ପୁନର୍ମିଳନ ପଛରେ . . .

35

ବାଲେଶ୍ୱର : ଯୌତୁକ ନିର୍ଯ୍ୟାତନାର ଚକ୍ରବ୍ୟୁହରେ ପେଶି ହୋଇଯାଇଥିବା ରଘୁନାଥ ମହାନ୍ତିଙ୍କୁ ଶେଷରେ ମିଳିଲା ଆଶ୍ୱସ୍ତି । ମନୋମାଳିନ୍ୟକୁ ଭୁଲି ଏକାଠି ହେଲେ ବର୍ଷା-ରାଜାଶ୍ରୀ । ଚର୍ଚ୍ଚା ଚାଲିଛି ଏହା ପଛରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ରହିଛି ଏକ ବଡ ଭୁମିକା । ଗତ ୧୯ ତାରିଖରେ ଅର୍ଥାତ ମିଳନ ପର୍ବର ଠିକ ସପ୍ତାହକ ପୁର୍ବରୁ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ବର୍ଷା । ହେଲେ ଏହି ମିଳନ ପଛର ରହସ୍ୟ ଏବେ ଚର୍ଚ୍ଚାରେ । କାରଣ ସମୟ ଥିଲା ଯେତେବେଳେ ନବୀନଙ୍କୁ ଭେଟି ରଘୁନାଥ ମହାନ୍ତିଙ୍କ ପରିବାର ବିରୋଧରେ ଫେରାଦ ହୋଇଥିଲେ ବର୍ଷା । ଆଉ ସୁରକ୍ଷା ମଧ୍ୟ ଲୋଡିଥିଲେ । ହେଲେ ଏହାରି ଭିତରେ ସମୟ ଗଡିବା ସହ ଉଭୟଙ୍କ ମନୋଭାବରେ ଆସିଛି ପରିବର୍ତନ । ଯାହା ପଛରେ ନବୀନଙ୍କ ଭୁମିକା ଓ ରଘୁନାଥଙ୍କ ରାଜନୈତିକ ଭବିଷ୍ୟତ ଥିବା କଥା କୁହାଯଉଛି ।

ତେବେ ପରିବାର ମିଳନ ପଛରେ ନବୀନଙ୍କର କଣ ଥିଲା ଭୁମିକା, ତାହା ସ୍ପଷ୍ଟ ହୋଇନି । ଚର୍ଚ୍ଚା ଚାଲିଛି, ବାଲେଶ୍ୱର ରାଜନୀତିରେ ରଘୁନାଥଙ୍କ ଦବଦବା ଫେରାଇ ଆଣିବାକୁ ଏହା ଏକ ଉଦ୍ୟମ । ସମୟ ଥିଲା ଯେତେବେଳେ ବିଜେଡି ରାଜନୀତି ତଥା ଶାସନ କଳରେ ବେଶ ପ୍ରଭାବୀ ଥିଲେ ରଘୁନାଥ । ପ୍ରତିପକ୍ଷକୁ ଚେକ୍ ଦେବାକୁ ନବୀନ ଏହି ଷ୍ଟ୍ରୋକ ଖେଳିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ରଘୁନାଥ କହିଛନ୍ତି, ରାଜନୀତିରେ ପଦପଦବୀର ଆଶା ରଖିବା କିଛି ଭୁଲ ନୁହେଁ ।

ତେବେ ମିଳନର ଏହି ପର୍ବରେ ସାଲିସ ହୋଇଛି କି? ଆଉ ଯଦି ହୋଇଛି ତେବେ ପ୍ରେମ ପାଇଁ ନା ରାଜନୈତିକ ଭବିଷ୍ୟତ ପାଇଁ, ତାହା ଏବେ ସନ୍ଦେହ ଘେରରେ । ଏହାରି ଭିତରେ କିନ୍ତୁ ଆଜି ମୁହଁ ଖୋଲିନାହାନ୍ତି ବର୍ଷା-ରାଜାଶ୍ରୀ ଯୋଡି ।