ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ବ୍ରହ୍ମପୁରରୁ , ଭେଲକାନୀ ଓ ତାଞ୍ଜୋର ତୀର୍ଥ ଯାତ୍ରାରେ ଗଲେ ବରିଷ୍ଠ ନାଗରିକ ।

139

କନକ ବ୍ୟୁରୋ: ଆରମ୍ଭ ହେଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମ । ସଚିବାଳୟରେ ଭିଡ଼ିଓ କନଫରେସିଂ ଜରିଆରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ବ୍ରହ୍ମପୁରରୁ ବରିଷ୍ଠ ନାଗରିକମାନେ ତୀର୍ଥଯାତ୍ରାରେ ଭେଲକାନୀ ଓ ତାଞ୍ଜୋର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ତୀର୍ଥଯାତ୍ରୀ ମାନଙ୍କୁ ଶୁଭକାମନା ଜଣାଇଛନ୍ତି ।

ଗତ ୨୦୧୬ ଜୁଲାଇ ମାସରୁ ଆରମ୍ଭ ହୋଇଥିବା ଏହି ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ୧୦ଟି ଟ୍ରେନରେ ପାଖାପାଖି ୧୦ ହଜାର ବରିଷ୍ଠ ନାଗରିକ ତୀର୍ଥଯାତ୍ରା କରିଛନ୍ତି । ବ୍ରହ୍ମପୁର, ଭୁବନେଶ୍ୱର, ସମ୍ବଲପୁର, ବାଲେଶ୍ୱର, ଟିଟିଲାଗଡ଼ ଆଦି ସ୍ଥାନରୁ ଯାତ୍ରୀମାନେ ରାମେଶ୍ୱରମ, ବଦୁରାଇ, ଆଲ୍ଲାବାଦ, ବାରଣାସୀ, ଋଷିକେଶ, ଆଗ୍ରା, ଫେତେପୁରସିକ୍ରି, ମଥୁରା ଭଳି ସ୍ଥାନକୁ ଯାତ୍ରା କରିଛନ୍ତି । ଚଳିତ ବର୍ଷ ଆଉ ଦୁଇଟି ଟ୍ରେନ୍ ତୀର୍ଥଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି ।

ସେପଟେ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ଜରିଆରେ ସେମାନଙ୍କ ବାର୍ଦ୍ଧକ୍ୟ ଜୀବନରେ ତୀର୍ଥ ଯାତ୍ରା କରିବାର ଆଶାକୁ ସରକାର ପୂରଣ କରିଛନ୍ତି । ଏହାସହ କାର୍ଯ୍ୟକ୍ରମର ଉଚ୍ଚ ପ୍ରସଂଶା କରିଛନ୍ତି ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ।