ମଧ୍ୟପ୍ରଦେଶରୁ ଆସିଲେ ଓଡିଶାରେ ବର୍ଷିଲେ ! ଶିବରାଜ୍ କହିଲେ, ବିଜେଡି ରହିଲେ ହେବନି ବିକାଶ

25

କନକ ବ୍ୟୁରୋ : ମଧ୍ୟପ୍ରଦେଶରୁ ଆସିଲେ ଓଡିଶାରେ ବର୍ଷିଲେ । ଓଡିଶା ମାଟିରେ ନବୀନଙ୍କୁ ଘେରିଲେ ଶିବରାଜ୍ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଆଜି ବରଗଡରେ ସବକା ସାଥ୍ ସବକା ବିକାଶ କାର୍ଯ୍ୟକ୍ରମରେ ଯୋଗ ଦେଇ ନବୀନ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । କହିଛନ୍ତି, ଓଡିଶାରେ ବିଜେଡି ଥିବା ଯାଏଁ ବିକାଶ ଅସମ୍ଭବ । ଶିବରାଜ୍ ଦେଇଛନ୍ତି ବିଜେଡିର ବିଫଳତାର ତାଲିକା । କେନ୍ଦ୍ର ସରକାରଙ୍କ ଯୋଜନା ଟଙ୍କା କିଭଳି ଓଡିଶା ସରକାର ଖର୍ଚ୍ଚ କରୁନାହାଁନ୍ତି ତାର ହିସାବ ଦେଇଛନ୍ତି ।

ପୋଲିସ ଗୁଳିରେ ଚାଷୀ ମୃତ୍ୟୁକୁ ନେଇ ବ୍ୟାପକ ହିଂସା ପରେ ବିବାଦରେ ଥିବା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଏହା ଥିଲା ପ୍ରଥମ ଗସ୍ତ । ଓଡିଶାରେ ମୋଦି ସରକାରର ସଫଳତା କହିବାକୁ ଆସିଥିଲେ ଶିବରାଜ୍ । ହେଲେ ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଥିଲା ବିଜେଡି ସରକାରର ଡଜନେ ବିଫଳତାର ତାଲିକା । ଟଙ୍କିକିଆ ଚାଉଳ, କେନ୍ଦ୍ରୀୟ ଅନୁଦାନ ଓ ସ୍ୱାସ୍ଥ୍ୟସେବା ଭଳି ପ୍ରସଙ୍ଗରେ ନବୀନଙ୍କୁ କାଠଗଡାକୁ ଟାଣିଥିଲେ ଶିବରାଜ । କଂଗ୍ରେସକୁ କଟାକ୍ଷ କରି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଦେଇଥିଲେ ପଲିଟିକାଲ୍ ପାରାଲିସିସ ଓ ମୌନ ସରକାରର ଉଦାହରଣ ।

ଚର୍ଚ୍ଚାରେ ଥିଲା ଶିବରାଜଙ୍କ ଓଡିଶା ଗସ୍ତ । ବିରୋଧ କରିବାକୁ ଆଗରୁ ସୂଚାଇ ଦେଇଥିଲା ବିଜେଡି, କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ଭଳି ଦଳ । ତେବେ ଗସ୍ତ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳର କର୍ମୀ ଓ ଚାଷୀଙ୍କୁ ଉଠାଇନେଇଥିଲା ପୋଲିସ ।