓ ପ୍ରବଣ ବସ୍ତର ଜିଲ୍ଲାରେ ଜିଲ୍ଲାପାଳ ଭାବେ କାମ କରି ଲୋକଙ୍କ ଆସ୍ଥା ଭାଜନ ହୋଇ ପାରିଛନ୍ତି । ଗତ ଦୁଇ ଦିନ ତଳେ ଜିଲ୍ଲାପାଳ ବ୍ୟାଙ୍କକୁ ଯାଇ ଲାଇନରେ ଛିଡା ହୋଇ ଟଙ୍କା ବଦଳାଉ ଥିବା ମଧ୍ୟ ଦେଖିବାକୁ ମିଳିଥିଲା । ପ୍ରଧାନ ମନ୍ତ୍ରୀ ମୋଦୀଙ୍କ ବସ୍ତର ଗସ୍ତ କାର୍ଯ୍ୟକ୍ରମରେ ଅମିତ କଟାରିଆ କଳା ଚଷମା ପିନ୍ଧି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇବା ପରେ ବିବାଦ ଘେରକୁ ଆସିଥିଲେ ।