କନକ ନ୍ୟୁଜ ଏକ୍ସକ୍ଲୁସିଭ: ବର୍ଷା-ଅନୁଭବ ସଂପର୍କରେ ଫାଟ? ସୋସିଆଲ ମିଡିଆର ପୋଷ୍ଟ ପରସ୍ପର ପାଇଁ ନୁହେଁ ତ?

55

କନକ ନ୍ୟୁଜ : ଓଲିଉଡର ଶୁଆ- ଶାରୀ କୁହାଯାଉଥିବା ସୁପରଷ୍ଟାର ଅନୁଭବ ଓ ବର୍ଷାଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏଥର ଚର୍ଚ୍ଚା ତାଙ୍କ କ୍ୟାରିୟରକୁ ନେଇ ନୁହେଁ ବରଂ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ । ଅଲଗା ହୋଇପାରନ୍ତି ଓଲିଉଡ଼ର ଷ୍ଟାର ଦମ୍ପତି ଅନୁଭବ ଓ ବର୍ଷା । ଏନେଇ ସୋସିଆଲ ମିଡିଆରେ ଜୋରଦାର ଆଲୋଚନା ଚାଲିଛି । ଏପରିକି ଉଭୟ ଷ୍ଟାରଙ୍କ ଫେସବୁକ୍ ପ୍ରୋଫାଇଲରେ ଏହାର ଝଲକ ଦେଖିବାକୁ ମିଳିଛି । କୁହାଯାଉଛି, ନିଜ ନିଜ ଫେସବୁକ ପୋଷ୍ଟରେ ଉଭୟ ବର୍ଷା ଓ ଅନୁଭବ ଯେଉଁ ପୋଷ୍ଟ କରିଛନ୍ତି, ସେଥିରୁ ସହଜେ ବୁଝାପଡୁଛି, ଉଭୟଙ୍କ ଭିତରେ ସବୁକିଛି ଠିକ୍ ଚାଲିନି । ଯଦିଓ ଉଭୟଙ୍କ ପୋଷ୍ଟରେ କାହା ନାଁ ନେଇ ଆକ୍ଷେପ କରାଯାଇନାହିଁ, ତଥାପି ସୋସିଆଲ ମିଡିଆରେ ଏହି ପୋଷ୍ଟକୁ ନେଇ ଏବେ ନାନା ପର୍ଯ୍ୟାଲୋଚନା ଚାଲିଛି । ଓଲିଉଡର ପାୱାର କପୁଲ୍ ବର୍ଷା-ଅନୁଭବ ଯୋଡି ଅଲଗା ହେବେନାହିଁ ତ?

ଅଭିନେତାରୁ ରାଜନେତା ପାଲଟିଥିବା ସୁପରଷ୍ଟାର ଅନୁଭବ ନିଜ ଫେସବୁକ ଆକାଉଣ୍ଟରେ ନିଜର ମନର କଥାକୁ ଏଭଳି ଭାବେ ପରିପ୍ରକାଶ କରିଛନ୍ତି ଯାହା ଦର୍ଶାଉଛି ଏହି ସୁପରଷ୍ଟାର କାହା ଉପରେ ବେଶ ଖପ୍ପା ଅଛନ୍ତି । କାହା ନାଁ ନ’ନେଇ ଅନୁଭବ ଲେଖିଛନ୍ତି, ଯିଏ ଜଣଙ୍କର ଭଲପାଇବା, ସଚ୍ଚୋଟତା, ତ୍ୟାଗ, ନିରବତା ଓ ମନର କଥା ବୁଝି ପାରୁନାହିଁ ସେଭଳି ଲୋକ ସହ ରହିବାକୁ ଆନୁଗତ୍ୟ କୁହାଯିବନି ଏହା ବୋକାମୀ ଓ ଛଳନା । ମନେରଖ, ତୁମେ ପୃଥିବୀର ସବୁଠୁ ବଡ ବୋକା ।

ଅନୁଭବଙ୍କର ଏହି ପ୍ରତିକ୍ରିୟା ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଚିନ୍ତାରେ ପକାଇଥିଲା, କାହିଁକି ହଠାତ୍ ଅନୁଭବ ମହାନ୍ତି ଏଭଳି ପୋଷ୍ଟ କଲେ । ଅନୁଭବ କାହାକୁ ଆଖି ଆଗରେ ରଖୀ ଏହି ପୋଷ୍ଟ କଲେ? ଓଲିଉଡର ବାଳୁଙ୍ଗା ଟୋକା କାହା ଉପରେ ରାଗିଛନ୍ତି କି? ଏହାକୁ ନେଇ ସମସ୍ତେ ସନ୍ଦିହାନରେ ପଡିବା ଭିତରେ ଆସିଥିବା ବର୍ଷା ପ୍ରିୟଦର୍ଶନୀଙ୍କ ଫେସବୁକ ପୋଷ୍ଟ । ଏବେ ଦେଖିନିଅନ୍ତୁ, କଣ ପୋଷ୍ଟ କରିଥିଲେ ବର୍ଷା?

କିଭଳି ଗୋଟିଏ ସଂପର୍କକୁ ବଂଚେଇ ରଖାଯାଇ ପାରିବ, ସେହି ମର୍ମରେ ପୋଷ୍ଟ କରିଥିଲେ ବର୍ଷା । ଫେସବୁକରେ ବର୍ଷା ଲେଖିଥିଲେ, ଯଦି ବି ତୁମ ସାଥୀ ସଂପର୍କକୁୁ ଧ୍ୱଂସ ଏବଂ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ତେବେ ଗୋଟିଏ ସଂପର୍କକୁ ବଂଚାଇ ରଖିବାକୁ ସବୁବେଳେ ଚେଷ୍ଟାକର । ଅହଂଭାବ, ଇର୍ଷା, ରାଗ ଏବଂ ସ୍ୱାର୍ଥପରତା ଠାରୁ ଦୂରରେ ରୁହ । ନିଜ ସଂପର୍କ ପ୍ରତି ବିଶ୍ୱସ୍ଥ ଏବଂ ନିଷ୍ଠାପର ରୁହ । ମିଛ ଅପବାଦ ଏବଂ ଅପମାନିତ କରିବା ବନ୍ଦ କର । ଗୋଟିଏ ଶବ୍ଦ, ଲଢ଼େଇକୁ ରୋକିପାରିବ, ଗୋଟିଏ ପଦକ୍ଷେପ ଗୋଟିଏ ସଂପର୍କକୁ ବଂଚାଇପାରିବ । ଗୋଟିଏ ସଂପର୍କକୁ ଭାଙ୍ଗିବା ସହଜ କିନ୍ତୁ ଏହାକୁ ବଜାୟ ରଖିବା ଅତିକଷ୍ଟ । ସବୁବେଳେ ଦୃଢ଼ମନା ହୁଅ । ଛଳନା ଏବଂ ପ୍ରତିଶୋଧ ପାଇଁ ସମୟ ନଷ୍ଟ କରନାହିଁ । ତୁମ ସମୟକୁ ଭଲ କାର୍ଯ୍ୟରେ ଲଗାଅ ଏବଂ ନିଜ ପରିବାର ସହ ବିତାଅ । ହସଖୁସିରେ ରୁହ ଏବଂ କ୍ଷମା ଦେବା ଶିଖ । ନିଜେ ବଂଚ ଏବଂ ଅନ୍ୟକୁ ବଂଚିବାକୁ ଦିଅ ।

ତେବେ ବର୍ଷାଙ୍କ ଏହି ଫେସବୁକ ପୋଷ୍ଟ ଦେଖି ଚର୍ଚ୍ଚା ଆରମ୍ଭ ହୋଇଛି, ବର୍ଷା-ଅନୁଭବଙ୍କ ଭିତରେ ସବୁକିଛି ଠିକ ଚାଲିନାହିଁ । ଅତୀତରେ ଏନେଇ ଜବରଦସ୍ତ ଚର୍ଚ୍ଚା ହୋଇଥିଲା, ହେଲେ କେବେ କଥା ଏତେ ଆଗକୁ ବଢିନଥିବା କୁହାଯାଉଛି । ସୋସିଆଲ ମିଡିଆରେ ଏହି ଘଟଣା ଭାଇରାଲ ହେବା ପରେ ବର୍ଷା, ଓଡିଶା ସନ୍ ଟାଇମସକୁ ସୂଚନା ଦେଇ କହିଛନ୍ତି, ଅନୁଭବଙ୍କ ସହ ତାଙ୍କ ସର୍ମ୍ପକରେ କୌଣସି ଫାଟ ନାହିଁ । ଉଭୟ ନିଜ ଜୀବନରେ ଏତେ ବ୍ୟସ୍ତ ରହୁଛନ୍ତି ଯେ, ବହୁତ କମ ସମୟ ଉଭୟ ପରସ୍ୱର ସହ ବିତାଉଛନ୍ତି । ତାହା ମାନେ ନୁହେଁ ଏହାର ପ୍ରଭାବ ତାଙ୍କର ଦାମ୍ପତ୍ୟ ଜୀବନ ଉପରେ ପଡୁଛି । ଅନୁଭ ବ ଓ ସେ ନିଜେ ପ୍ରତିଦିନ ବିଭିନ୍ନ ଲୋକଙ୍କ ସଂସ୍ପର୍ଶରେ ଆସିଥାନ୍ତି । ଏହାଛଡା ସୋସିଆଲ ମିଡିଆରେ ଉଭୟ ଯେଉଁ ବି କଥା ଲେଖିଛନ୍ତି ତାହା ସେମାନଙ୍କ ନିଜ ସର୍ମ୍ପକ ବିଷୟରେ ନୁହେଁ । ଓଲିଉଡର ହିଟ ଯୋଡି ଅନୁଭବ-ବର୍ଷା ବେଶ କିଛି ଦିନ ରିଲ ଲାଇଫରେ ରୋମାନ୍ସ କରିବା ପରେ ରିୟଲ ଲାଇଫରେ ପରସ୍ପରକୁ ଜୀବନସାଥୀ ଭାବେ ବାଛିଥିଲେ ।

ଅନୁଭବ-ବର୍ଷା, ଓଡ଼ିଆ ଫିଲ୍ମର ସବଠୁ ସଫଳ ଯୋଡ଼ି । ଏହି ଯୋଡ଼ିକୁ ନେଇ ସବୁ ବେଳେ ଚର୍ଚ୍ଚା । କେତେବେଳେ ନିଖୁଣ ଅଭିନୟ ପାଇଁ, ତ ଆଉ କେତେବେଳେ ଫିଲ୍ମର ସଫଳତା ପାଇଁ । ସଫଳତାର ଶୀର୍ଷରେ ପହଂଚିଥିବା ଏହି ଯୋଡ଼ି, ନିଜ ନିଜ ସୋସିଆଲ ସାଇଟ୍ରେ ବି ବେଶ ତତ୍ପର । ଆଉ କିଛି ଦିନ ତଳେ ସୋସିଆଲ ମିଡିଆରେ ଅନୁଭବ କରିଥିବା ଏହି ପୋଷ୍ଟ ଏବଂ ପ୍ରତିଉତ୍ତରରେ ବର୍ଷା ରଖିଥିବା ଜବାବ୍ ଏବେ ସବୁଠୁ ଅଧିକ ଚର୍ଚ୍ଚାର ଖୋରାକ୍ ଯୋଗାଇଛି । ଅନୁଭବ କରିଥିବା ପୋଷ୍ଟ ଏବଂ ବର୍ଷା କରିଥିବା ପୋଷ୍ଟ, ଏହି ଦୁଇଟି ପୋଷ୍ଟ ଭିତରେ କ’ଣ ସଂପର୍କ କିମ୍ବା ସାମଞ୍ଜସ୍ୟ ରହିଛି, ତାହା କେବଳ ନିଜେ ଅନୁଭବ କିମ୍ବା ବର୍ଷା ହିଁ କହିପାରିବେ । କିନ୍ତୁ ଏହି ପୋଷ୍ଟକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋରଧରିଛି । ତେବେ ଏନେଇ ଅନୁଭବ ମହାନ୍ତିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।