ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ସସପେଣ୍ଡ ହେଲେ ହାବିଲଦାର ମେଜର ବସନ୍ତ ମଲ୍ଲିକ । ଡ୍ୟୁଟିରେ ଅବହେଳା ପାଇଁ ତାଂକୁ ନିଲମ୍ବନ କରିଛନ୍ତି ପୋଲିସ କମିଶନର । ଜେଲରେ ଥିବା ଅର୍ଥତତ୍ୱ ଚିଟଫଣ୍ଡ ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସେଠୀଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ ବସନ୍ତ । ଜେଲରୁ ହସପିଟାଲ୍ ଏବଂ କୋର୍ଟକୁ ନେବା ଆଣିବା ବେଳେ ସେ ସୁରକ୍ଷା ଯୋଗାଉଥିଲେ । ତେବେ ଏଥିରେ ଅବହେଳା ନେଇ ଉଠିଥିଲା ଅଭିଯୋଗ । ହସପିଟାଲରେ ଫିଜିଓଥେରାପି ନାଁରେ ଘଂଟା ଘଂଟା ଧରି ଏସି ରୁମରେ ସମୟ ବିତାଉଥିବା ଅଭିଯୋଗ ଆସିଥିଲା । ଏନେଇ କନକ ନ୍ୟୁଜରେ ପ୍ରସାରିତ ହୋଇଥିଲା ଖବର । ଚିକିତ୍ସା ନାଁରେ ଚିଟଫଣ୍ଡ ଅଭିଯୁକ୍ତ ମାନେ କ୍ୟାପିଟାଲ ହସପିଟାଲର ଏସି ରୁମରେ ପରିବାର ଓ ବନ୍ଧୁବାନ୍ଧବ ସହ ସମୟ ବିତାଉଥିଲେ । ବାହାରେ ଅପେକ୍ଷା କରୁଥିଲେ ପୋଲିସ ବାବୁ ଏବଂ ଭିତରେ ଆରାମ କରୁଥିଲେ ଚିଟଫଣ୍ଡ ଖଳନାୟକ । ଅସୁସ୍ଥ ଦର୍ଶାଇ ସପ୍ତାହକୁ ଥରେ ଦିଥର ଆସୁଥିଲେ ହସପିଟାଲ ଆଉ ଘଂଟା ଘଂଟା ଧରି ଏସି ରୁମରେ ଚାଲୁଥିଲା ସାକ୍ଷାତ ଆଲୋଚନା । ଏନେଇ ଖବର ପ୍ରସାରଣ ପରେ କାର୍ଯ୍ୟାନୁଷ୍ଠାନ ନେଇଛି କମିଶନରେଟ୍ ପୋଲିସ । ହାବିଲଦାର ମେଜର ବସନ୍ତ ମଲ୍ଲିକଂକୁ ସସପେଣ୍ଡ କରାଯାଇଛି । ସେହିପରି ଖାରବେଳ ନଗର ଥାନାର ଦୁଇ ଜଣ ପୋଲିସ କର୍ମଚାରୀ ବି ସସପେଣ୍ଡ ହୋଇଛନ୍ତି । ଏମାନେ ହେଲେ ଏଏସଆଇ ବିକେ ପାହାଡ ସିଂ ଏବଂ କନଷ୍ଟେବଲ ଇ. ଖାଲକେ ।