ଚାଷୀ ମୁଣ୍ଡରେ ଚକଡା ଚଡକ : କଳାପାଣିରେ ବୃନ୍ଦାର ମୃତଦେହ ରଖି ଚାଲିଥିବା ରାସ୍ତାରୋକ୍ ହଟିଲା

30

କନକ ବ୍ୟୁରୋ : ଜମିରେ ନିଆଁ ଲଗାଇବା ପରେ ଆତ୍ମହତ୍ୟା କରିଥିବା ଚାଷୀ ବୃନ୍ଦାର ମୃତଦେହ ରଖି ବରଗଡର କଳାପାଣିରେ ଚାଲିଥିବା ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି । ପ୍ରାୟ ୧୬ ଘଂଟା ଧରି ରାସ୍ତାରୋକ ଚାଲିଥିଲା । ଗତକାଲି ରାତିରେ ଶବ ବ୍ୟବଚ୍ଛେଦ ହେବା ପରେ ମୃତଦେହ କଳାପାଣିକୁ ଅଣାଯାଇଥିଲା । ଏହା ପରେ ଆରମ୍ଭ ହୋଇଯାଇଥିଲା ରାସ୍ତାରୋକ । କୃଷକ ନେତା ଲିଙ୍ଗରାଜଙ୍କ ନେତୃତ୍ୱରେ ଲୋକମାନେ ମୃତଦେହଙ୍କୁ ୫୩ ନମ୍ବର ଜାତୀୟ ରାଜପଥରେ ରଖି ରାସ୍ତାରୋକ କରିଥିଲେ ।

ଚକଡା ପୋକ ନିରାକରଣ ପାଇଁ ଚାଷୀମାନେ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେଉଥିଲେ ବି କିଛି ପଦକ୍ଷେପ ନିଆଯାଉନାହିଁ । ତେଣୁ ଖୋଦ କୃଷିମନ୍ତ୍ରୀ ଆସି ଆଲୋଚନା କରିବାକୁ ଆନ୍ଦୋଳନକାରୀମାନେ ଦାବି କରିଥିଲେ । ଆନ୍ଦୋଳନ ଯୋଗୁଁ ୫୩ ନମ୍ବର ଜାତୀୟ ରାଜପଥରେ ଶହ ଶହ ଗାଡି ଅଟକି ରହିଥିଲା । ପରସ୍ଥିତି ଦୃଷ୍ଟିରେ ରଖି ଜିଲ୍ଲାପାଳ, ଏସପି ଓ ବରିଷ୍ଠ ଅଧିକାରୀ ଓ ସ୍ଥାନୀୟ ବିଧାୟକ ଘଟଣାସ୍ଥଳରେ ପହଂଚିଥିଲେ । ମୃତ ଚାଷୀଙ୍କ କ୍ଷତିପୂରଣ ମିଳିବ ବୋଲି ପ୍ରତିଶ୍ରୃତି ମିଳିବା ପରେ ଭୋର ୪ଟାରେ ରାସ୍ତାରୋକ ହଟିଥିଲା । ପରେ ମୃତ ଚାଷୀ ବୃନ୍ଦାଙ୍କ ଶବତ୍ସକାର କରାଯାଇଛି । ଚକଡା ପୋକ ଯୋଗୁଁ ବୃନ୍ଦା ମଙ୍ଗଳବାରଦିନ ନିଜ ଜମିରେ ନିଆଁ ଲଗାଇଦେବା ପରେ ଗତକାଲି ଆତ୍ମହତ୍ୟା କରିଥିଲେ ।