ପାଖଉଛି ବରଗଡ ଧନୁଯାତ୍ରା ! ଗୋପପୁର ଅମ୍ବାପାଲିରେ ଜୋରଦାର ପ୍ରସ୍ତୁତି

36

କନକ ବ୍ୟୁରୋ : ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ୬୯ ତମ ବରଗଡ଼ ଧନୁଯାତ୍ରା । ଏହାକୁ ନେଇ ମଥୁରା ପାଲଟୁଥିବା ବରଗଡ଼ରେ ଯେତିକି ଉତ୍ସାହ, ତାହା ଠାରୁ ଅଧିକ ଉତ୍ସାହିତ ଗୋପପୁର ପାଲଟୁଥିବା ଅମ୍ବାପାଲିର ଗ୍ରାମବାସୀ । ଚଳିତବର୍ଷ ଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ କଳାକାରଙ୍କ ଜୀବନ୍ତ ଅଭିନୟ ପାଇଁ ପ୍ରସ୍ତୁତି ଜୋର ଧରିଛି । ମୁଖ୍ୟତଃ କୃଷ୍ଣ, ବଳରାମ ଓ ରାଧାଙ୍କ ଭୂମିକାକୁ କିଭଳି ଜୀବନ୍ତ କରାଯିବ ସେଥିପାଇଁ କଳାକାର ଓ ଗୋପପୁର କମିଟି ବିଶେଷ ଗୁରୁତ୍ୱ ଦେଇଛି ।

ବରଗଡ଼ ଧନୁଯାତ୍ରାରେ ଗୋପପୁର ପାଲଟିବ ଅମ୍ବାପାଲି ଗାଁ । ଯାତ୍ରା ଆରମ୍ଭରୁ ଶେଷ ଯାଏଁ ସଂପୂର୍ଣ୍ଣ ରୂପେ କୃଷ୍ଣ ପ୍ରେମରେ ମଜ୍ଜି ଯାଇଥାଏ ଅମ୍ବାପାଲି ଗାଁ । ମଥୁରାରେ ମହାରାଜ କଂସଙ୍କ ରାଜତ୍ୱ ଦର୍ଶକଙ୍କୁ ଯେଉଁଭଳି ଆକର୍ଷିତ କରିଥାଏ, ଠିକ୍ ସେହିପରି ଗୋପପୁରରେ କୃଷ୍ଣଙ୍କଲୀଳା ଦେଖି ଆତ୍ମବିଭୋର ହୋଇପଡ଼ିଥାନ୍ତି ଦର୍ଶକ । ଧନୁଯାତ୍ରାକୁ ଦିନ କେଇଟା ବାକି ଥିବା ବେଳେ କଳାକାରଙ୍କ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଗୋପପୁରରେ କୃଷ୍ଣଲୀଳାକୁ ଜୀବନ୍ତ କରିବା ପାଇଁ ଗୁରୁ, ନିର୍ଦ୍ଦେଶକଙ୍କ ତତ୍ୱବଧାନରେ ଅଭ୍ୟାସ କରୁଛନ୍ତି କଳାକାର । ଧନୁଯାତ୍ରା ଶୁଭସ୍ତମ୍ବ ସ୍ଥାପନ ପରଠାରୁ ଆରମ୍ଭ ହୋଇଥିବା ପ୍ରସ୍ତୁତି ଏବେ ଅନ୍ତିମ ପର୍ଯ୍ୟାୟରେ ପହଂଚିଛି । ବିଶେଷ କରି କୃଷ୍ଣ, ବଳରାମ ଓ ରାଧା ଭୂମିକାରେ ଅଭିନୟ କରୁଥିବା କଳାକାରଙ୍କ ଅଭିନୟକୁ ଜୀବନ୍ତ କରିବାକୁ ଗୁରୁତ୍ୱ ଦେଇଛି ଗୋପପୁର କମିଟି ।

କୃଷ୍ଣଙ୍କ ଗୋ-ଚାରଣ ଠାରୁ ଆରମ୍ଭ କରି ଗୋପାଳମାନଙ୍କ ସହ ବଣ ଭୋଜି, ଅନ୍ଧ ବ୍ରାହ୍ମଣକୁ ଚକ୍ଷୁଦାନ, ସବରୀର କୋଳିବିକା, ବ୍ରହ୍ମାଙ୍କ ବଂଶୀଦାନ, ପ୍ରେମମୟୀ ରାଧାଙ୍କୁ କୃଷ୍ଣଙ୍କ ସାନ୍ତ୍ୱନା ଦେବା ଦୃଶ୍ୟ ପାଇଁ ଶିକ୍ଷାଦାନ ସରିଯାଇଛି । ଗୋପୀ ଓ ଗୋପାଳ ବାଳକମାନେ ମଧ୍ୟ ନୃତ୍ୟ, ଗୀତ ଓ ଅଭିନୟକୁ ଜୀବନ୍ତ କରିବାକୁ ଚଳାଇଛନ୍ତି ପ୍ରତିଯୋଗିତା । ଏବର୍ଷ ଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ନୂତନ ଦୃଶ୍ୟ ଯୋଡା ଯାଇଥିବା ବେଳେ ଯାତ୍ରା ପୂର୍ବରୁ ସମସ୍ତ କଳାକାର ପ୍ରସ୍ତୁତ ହୋଇଯିବେ ବୋଲି କହିଛନ୍ତି ନିର୍ଦ୍ଦେଶକ । ତେବେ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, କଳାକାରମାନଙ୍କ କୁମ୍ଭ କୁହାଯାଉ ଥିବାରୁ ନିଜ କଳା ପ୍ରତିଭା ଦେଖାଇବା ପାଇଁ କଳାକାରମାନେ ଉତ୍ସାହିତ ଅଛନ୍ତି ।