ଛାତ୍ରଛାତ୍ରୀଙ୍କ ଅପେକ୍ଷାରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ! ଆସନ୍ତା ୪ରୁ ଆରମ୍ଭ ହେବ ପ୍ରଥମ ବର୍ଷର ଡାକ୍ତରୀ ପାଠପଢା

32

କନକ ବ୍ୟୁରୋ : ମେଡିକାଲ ପଢା ପାଇଁ ପ୍ରସ୍ତୁତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ । ନୂଆ ଶ୍ରେଣୀ ଗୃହ, ଓଡିଟୋରିଅମ୍, ହଷ୍ଟେଲ, ଲାଇବ୍ରେରୀ, କ୍ୟାଣ୍ଟିନ୍ ସବୁ କିଛି ଛାତ୍ରଛାତ୍ରୀଙ୍କ ସ୍ୱାଗତ୍ ପାଇଁ ଅପେକ୍ଷା କରିଛନ୍ତି । ଚକାଚକ ରାସ୍ତା ଆଉ କାଚରେ ଝଲମଲ ସୁନ୍ଦର ପ୍ରଶାସନିକ କୋଠା । ତା ପଛକୁ ରହିଛି ବଏଜ୍ ଓ ଗାର୍ଲସ୍ ହଷ୍ଟେଲ । ଅନେକ ଦିନର ବାଦବିବାଦ ପରେ ଆସନ୍ତା ୪ ତାରିଖରେ ପଣ୍ଡିତ ରଘୁନାଥ ମୁର୍ମୁ କଲେଜରେ ପାଠପଢା ହେବାକୁ ଯାଉଥିବାରୁ ଛାତ୍ରଛାତ୍ରୀ ଉତ୍ସାହିତ ଅଛନ୍ତି ।

୧୦୦ ସିଟ୍ ବିଶିଷ୍ଟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ପ୍ରଥମ ବର୍ଷରେ ଏ ଯାଏଁ ୭୮ ଜଣ ଛାତ୍ରଛାତ୍ରୀ ନାମଲେଖାଇଛନ୍ତି । ସର୍ବଭାରତୀୟ କୋଟାରେ ୧୫ଟି ସିଟରୁ ୧୧ଟିରେ ନାମ ଲେଖା ସରିଛି । ବଳକା ୪ ଟି ସିଟ୍ ରାଜ୍ୟ କୋଟାରେ ମିଶିଯାଇଥିବା ଜଣାପଡିଛି । ତେବେ ମେଡିକାଲ୍ କଲେଜରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଓ କର୍ତ୍ତୃପକ୍ଷ ଡିନଙ୍କ ଅଫିସରେ ସମସ୍ତ ପ୍ରମାଣପତ୍ର ପ୍ରଦାନ କରିଛନ୍ତି ।

ମେ ୧୪ ତାରିଖରେ ନାମ ଲେଖାପାଇଁ ଅନୁମତି ଦେଇଥିଲେ ସୁପ୍ରିମକୋର୍ଟ ମାଣ୍ଡେଟେଡ୍ ଓଭରସାରଇଟ୍ କମିଟି । ଏମସିଆଇରୁ ନାମ ଲେଖା ପାଇଁ ଅନୁମତି ନମିଳିବାରୁ କମିଟିର ଦ୍ୱାରସ୍ଥ ହୋଇଥିଲେ ରାଜ୍ୟ ସରକାର । ଏମସିଆଇ ଟିମ୍ ଭିତ୍ତିଭୂମୀ ଅନୁଧ୍ୟାନ କରି ରିପୋର୍ଟ ଦେବାରେ ବିଳମ୍ବ ଯୋଗୁଁ ନାମ ଲେଖା ଅନୁମତିକୁ ନେଇ ବିବାଦ ଦେଇଥିଲା ଯାହାକୁ ନେଇ ସୁପ୍ରିମକୋର୍ଟ ମାଣ୍ଡେଟେଡ୍ ଓଭରସାରଇଟ୍ କମିଟିଙ୍କ ଦ୍ୱାରସ୍ଥ ହୋଇଥିଲେ ରାଜ୍ୟ ସରକାର ।