ବଦଳିଲେ ବରଗଡ ଏସପି । ବିଜେପି କହିଥିଲା, ସରକାରଙ୍କ ଏଜେଂଟ ଭଳି କରୁଛନ୍ତି କାମ । ବଦଳିକୁ ନେଇ ରାଜନୀତି ଉଷ୍ମ ।

64

ବିଜେପୁର ଉପ-ନିର୍ବାଚନ ଆଗରୁ ବଡ ନିଷ୍ପତ୍ତି । ବରଗଡ ଏସପି ଜୁଗଳ କିଶୋରଙ୍କୁ ବଦଳାଇ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ରାଜ୍ୟ ଗୃହ ବିଭାଗକୁ ଚିଠି ଲେଖି ନିର୍ବାଚନ ଅଧିକାରୀ, କାହାକୁ ବରଗଡ ଏସପି ଭାବେ ଦାୟିତ୍ୱ ଦିଆଯିବ, ସେନେଇ ତିନୋଟି ନାଁ ସୁପାରିଶ କରିବାକୁ କହିଛନ୍ତି । ଆଉ ଏହାପରେ ଗୃହ ବିଭାଗ ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଚିଠି ଲେଖି ତିନି ଅଫିସରଙ୍କ ନାଁ ମାଗିଛି । ଯେଉଁ ଆଇପିଏସ ଅଧିକାରୀଙ୍କ ନିର୍ବାଚନ ପରିଚାଳନାରେ ଅଭିଜ୍ଞତା ଥିବ, ସେମାନଙ୍କୁ ପ୍ରାଥମିକତା ଦିଆଯିବ । ତେବେ ନିର୍ବାଚନକୁ ଆଉ ୧୬ ଦିନ ଥିବା ବେଳେ ଜିଲ୍ଲା ଏସପି ବଦଳିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।


କିଛି ଦିନ ତଳେ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟି ନିର୍ବାଚନ ପରିଚାଳନାରେ ହେଉଥିବା ପକ୍ଷପାତିତା ବାବଦରେ ଅଭିଯୋଗ କରିଥିଲେ । ଯେଉଁଥିରେ ବିଜେପି କର୍ମୀଙ୍କୁ ହୋଇଥିବା ଗୁଳିମାଡ ମଧ୍ୟ ଉଲ୍ଲେଖ ଥିଲା । ସେହିଭଳି ମୋଦିଙ୍କ ମନ୍ କି ବାତ୍ ସମୟରେ ହୋଇଥିବା ଅପ୍ରିତୀକର ସ୍ଥିତି ବାବଦରେ ମଧ୍ୟ ବିଜେପି ଫୋରାଦ୍ ହୋଇଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଏସପି ଓ ଜିଲ୍ଲାପାଳଙ୍କ ବାବଦରେ ଫେରାଦ୍ ହୋଇଥିଲେ । ଆଉ ଏହାପରେ ଏସପିଙ୍କୁ ବଦଳାଇ ଦିଆଯାଇଛି । ଗତ ୩୦ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ନେତା ଅରୁଣ ସିଂ, ଭୁପେନ୍ଦ୍ର ଯାଦବ୍, ସମ୍ବିତ ପାତ୍ର ଏବଂ ଓମ୍ ପାଠକ୍ ଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟି ବରଗଡ ଜିଲ୍ଲାପାଳ, ଏସପି, ବିଜେପୁର, ବରପାଲି ଓ ଗାଇସିଲଟ ବିଡିଓ ଓ ଅନ୍ୟ କିଛୀ ଅଧିକାରୀଙ୍କ ନାଁରେ ଅଭିଯୋଗ କରିଥିଲେ ।


ସୂଚନା ଅନୁସାରେ, ବରଗଡ ଜିଲ୍ଲାପାଳଙ୍କୁ ମଧ୍ୟ ବଦଳାଯିବାର ଯଥେଷ୍ଟ ସମ୍ଭାବନା ଅଛି । ଯଦିଓ ଏନେଇ କୈାଣସି ମହଲରୁ ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ ତେବେ ପାୱାର କରିଡରରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ଭୋଟଦାନର କିଛି ଦିନ ଆଗରୁ ଏହି ନିଷ୍ପତ୍ତି ରାଜ୍ୟ ରାଜନୀତିକୁ ଉଷ୍ମ କରିଛି ।