ବରଗଡ ଚାଷୀଙ୍କ ମୁଣ୍ଡରେ ବଡ ସଂକଟ : ଧାନରୁ ଚାଉଳ ଖାଇ ଯାଉଛି ଚକଡା ପୋକ, ନିଜ ଜମିରେ ଫସଲ ଜାଳିଲେ ଚାଷୀ

30

କନକ ବ୍ୟୁରୋ : ଧାନ ଜମିରେ ନିଆଁ । ଜଳୁଛି ଏକର ଏକର ଜମି । ଫସଲ ଅମଳ ହେବାକୁ ଆଉ ୧୫ରୁ ୨୦ ଦିନ ଥିଲା । କିନ୍ତୁ ଅମଳ କରିବା ପୂର୍ବରୁ ଏହି ଚାଷୀମାନେ ଯେଉଁ ହାତରେ ମାସ ମାସ ଧରି ପରିଶ୍ରମ କରିଥିଲେ, ଆଜି ସେହି ହାତରେ ନିଜ ଫସଲରେ ନିଆଁ ଲଗାଇ ଦେଇଛନ୍ତି । ପରିଶ୍ରମ ସାଙ୍ଗକୁ ଖର୍ଚ୍ଚ ସବୁଥିରେ ଲାଗିଛି ନିଆଁ । ସବୁଠାରୁ ଆଶ୍ଟର୍ଯ୍ୟର କଥା ହେଉଛି, ନିଜେ ଚାଷୀ ନିଜ ଫସଲରେ ନିଆଁ ଲଗାଇ ଦେଇଛି ।

ଚାଷୀଙ୍କ କଥା ବୟାନ କରୁଛି ସେମାନଙ୍କର କଷ୍ଟ କାହାଣୀ । ଚାରିଆଡେ ମାଡ଼ିଯାଇଛି ଚକଡ଼ା ପୋକ । ଏବଂ ଏହି ପୋକ ଏମିତି ଭାବେ ମାଡ଼ିଛି ଯେ କୌଣସି ଗୋଟିଏ ଧାନ ଗଛ ବି ତା’ କବଳରୁ ବର୍ତ୍ତିପାରିନାହିଁ । ଏହି ପୋକ ସିଧା ଚାଉଳକୁ ଆକ୍ରମଣ କରେ । ଧାନ ଭିତରୁ ଚାଉଳକୁ ପୂରା ଖାଇଯାଏ । ଉପକୂଳରେ ଏହାକୁ ଲେଡ଼ା ପୋକ ବୋଲି କୁହାଯାଉଥିବା ବେଳେ ବରଗଡ଼ ଅଂଚଳରେ ଏହାକୁ “ଚକଡ଼ା’’ କହନ୍ତି ଚାଷୀ ।

ସବୁଠାରୁ ଦୁଃଖଦାୟକ କଥା ହେଉଛି ଚକଡ଼ା ପୋକକୁ ମାରିବା ପାଇଁ ଏହି ଚାଷୀମାନେ ସରକାରୀ କୀଟନାଶକ ବାରମ୍ବାର ପ୍ରୟୋଗ କରିଛନ୍ତି । କିନ୍ତୁ କିଛି ବି ଫଳ ମିଳନାହିଁ । ଚକଡ଼ା ପୋକ ଯେମିତି ମାଡି ଚାଲିଥିଲା, ସେମିତି ମାଡ଼ି ଚାଲିଲା । ଚାଷୀଙ୍କ ଅଭିଯୋଗ ହେଉଛି, କୀଟନାଶକ ନିମ୍ନ ମାନର ହୋଇଥିବାରୁ କାମ କରୁନାହିଁ ।

ବରଗଡ଼କୁ ଓଡ଼ିଶାର ଭାତହାଣ୍ଡି ବୋଲି କୁହାଯାଏ । ଏବଂ ଏହି ଅଂଚଳରେ ଚାଷ ହିଁ ସବୁଠାରୁ ବଡ଼ ଜୀବିକା । ଆଉ ଯଦି ଏହି ଅଂଚଳରେ ଚାଷୀକୁ ନିମ୍ନ ମାନର କୀଟନାଶକ ଦିଆଯାଏ ଏବଂ ଚାଷୀ ସବୁକିଛି ହରାଇ ବସେ, ତେବେ ତାର ପରିଣାମ ନିଆଁ ଲଗାଇବାଠାରୁ ଆରଂଭ କରି ଆହୁରି ଭୟଙ୍କର ହେବାର ମଧ୍ୟ ଆଶଙ୍କା ରହିଛି । ଏହା ସରକାର ବୁଝିବା ଦରକାର ।