ବାରିପଦାର ନିଆରା ରଥଯାତ୍ରା ! ପୁରୀ ରଥଯାତ୍ରାଠାରୁ ଏଠାକାର ନୀତି ସମ୍ପୂର୍ଣ୍ଣ ଭିନ୍ନ

ଆଉ ମାତ୍ର କିଛି ଦିନ ପରେ ଆରମ୍ଭ ହୋଇଯିବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା

295

କନକ ବ୍ୟୁରୋ : ଆଉ ମାତ୍ର କିଛି ଦିନ ପରେ ଆରମ୍ଭ ହୋଇଯିବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଭାଇ ଓ ଭଉଣୀଙ୍କୁ ଧରି ଭକ୍ତଙ୍କ ନିିକଟକୁ ବାହାରି ଆସିବେ ଜଗନ୍ନାଥ । ଶ୍ରୀମନ୍ଦିର ମଧ୍ୟରୁ ଦଇତାପତି ପହଣ୍ଡିରେ ଝୁଲାଇ ଝୁଲାଇ ନେଇ ଆସିବେ ଶ୍ରୀଜିଉଙ୍କୁ । ବଡଦାଣ୍ଡରେ ପଡିବ ହରିବୋଲ ଓ ହୁଳହୁଳି । ପ୍ରକମ୍ପିତ ହେବ ବଡଦାଣ୍ଡ । ତେବେ କେବଳ ଯେ, ପୁରୀରେ ରଥଯାତ୍ରା ହୁଏ ତାହା ନୁହେଁ । ବରଂ ରାଜ୍ୟର ଅନେକ ସ୍ଥାନରେ ଏହି ଯାତ୍ରା ହୋଇଥାଏ । ତେବେ ଉତ୍ତର ଓଡିଶାର ବାରିପଦାରେ ମଧ୍ୟ ଅତି ଯାକଜମକରେ ହୁଏ ରଥଯାତ୍ରା । ଏଠାକାର ବିଶେଷତ୍ୱ ଏହା କି ସୁଭଦ୍ରା ରଥକୁ କେବଳ ମହଳାମାନେ ଟାଣନ୍ତି । କାହିଁ କେଉଁ କାଳରୁ ଏପରି ପରମ୍ପରା ପାଳନ ଏଠାରେ ହୋଇଆସୁଛି । ଲୋକତଥ୍ୟ ଅନୁସାରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ।

source : google

ବାରିପଦାର ଶ୍ରୀ ଶ୍ରୀ ହରିବଳଦେବ ଜିଉଙ୍କ ରଥଯାତ୍ରା ଦ୍ୱିତୀୟ ବୃହତମ ଘୋଷଯାତ୍ରା ଭାବେ ପରିଚିତ । ଚାରିଶହ ବର୍ଷରୁ ଅଧିକ ସମୟ ଧରି ଖୁବ୍ ଆଡମ୍ବର ସହ ଗଡ଼ି ଆସୁଛି ଶ୍ରୀଶ୍ରୀ ହରିବଳଦେବ ଜିଉଙ୍କ ରଥ । ପୁରୀ ରଥଯାତ୍ରାର ରୀତିନୀତି ଓ ପରମ୍ପରା ଠାରୁ ଏଠାକାର ପରମ୍ପରା ସଂପୂର୍ଣ୍ଣ ଭିନ୍ନ । ତେବେ କାହିଁକି ବାରିପଦାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲି କୁହାଯାଏ । କଣ ରହିଛି ଏହାର କିମ୍ବଦନ୍ତୀ ଆସନ୍ତୁ ଜାଣିବା ।

source : google

ପ୍ରାଚୀନ କାଳରୁ କେବଳ ପୁରୀ ଶ୍ରୀକ୍ଷେତ୍ରରେ କୋଟି କୋଟି ଓଡିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ । ପୁରୀର ଶ୍ରୀମନ୍ଦିର ପରେ ୧୫୭୫ ମସିହାରେ ତତ୍କାଳୀନ ମୟୂରଭଞ୍ଜ ମହାରାଜା ବୌଦ୍ୟନାଥ ଭଞ୍ଜ ବାରିପଦାରେ ପ୍ରତିଷ୍ଠା କରିଥିଲେ ଚତୁର୍ଦ୍ଧାମୂର୍ତିଙ୍କର ଆଉ ଏକ ମନ୍ଦିର । ସେଇଥି ପାଇଁ ବାରିପଦାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲି କୁହାଯାଏ । ପୁରୀ ଭଳି ଏଠାରେ ମଧ୍ୟ ଶ୍ରୀଶ୍ରୀ ହରିବଳଦେବ ଜିଉଙ୍କର ୧୨ ମାସରେ ୧୩ଯାତ୍ରା ପାଳନ କରାଯାଏ । ଏଥିମଧ୍ୟରୁ ରଥଯାତ୍ରା ଅନ୍ୟତମ ।

ପୁରୀରେ ୩ ରଥକୁ ଉଭୟ ପୁରୁଷ ଓ ମହିଳା ଟାଣୁଥିବା ବେଳେ ଏଠାରେ ଦେବୀ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଥାନ୍ତି । ମହିଳା ସଶକ୍ତି କରଣର ଉଜ୍ଜଳତମ ଉଦାହରଣ ପାଲଟି ଥିବା ବାରିପଦା ରଥର ଏହି ପରମ୍ପରା ୧୯୭୫ ମସିହାରୁ ଚାଲିଆସୁଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣନ୍ତୁ ବୋଲି ଇଚ୍ଛା ପ୍ରକାଶ କରିଥିଲେ । ଏହାପର ଠାରୁ ଏହା ପରମ୍ପରାରେ ପରିଣତ ହୋଇଛି ।

ବାରିପଦା ରଥର ଅନ୍ୟ ଏକ ଆକର୍ଷଣ ଶ୍ରଦ୍ଧା ଲଡୁ । ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମାଉସୀ ମା ମନ୍ଦିରରେ ପହଂଚିବା ପରେ ଭକ୍ତଙ୍କ ଉଦ୍ଦେଶ୍ୟରେ ରଥ ଉପରୁ ଏହି ଲଡୁ ଫିଙ୍ଗା ଯାଇଥାଏ । ଯାହାକୁ ପାଇବା ପାଇଁ ଶ୍ରଦ୍ଧାର ସହ ଅପେକ୍ଷା କରିଥାନ୍ତି ଶ୍ରଦ୍ଧାଳୁ । ପୁରୀ ଗୁଣ୍ଡିଚା ଯାତ୍ରାର ଦିନକ ପରେ ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ତିନି ଠାକୁର ରଥଯାତ୍ରା କରାଯାଇଥାଏ । ପୁରୀ ରଥଯାତ୍ରା ଦିନ ବାରିପଦାରେ ଠାକୁରଙ୍କ ପହଣ୍ଡି କରାଯାଏ । ଏବଂ ପରେ ଦୁଇଦିନ ଧରି ରଥଟଣା କାର୍ଯ୍ୟ ଅନୁଷ୍ଠିତ ହୋଇଥାଏ ।