କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଭଙ୍ଗାରୁଜା ଘଟଣା : ହାଇକୋର୍ଟ ଗଲେ ବରଗଡ ବିଧାୟକ

21

ବରଗଡ : ହାଇକୋର୍ଟ ଗଲେ ବରଗଡ ବିଧାୟକ । କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଭଙ୍ଗାରୁଜା ଘଟଣାରେ ଗିରଫଦାରି ଏଡାଇବାକୁ ଆଗୁଆ ଜାମିନ ଆବେଦନ କରିଛନ୍ତି ବିଧାୟକ ଦେବେଶ ଆଚାର୍ଯ୍ୟ । ଗିରଫ ଭୟରେ ଦେବେଶଙ୍କ ସହ ଭାଇ ସମ୍ବିତ ଆଚାର୍ଯ୍ୟ , ନଗରପାଳ ପ୍ରଶାନ୍ତ ବେହେରା, ଜିଲା ପରିଷଦ ଉପାଧ୍ୟକ୍ଷ ସୌଭାଗ୍ୟ ରଞ୍ଜନ ନାୟକ, ଜିଲା ପରିଷଦ ସଦସ୍ୟ ହରିଶଙ୍କର ବେହେରା ଓ ଅନ୍ୟ କେତେକ ବିଜେଡି କର୍ମୀ ହାଇକୋର୍ଟରେ ଜାମିନ ଆବେଦନ କରିଥିବା ଜଣାପଡିଛି । ଏହି ମାମଲାରେ ପୂର୍ବରୁ ୧୬ ଜଣ ଗିରଫ ହୋଇଥିବାବେଳେ ପୋଲିସ ଆଉ ୧୪ ଜଣଙ୍କ ନାଁରେ କେସ ଡାଏରୀ କରିଥିବା ସୂଚନା ମିଳିଥିଲା । ବରଗଡରେ ବିଜେପିର ବିକାଶ ଉତ୍ସବରେ ଯୋଗ ଦେବାକୁ ଆସିଥିବା କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଓ ସାଧ୍ୱୀ ନିରଞ୍ଜନ ଜ୍ୟୋତିଙ୍କ ଗାଡି ଉପରକୁ ଢେଲା ମାଡ କରିବା ସହ କଳା ପତାକା ପ୍ରଦର୍ଶନ କରିବା ନେଇ ଅଭିଯୋଗ ହୋଇଛି । ଏପରିକି ଘଟଣା ପରେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ବିଜୟ ଉତ୍ସବ ମନାଉଥିବା ଖବର ପ୍ରଥମେ କନକ ନ୍ୟୁଜରେ ପ୍ରସାରଣ ହୋଇଥିଲା । ଘଟଣାରେ ପ୍ରଥମରୁ ବିଜେଡିର ସଂପୃକ୍ତି ନଥିବା ଦଳ ସଫେଇ ଦେଇଆସୁଛି । ଏବେ ଦେବେଶଙ୍କ ଆଗୁଆ ଜାମିନ ଆବେଦନ ଦଳ ପାଇଁ ଅଡୁଆ ବଢାଇ ଦେଇଛି ।