ଆଉ ଜଣେ ଶ୍ରବଣ କୁମାର ! ବାପା ମା’ଙ୍କୁ ଭାରରେ ବୋହିଲେ ୪୦ କିଲୋମିଟର

61

କନକ ବ୍ୟୁରୋ : ଆଜିକା ଦିନରେ ପ୍ରାୟତଃ ଶୁଣିବା ପାଇଁ ମିଳୁଛି ପିଲାମାନେ ବାପା ମାଙ୍କୁ ପଚାରୁ ନାହାନ୍ତି କିମ୍ବା ତାଙ୍କର ଉଚିତ ଯତ୍ନ ନେଉନାହାନ୍ତି । ଖବର କାଗଜରେ ପ୍ରତିଦିନ ଏପରି କିଛି ଖବର ଆସୁଛି । କେଉଁଠି ପିଲାମାନେ ଟଙ୍କା ପାଇଁ ବାପା ମା’ଙ୍କୁ ଘରୁ ବାହାର କରିଦେଲେଣି ତ ଆଉ କେଉଁଠି ବାପା ମାଙ୍କୁ ଅନାଥାଶ୍ରମ ଛାଡ଼ିି ଦେଉଛନ୍ତି । କିନ୍ତୁ ଏବେ ବି ଏମିତି ସନ୍ତାନ ଅଛନ୍ତି ଯିଏ ବାପାମା ପାଇଁ ସବୁ ତ୍ୟାଗ କରିବା ପାଇଁ ପ୍ରସ୍ତୁତ । ଯାହାଙ୍କୁ ଏ ଯୁଗର ଶ୍ରବଣ କୁମାର କହିଲେ ଅତ୍ୟୁକ୍ତି ହେବ ନାହିଁ । ଏମିତି ଜଣେ ବ୍ୟକ୍ତିି ହେଲେ କାର୍ତ୍ତିକ ।

୭୦ ବର୍ଷୀୟ ବାପା, ୬୫ ବର୍ଷିୟ ମାଙ୍କୁ ଭାରରେ ବୋହି ବାରିପଦା କଚେରୀରେ ପହିଂଛନ୍ତି ମୋରଡା ଥାନା ମୋହନପୁରର କାର୍ତ୍ତିକ ସିଂ । ମିଛ ମାମଲା ଓ ବିଳମ୍ବିତ ନ୍ୟାୟ ପ୍ରକ୍ରିୟାକୁ ବିରୋଧ କରି ୪୦ କିଲୋମିଟର ବାଟ ଚାଲିଛନ୍ତି କାର୍ତ୍ତିକ । ପୁଅ କାନ୍ଧରେ ବାପା ମାଙ୍କୁ ଦେଖି ହତବାକ୍ ସମସ୍ତେ । ବାପା ଗୋରା ସିଂଙ୍କ ହାତରେ ରହିଛି ଖଣ୍ଡିଏ ବାଡି, ମା ମଲ୍ଲୀଙ୍କ ହାତରେ ଗୋଟିଏ ଥାଳି ଓ ଜାତୀୟ ପତାକା । ଏହି ଭାର ବୁହା ପଛରେ ରହିଛି ଏକ କୋହଭରା, ଯନ୍ତ୍ରଣା ଜର୍ଜରିତ କାହାଣୀ ।

କାର୍ତ୍ତିକଙ୍କ କଥାରୁ ଯାହା ଅନୁମାନ କରାଯାଉଛି, ସେ ମାନସିକ ସ୍ତରରେ ଗଭୀର ଆଘାତ ପାଇଛନ୍ତି । ଗୋଟିଏ ପଟେ ପୁଲିସର ଜୁଲମ୍ ଅନ୍ୟପଟେ ସାମାଜିକ ବାସନ୍ଦ, ତାଙ୍କୁ ମାନିସକ ସ୍ତରରେ ଭାଙ୍ଗି ଦେଇଛି । ଖାଲି ଏତିକି ନୁହେଁ ଏକ ମିଛ ମାମଲାରେ ବିଳମ୍ବିତ ନ୍ୟାୟ ପ୍ରକ୍ରିୟା କାର୍ତ୍ତିକଙ୍କ ଜୀବନକୁ ହତାଶ କରି ଦେଇଥିବା ସେ କୋହଭରା କଣ୍ଠରେ କହିଛନ୍ତି ।

ବୃଦ୍ଧାବସ୍ଥାରେ ବାପାମାଙ୍କ ସେବା କରିବାକୁ ପାଖରେ କେହି ନାହିଁ । ତାଙ୍କ ନାଁରେ ମିଛ ମାମଲା ଚାଲିଥିବାରୁ ୩୦ ବର୍ଷିୟ କାର୍ତ୍ତିକଙ୍କ ବିବାହ ହୋଇପାରୁନଥିବା ସେ କହିଛନ୍ତି । ଏଭଳି ସ୍ଥିତିରେ ତାଙ୍କୁ ମାନସିକ ସ୍ତରରେ ସହାଯ୍ୟ କରିବା ପ୍ରଶାସନ ଦାୟିତ୍ୱ ବୋଲି ସ୍ଥାନୀୟ ଲୋକ କହିଛନ୍ତି ।